ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ସକାଳ ୧୦ଟାରେ ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମନ୍ତ୍ରୀମଣ୍ଡଳ ଅଦଳବଦଳର ପୂର୍ବାଭାସ ସ୍ଵରୂପ ମନ୍ତ୍ରୀ ପରିଷଦରୁ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି। ନୂଆ ମୁହଁକୁ ସ୍ଥାନ ଦେବା ପାଇଁ ଆଉ କିଛି ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପାଇଁ ଦଳୀୟ ନେତୃତ୍ଵକୁ ଜଣାଇଛନ୍ତି।
ଯେଉଁମାନେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କଲରାଜ ମିଶ୍ର, ଉମା ଭାରତୀ, ରାଜୀବ ପ୍ରତାପ ରୁଡ଼ି, ଗିରିରାଜ ସିଂ, ନିର୍ମଳା ସୀତାରାମନ୍, ସଞ୍ଜୀବ ବଲିଆଁ ଓ ମହିନ୍ଦ୍ରନାଥ ପାଣ୍ଡେ । ମହିନ୍ଦ୍ରନାଥ ପାଣ୍ଡେଙ୍କୁ ଉତ୍ତରପ୍ରଦେଶ ବିଜେପିର ସଭାପତି କରାଯାଇଛି।
ବିଜେପି ସଭାପତି ଅମିତ୍ ଶାହା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମନ୍ତ୍ରିମଣ୍ଡଳ ପୁନର୍ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ  ଦଳୀୟ ସଙ୍ଗଠନକୁ କିଭଳି ସୁଦୃଢ଼ କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା।
ଗତବର୍ଷ ଜୁଲାଇ ମାସରେ ମୋଦି ତାଙ୍କର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଥିଲେ।
ଖବର ଅନୁଯାୟୀ କଲରାଜ ମିଶ୍ରଙ୍କୁ ରାଜ୍ୟପାଳ ଭାବେ ପଠାଯିବ। କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ବିଭାଗ ବଦଳିବ ବୋଲି ସୂଚନା ମିଳିଛି। ସେହିଭଳି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗଜପତି ରାଜୁଙ୍କୁ ମଧ୍ୟ ଅନ୍ୟ ବିଭାଗର ଦାୟିତ୍ଵ ଦିଆଯାଇପାରେ।
ଗତ ସପ୍ତାହରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଇସ୍ତଫା ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କୁ ଅପେକ୍ଷା କରିବା ପାଇଁ ମୋଦି କହିଥିଲେ। ଅନୁମାନ କରାଯାଉଛି  ପ୍ରଭୁଙ୍କୁ  ଅନ୍ୟ କୌଣସି ବିଭାଗର ଦାୟିତ୍ଵ ଦିଆଯିବ।
ରାଜୀବ ପ୍ରତାପ ରୁଡ଼ି ଓ ରାଧାମୋହନ ସିଂଙ୍କୁ ବାଦ୍ ଦିଆଯିବା ପରେ ବିହାରରେ ରାଜନୈତିକ ସନ୍ତୁଳନ ବିଗିଡ଼ିଥିବା ଦୃଷ୍ଟିରୁ ରୁଡ଼ିଙ୍କୁ ଦଳରେ ଏକ ବଡ଼ ଦାୟିତ୍ଵ ଦିଆଯାଇପାରେ। ଅନୁମାନ କରାଯାଉଛି ନୀତିଶ୍ କୁମାରଙ୍କର ଜଣେ ବିଶ୍ଵସ୍ତଙ୍କୁ ମନ୍ତ୍ରୀପରିଷଦରେ ନିଆଯିବ। ବର୍ତ୍ତମାନ ଉପ-ମୁଖ୍ୟମନ୍ତ୍ରୀ ଥିବା ସୁଶିଲ୍ ମୋଦିଙ୍କୁ କେନ୍ଦ୍ରକୁ ଅଣାଯାଇପାରେ।
ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ହାତରେ ବର୍ତ୍ତମାନ ବହୁ ବିଭାଗ ଥିବାରୁ ତାଙ୍କଠାରୁ କିଛି ବିଭାଗ କାଢ଼ି ନିଆଯାଇ ଅନ୍ୟକୁ ଦିଆଯିବ। ମନୋହର ପାରିକର ଗୋଆ ମୁଖ୍ୟମନ୍ତ୍ରୀ ହେବା ପରେ ଜେଟଲୀ ପ୍ରତିରକ୍ଷା ବିଭାଗ ସମ୍ଭାଳୁଛନ୍ତି। ସେହିଭଳି ହର୍ଷବର୍ଦ୍ଧନଙ୍କୁ ଅତିରିକ୍ତ ଦାୟିତ୍ଵ ଭାବରେ ପରିବେଶ ବିଭାଗ ଦିଆଯାଇଛି। ଆଉ କିଛି ମନ୍ତ୍ରୀ ଯଥା ସ୍ମୃତି ଇରାନୀ ଓ ନରେନ୍ଦ୍ର ତୋମାରଙ୍କ ଉପରେ ମଧ୍ୟ  କାର୍ଯ୍ୟଭାର ଅଧିକ ହୋଇଥିବାରୁ ସେମାନଙ୍କଠାରୁ କିଛି ବିଭାଗ କଢ଼ାଯିବା ନିଶ୍ଚିତ।
ଗୋଷ୍ଠୀକନ୍ଦଳରେ ମାତିଥିବା ତାମିଲନାଡ଼ୁର ଏଡିଏମକେରୁ କାହାକୁ ମନ୍ତ୍ରୀ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ବର୍ତ୍ତମାନର ପେଟ୍ରୋଲିୟମ୍ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବାର ସମ୍ଭାବନା ରହିଛି।
କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଗୁରୁତ୍ଵପୂର୍ଣ୍ଣ ଅଦଳବଦଳର ସୂଚନା ମିଳିଥିଲା ଯେବେ ଭେଙ୍କାୟା ନାଇଡ଼ୁଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଗଲା।
ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ୭ଟି ରାଜ୍ୟର ରାଜ୍ୟପାଳ ମଧ୍ୟ ବଦଳିବେ ବୋଲି ଜଣାପଡ଼ିଛି।
Tags: Narendra Modi, Modi Cabinet, Modi cabinet reshuffle, BJP, Dharmendra Pradhan, Cabinet Ministers, Venkaya Naidu, Arun Jaitley, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here