ଓଡିଶାଲାଇଭ୍ ବ୍ୟୁରୋ

ଜମି ଆସିଲାଣି ପୂଜା ମାହୋଲ। ମହାସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ। ଗାଁରୁ ସହର ହୋଇଯାଇଛି ଉତ୍ସବମୁଖର। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମଗ୍ର ରାଜ୍ୟରେ ମୁତୟନ ହୋଇଛନ୍ତି ୨୪୪ ପ୍ଲାଟୁନ୍ ଫୋର୍ସ। ଏହି ଫୋର୍ସ ଭସାଣ ଉତ୍ସବ ପର୍ଯ୍ୟନ୍ତ ଓଡ଼ିଶାକୁ ଜଗିବେ ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।
୮୧ ପ୍ଲାଟୁନ୍ ଆଇଆର୍‌ବି, ୧୪୦ ପ୍ଲାଟୁନ୍‌ ଓଏସ୍‌ଏପି, ଓଆଇଏସ୍‌ଏଫ୍‌ ୨୩ ପ୍ଲାଟୁନ୍, ୩ ପ୍ଲାଟୁନ୍ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ, କେନ୍ଦ୍ରରୁ ୨ କମ୍ପାନୀ ସିଆର୍‌ପିଏଫ୍‌ ଫୋର୍ସ ଓଡ଼ିଶାକୁ ଜଗିଛନ୍ତି।
ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,”ପୂଜା ବେଳେ ଅପରାଧ କାର୍ଯ୍ୟକଳାପ ରୋକିବାକୁ ସ୍ପେଶାଲ ଡ୍ରାଇଭ୍ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୦୬୮ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ୧୧୨ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଧାରାରେ ଗିରଫ କରାଯାଇଛି। ବେଆଇନ୍ ଚାନ୍ଦା ଆଦାୟ ନେଇ ୪୨ଟି ମାମଲା ରୁଜୁ କରାଯାଇଛି ଏବଂ ୨୧ ଜଣଙ୍କୁ ଗିରଫ କରାଯାଇଛି।”
ପୂଜା ଅବସରରେ ହୋଇଥିବା ସ୍ପେଶାଲ ଡ୍ରାଇଭରେ ୧୧୪୫ଟି ମାମଲା ରୁଜୁ ହୋଇଛି। ସେଥିରୁ ୯୭୮ ଜଣଙ୍କୁ ଗିରଫ କରାଯାଇଛି। ୨୦୬୯୦ ଲିଟର ଚୋରା ମଦ ଓ ୫୪୨୦ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଏହାଛଡ଼ା ୧୧୩ କିଲୋ ଗଞ୍ଜେଇ ଜବତ କରାଯଇଛି।
ଏହାସହ ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭୬୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୬ ଲକ୍ଷ ୪୪ ହଜାର ୫୭୦ ଟଙ୍କା ଜବତ କରାଯାଇଛି। ଟ୍ରାଫିକ ଉଲ୍ଲଂଘନକାରୀଙ୍କଠାରୁ ୧୭,୫୦୦ ଟଙ୍କା ଜମରିମାନା ଆଦାୟ କରାଯାଇଛି। କାଗଜପତ୍ର ଠିକ୍ ନଥିବାରୁ ୯୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରବ୍ଦ କରିବାକୁ ଆର୍‌ଟିଓଙ୍କୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here