ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କୁ ଆଉ ଏକ ଝଟକା ମିଳିଛି। ବଂଶଧାରା ନଦୀରେ ବ୍ୟାରେଜ ନିର୍ମାଣ ଚାଲୁ ରଖିବା ପାଇଁ ଟ୍ରିବ୍ୟୁନାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଗ୍ରିନ୍ ସିଗନାଲ ଦେଇଛନ୍ତି। ଫଳରେ ୭ ବର୍ଷ ଧରି ଚାଲିଥିବା ଟ୍ରିବ୍ୟୁନାଲ ଲଢ଼େଇର ଅବସାନ ଘଟିଛି।
ବଂଶଧାରା ନଦୀ ଜଳ ବିବାଦ ନେଇ ବୁଧବାର ଟ୍ରିବ୍ୟୁନାଲଙ୍କ ରାୟ ପ୍ରକାଶ ପାଇଛି। ନଦୀରେ ନିର୍ମାଣାଧୀନ ୨ଟି ବ୍ୟାରେଜ କାମ ଚାଲୁ ରଖିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। କାଟ୍ରାଗଡା ଓ ନେରେଡି ବ୍ୟାରେଜ କାମ ଚାଲୁ ରହିବ ବୋଲି ରାୟରେ ଦର୍ଶାଯାଇଛି। ଏହାସହ ନେରେଡି ବ୍ୟାରେଜକୁ ଟ୍ରିବ୍ୟୁନାଲଙ୍କ ସର୍ତ୍ତମୂଳକ ପୂର୍ଣ୍ଣ ଅନୁମତି ମିଳିଛି।
ସହିପରି ରାୟ ଅନୁପାଳନ ଅନୁଧ୍ୟାନ ନେଇ କୋର୍ଟ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ୪ ଜଣିଆ ସଦସ୍ୟ ରହିଛନ୍ତି। ଆନ୍ଧ୍ର ଏବଂ ଓଡ଼ିଶାର ଜଣେ ଲେଖାଏଁ ସଦସ୍ୟ କମିଟିରେ ରହିବେ।  ଏହାସହ କମିଟିରେ କେନ୍ଦ୍ରୀୟ ଜଳ ଆୟୋଗର ୨ ଜଣ ସଦସ୍ୟ ମଧ୍ୟ ରହିବେ ବୋଲି ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି।
୨୦୦୩ରେ ନେରେଡି ଏବଂ କାଟ୍ରାଗଡା ନିକଟସ୍ଥ ବଂଶଧାରା ନଦୀରେ ଆନ୍ଧ୍ର ପ୍ରଦେଶ ସରକାର ଦୁଇଟି ବ୍ୟାରେଜ ନିର୍ମାଣ ଆରମ୍ଭ କରିଥିଲେ। ସେତେବେଳେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ ୱାଇ.ଏସ୍.ରାଜଶେଖର ରେଡ୍ଡି। ନିର୍ମାଣାଧୀନ ନେରେଡି ବ୍ୟାରେଜ ଯୋଗୁଁ ରାୟଗଡା ଜିଲ୍ଲାର ଗୁଣୁପୁର ଏବଂ କାଟ୍ରାଗଡା ବ୍ୟାରେଜ ପାଇଁ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗ ହୋଇଥିଲା।
ଉଭୟ ବ୍ୟାରେଜର ନିର୍ମାଣ କାମ ୫୦ ପ୍ରତିଶତ ଶେଷ ହେବା ପରେ ଗୁଣୁପୁର ଏବଂ କାଶୀନଗର ଅଞ୍ଚଳବାସୀ ବିରୋଧ କରିଥିଲେ। ଏହି ବ୍ୟାରେଜ ନିର୍ମାଣ ହେଲେ ଉଭୟ ବ୍ଲକର ପ୍ରାୟ ଶତାଧିକ ଗାଁ ଏବଂ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିଲେ।
ବ୍ୟାରେଜ ନିର୍ମାଣ କାମ ବନ୍ଦ କରିବାକୁ ଗୁଣୁପୁର ଓ କାଶୀନଗରବାସୀ ଦାବି କରିଥିଲେ। ଗୁଣୁପୁର ଓ କାଶୀନଗରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଂଶାଧାରା ନଦୀରେ ନିର୍ମାଣ କାମ ବନ୍ଦ କରିବାକୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କୁ ନିବେଦନ କରିଥିଲେ। ହେଲେ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କ ଅନୁରୋଧ ଗ୍ରହଣ ନ କରି ନିର୍ମାଣ କାମ ଜାରି ରଖିଥିଲେ। ଏହାକୁ ନେଇ ଓଡ଼ିଶା ସରକାର ୨୦୦୬ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଫଳରେ ଏହି ବିବାଦର ସମାଧାନ ପାଇଁ ୨୦୧୦ ଫେବୃୟାରୀରେ ବଂଶଧାରା ୱାଟର ଡିସପ୍ୟୁଟ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଏହି ଦୁଇଟି ବ୍ୟାରେଜ ନିର୍ମାଣ ହେଲେ ଗୁଣୁପୁର ଓ କାଶୀନଗରରେ ପାନୀୟ ଜଳ ଅଭାବ ଦେଖାଦେବା ସହ ବ୍ୟାପକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଓଡ଼ିଶା ସରକାର ଟ୍ରିବ୍ୟୁନାଲ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ।
ଓଡ଼ିଶା ସରକାର ବଂଶଧାରା ନଦୀରେ ନିର୍ମାଣାଧୀନ ବ୍ୟାରେଜର ଫଟୋ ଏବଂ ଉପଯୁକ୍ତ ପ୍ରମାଣ ଟ୍ରିବୁ୍ୟନାଲରେ ଦାଖଲ କରିଥିଲେ। ଟ୍ରିବୁ୍ୟନାଲ ଗଠନ ହେବା ସତ୍ତ୍ୱେ ଆନ୍ଧ୍ର ସରକାର ବଂଶଧାରା ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ତେବେ ନିର୍ମାଣ କାମ ବନ୍ଦ କରିବାକୁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଥିଲେ।
୨୦୧୬ ନଭେମ୍ବର ୨୨ରେ ଟ୍ରିବ୍ୟୁନାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କେଉଁ ଆଧାରରେ ବଂଶଧାରା ନଦୀରେ ନିର୍ମାଣ କାର୍ଯ୍ୟ କରାଯାଉଥିଲା ତାହାର ଉତ୍ତର ୭ ଦିନ ମଧ୍ୟରେ ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦଶେ ଦେଇଥିଲେ।
Tags: Odisha, Andhra Pradesh, Bansadhara River, Odisha News, Bhubaneswar News, Odisha Breaking News, Odisha News, Odisha Stories, Odisha Top Stories, Supreme Court, Tribunal, Barrage

LEAVE A REPLY

Please enter your comment!
Please enter your name here