ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଅସମ୍ପୂର୍ଣ୍ଣ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ନବୀନ। ସେହିପରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରେଳ ଭବନରେ ଭେଟି ବିଭିନ୍ନ ରେଳ ପ୍ରକଳ୍ପ ଏବଂ ନୂଆ ଟ୍ରେନ୍ ଚଳାଚଳ ଉପରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ବୁଧବାର ପୂର୍ବାହ୍ନରେ ପ୍ରଥମେ ଗଡ଼କାରୀଙ୍କୁ ଭେଟିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥରେ ଖଣ୍ଡଗିରିରେ ଫ୍ଲାଏଓଭର, ଖୋର୍ଦ୍ଧା ଗୋହିରା-ଇନ୍ଫୋ ଭ୍ୟାଲି ଯାଏଁ ଫ୍ଲାଏଓଭର ନିର୍ମାଣ ଏବଂ କଟକ-ଅନୁଗୁଳ ଜାତୀୟ ରାଜପଥକୁ ୪ ଲେନ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଛଡା ପୁରୀ-ଭୁବନେଶ୍ବର ୨୦୩ ନମ୍ବର ଜାତୀୟ ରାଜପଥ କାମ ତ୍ୱରାନ୍ୱିତ କରିବା ଓ ୩୦ ଜିଲ୍ଲାର ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।
ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି। ପୁରୀ-କୋଣାର୍କ ନୂଆ ରେଳ ଲାଇନ୍, ରାଜ୍ୟର ୧୧ଟି ଷ୍ଟେସନର ଆଧୁନିକୀକରଣ, ରାଜଧାନୀ ଏକ୍ସପ୍ରେସକୁ ଭାୟା ସମ୍ବଲପୁର ଦେଇ ଚାଳଚଳ ପାଇଁ ମୁଖ୍ୟମନ୍ତ୍ରୀ ଦାବି ଉପସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି।