ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇସ୍କୁଲରେ ମିଶିବ ୟୁପି ସ୍କୁଲ୍। ରାଜ୍ୟର ୧୬୦୩ ସରକାରୀ ୟୁପି ସ୍କୁଲକୁ ନିକଟବର୍ତ୍ତୀ ହାଇସ୍କୁଲରେ ମିଶାଯିବ। ଏହି ହାଇସ୍କୁଲ ଗୁଡିକ ଏଣିକି ନୋଡାଲ ହାଇସ୍କୁଲ ନାଁରେ ନାମିତ କରାଯିବ। ଦୁଇ ସ୍କୁଲ କମିଟିର କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସେମାନେ ଅଲଗା ଅଲଗା କାର୍ଯ୍ୟ କରିବେ। କାର୍ଯ୍ୟକାଳ ଶେଷ ହେବା ପରେ ଗୋଟିଏ ଅଭିଭାବକ-ଶିକ୍ଷକ କମିଟି, ଗୋଟିଏ ପରିଚାଳନା କମିଟି, ଗୋଟିଏ ଡେଭଲପମେଣ୍ଟ କମିଟି ଗଠନ କରାଯିବ।
ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସେହିପରି ମିଶ୍ରଣ ନେଇ ସେପ୍ଟେମ୍ବର ୧୫ ସୁଦ୍ଧା ମୋଡାଲିଟି ସ୍ଥିର କରାଯିବ। ଏହି ତାଲିକାରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୧୪୫ଟି ସରକାରୀ ସ୍କୁଲ ରହିଛି।
ସେହିପରି କଟକ ଜିଲ୍ଲାରେ ୧୩୫, ଯାଜପୁରରେ ୧୨୫, ମୟୂରଭଞ୍ଜର ୧୨୦, କେନ୍ଦ୍ରାପଡାର ୧୧୪ ୟୁପି ସ୍କୁଲ ହାଇସ୍କୁଲରେ ମିଶିବ। ସ୍ୱାଧୀନତା, ସାଧାରଣତନ୍ତ୍ର ଦିବସ, ବାର୍ଷିକ ଉତ୍ସବ, ପ୍ରାର୍ଥନା ସଭା, ମାସ ଡ୍ରିଲକୁ ଶୃଙ୍ଖଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଏପଟେ ସିବିଏସଇ ସ୍କୁଲରେ ବହି ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହେଉଛି। ବହି ଯୋଗାଣ ପାଇଁ ଏହି ନୂଆ ସର୍କୁଲାର ଜାରି ହୋଇଛି। ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ଦୋକାନ ଖୋଲି ପିଲାଙ୍କୁ ବହି ଯୋଗାଇବେ ବୋଲି ସର୍କୁଲାରେ ଦର୍ଶାଯାଇଛି। ସମସ୍ତ ପାଠ୍ୟ ଉପକରଣ ବି ଏଠାରେ ଉପଲବ୍ଧ ହେବ ବୋଲି ଜଣାପଡିଛି।
Tags: Education, High School, UP School, CBSE, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories