ଓଡ଼ିଶାଲାଇଭ୍‍ ବ୍ୟୁରୋ

ପୁରୁଣା ଜଗନ୍ନାଥ ସଡ଼କକୁ ପୁଣି ଜୀବନ୍ତ ହୋଇଉଠିଛି। ବାସ୍ତବ କ୍ଷେତ୍ରରେ ନୁହେଁ, ଇତିହାସ ଓ ଗବେଷଣାରେ। ଏକ ଗବେଷକ ଦଳ ଏହି କାମ ଶେଷ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ବହୁସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସୁଥିଲେ। ସେହି ସମୟରେ ରେଳଲାଇନ ପଡିନଥିଲା। ଏଣୁ ବଙ୍ଗଳାରୁ ଭକ୍ତମାନେ ଚାଲିଚାଲି ରଥଯାତ୍ରା ଉପଲକ୍ଷେ ପୁରୀ ଆସୁଥିଲେ। କେବଳ ରଥଯାତ୍ରା ସମୟରେ ନୁହେଁ, ଆଜିକାଲି ଭଳି ଅନ୍ୟ ସମୟରେ ମଧ୍ୟ ଶ୍ରଦ୍ଧାଳୁ ଏହି ସଡ଼କ ଦେଇ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିଲେ। ଏଥିସକାଶେ ଏହି ରାସ୍ତାର ନାମ ଥିଲା ଜଗନ୍ନାଥ ସଡ଼କ।
ଦୁଇ ବର୍ଷ ତଳେ ବଙ୍ଗଳା ଓ ଓଡ଼ିଶାର ଇନଟାକ୍ ଚାପଟର୍ ପକ୍ଷରୁ ଏକ ଉଦ୍ୟମ ଆରମ୍ଭ ହୋଇଥିଲା। ଏହି ସଡ଼କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏବଂ ଓଡ଼ିଶା ତଥା ପଶ୍ଚିମବଙ୍ଗ ମଧ୍ୟରେ କି ପ୍ରକାର ସମ୍ପର୍କ ଥିଲା ତା’ର ଗବେଷଣାଲବ୍ଧ ତିନିଖଣ୍ଡବିଶିଷ୍ଟ ପୁସ୍ତକ ଇଣ୍ଡିଆନ ମ୍ୟୁଜିୟମରେ ଉନ୍ମୋଚନ ହୋଇଛି।
ଏହି ପ୍ରୋଜେକ୍ଟର ମୁଖ୍ୟ ସଂଯୋଜକ ଅନିଲ ଧୀରଙ୍କ କହିବା ଅନୁଯାୟୀ ପୁରୀରୁ ଦାନ୍ତନ ମଧ୍ୟରେ ପ୍ରାୟ ୩୦୦ଟି କୀର୍ତ୍ତିର ସନ୍ଧାନ ମିଳିଛି। ଅଧିକାଂଶ କୀର୍ତ୍ତି ନଷ୍ଟ ହୋଇଯାଇଥିବା କହନ୍ତି ଅନିଲ। ତେବେ ଚନ୍ଦ୍ରକୋଣାଠାରେ ଗୋଟିଏ ଗୁରୁଦ୍ୱାର, ଦାନ୍ତନଠାରେ ଏକ ଜଗନ୍ନାଥ ମନ୍ଦିର ଓ ପାନସୁକୁରାରେ ନନ୍ଦଗୋପାଳ ମନ୍ଦିରକୁ ଠାବ କରାଯାଇଛି ଓ ଏହାକୁ ଲିପିବଦ୍ଧ କରାଯାଇଛି।
ଗୋଟିଏ ସମୟରେ ବଙ୍ଗଳାର ତୀର୍ଥଯାତ୍ରୀମାନେ ୫୧୬ କିମି ରାସ୍ତା ଅତିକ୍ରମ କରି ପୁରୀ ଆସୁଥିଲେ। ଶଗଡ଼, ସବାରି, ଘୋଡ଼ା, ଓଟ ଓ ଏପରିକି ହାତୀ ପିଠିରେ ବସି ଲୋକେ ଜଗନ୍ନାଥ ଧାମ ପୁରୀରେ ପହଞ୍ଚୁଥିଲେ। ମହାପ୍ରଭୁ ଚୈତନ୍ୟ ତାମଲୁକ, ମହିଷ।ଦଳ,କାନ୍ଥୀ ଓ ମୋହନପୁର ଦେଇ ପୁରୀ ଆସିଥିଲେ। ସେହିଭଳି ଗୁରୁନାନକ ଚନ୍ଦ୍ରକୋଣା, ମେଦିନିପୁର ଓ ନାରାୟଣଗଡ଼ ଦେଇ ପୁରୀ ଆସିଥିଲେ। ସେତେବେଳେ ଏକ ଜନପ୍ରିୟ ମାର୍ଗ ଥିଲା ଉଲୁବେରିଆ-ପାନସୁକୁରା-ବେଲ୍‌ଦା।
ରେଳଲାଇନ ଆସିବା ପରେ ଓ ଟ୍ରେନଯାତ୍ରା ଆରମ୍ଭ ହେବା ପରେ ଏହି ସଡ଼କର ମହତ୍ତ୍ୱ ହ୍ରାସ ପାଇଥିଲା।
ଗବେଷଣାରୁ ମିଳିଥିବା ସୂଚନା ଓ ତଥ୍ୟ ଅନୁଯାୟୀ ସେହି ସବୁ କୀର୍ତ୍ତିର ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଗବେଷକମାନେ।

LEAVE A REPLY

Please enter your comment!
Please enter your name here