ଓଡ଼ିଶାଲାଇଭ୍ ବ୍ୟୁରୋ
ଭିନ୍ନ ମୋଡ଼ ନେଉଛି ଚିଟଫଣ୍ଡ ଠକେଇ ପ୍ରସଙ୍ଗ। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ୍ ରହିଛି। ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେପି ଏବେ ତାର ନିଶାନ୍ ବଦଳାଇଛି।
ବିଜେପି ଟାର୍ଗଟେରେ ଏବେ ବିଜେଡ଼ି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରହିଛନ୍ତି। ଲଗାତାର ଦୁଇ ଦିନ ହେଲା ସାମ୍ବାଦିକ ସମ୍ମିଳନୀ କରି ବିଜେପି ଶ୍ରୀ ଆଚାର୍ଯ୍ୟଙ୍କ ଚିଟଫଣ୍ଡ ଲିଙ୍କକୁ ନେଇ ପାର୍ଟି ଅଫିସ୍ରେ ଗର୍ଜୁଛି। ଶ୍ରୀ ଅଚାର୍ଯ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ କେଉଁ କେଉଁ ଚିଟଫଣ୍ଡ ସଂସ୍ଥାକୁ ଅନୁକମ୍ପା ଦେଖାଇଥିଲେ ତାହାର ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି।
ବୁଧବାର ସିସୋର ଚିଟଫଣ୍ଡ ସଂସ୍ଥା ସହ ଶ୍ରୀ ଆଚାର୍ଯ୍ୟଙ୍କୁ ବିଜେପି ଯୋଡିଥିବା ବେଳେ ଗୁରୁବାର ଗ୍ରୀନ୍ ରେ ଇଣ୍ଟରନାସ୍ନାଲ୍ ଚିଟଫଣ୍ଡ ସଂସ୍ଥା ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ପର୍କକୁ ଯୋଡିଛି ବିଜେପି। କହିଛି ଶ୍ରୀ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ଗ୍ରୀନ୍ ରେ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ। ଔଷଧ ଉତ୍ପାଦନ ପାଇଁ ଏହି ସଂସ୍ଥା ସହ ୮୦ କୋଟି ଟଙ୍କାର ଚୁକ୍ତି ହୋଇଥିବା ବିଜେପି ଅଭିଯୋଗ କରିଛି। ଗ୍ରୀନ୍ ରେ ଇଣ୍ଟରନାସନାଲ ସଂସ୍ଥାଠାରୁ ଶ୍ରୀ ଆଚାର୍ଯ୍ୟ କ’ଣ ସୁବିଧା ସୁଯୋଗ ପାଇଛନ୍ତି ତାର ଖୁଲାସା ପାଇଁ ସିବିଆଇ ତଦନ୍ତ ଦାବି କରିଛି ବିଜେପି।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,”ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ଗ୍ରୀନ୍ ରେ ଇଣ୍ଟରନାସନାଲ ସଂସ୍ଥାକୁ ଅନୁକମ୍ପା ଦେଖାଇଛନ୍ତି। ଏହି ସଂସ୍ଥାଠାରୁ ସେ ଏବଂ ତାଙ୍କ ଦଳ କ’ଣ ସୁବିଧା ସୁଯୋଗ ପାଇଛନ୍ତି ତାହାର ସିବିଆଇ ତଦନ୍ତ ହେଉ।”
ଏପଟେ ବିଜେପିକୁ ଜବାବ ଦେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ବିଜେପି ପାଖରେ ମୋ’ ବିରୋଧରେ ଯଦି କିଛି ପ୍ରମାଣ ଅଛି ତାହାଲେ ସେମାନେ ସିବିଆଇକୁ ହସ୍ତାନ୍ତର କରନ୍ତୁ। ବିଜେପି ଅଧିନରେ ସିବିଆଇ ରହିଛି। ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ସମସ୍ତ ଫାଇଲ୍ ଅଛି। ସିବିଆଇକୁ ଲଗାଇ ବିଜେପି ଏହାର ତଦନ୍ତ କରୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,”ବିଜେପିର ଅଭିଯୋଗକୁ ମୁଁ ଖୋଲା ଚ୍ୟାଲେଞ୍ଜ ଦେଉଛି। ଯଦି ସେମାନଙ୍କ ପାଖରେ କିଛି ପ୍ରମାଣ ଅଛି ତାହାଲେ ସେମାନେ ସିବିଆଇକୁ ଦିଅନ୍ତୁ। ମୁଁ ସବୁ ତଦନ୍ତକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ଅଛି। ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିବା ବେଳେ କୌଣସି ଚିଟଫଣ୍ଡ ସଂସ୍ଥାର ଫାଇଲରେ ମୁଁ ଦସ୍ତଖତ କରିନାହିଁ। ଦୀର୍ଘ ୪୦ ବର୍ଷର ରାଜନୀତି ଜୀବନରେ କେହି ମୋତେ ସନ୍ଦେହ କରିନାହାନ୍ତି।”
ବୁଧବାର ବିଜେପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସିସୋର ସଂସ୍ଥା ସହ ଯୋଡିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ସିସୋର ସହ ଶ୍ରୀ ଆଚାର୍ଯ୍ୟ ଚୁକ୍ତି ସ୍ୱାକ୍ଷର କରିଥିବା ବିଜେପି ଅଭିଯୋଗ କରିଥିଲା।