ଓଡ଼ିଶାଲାଇଭ୍‍ ବ୍ୟୁରୋ

ଟିଭି ଚ୍ୟାନେଲରେ ଦଳ ସପକ୍ଷରେ ପକ୍ଷ ରଖିବା ପାଇଁ ବିଜେପି ବାହାର କରିଛି ପ୍ୟାନେଲ ଲିଷ୍ଟ। ଏହି ତାଲିକାରେ ୧୩ରୁ ଅଧିକ ବିଜେପି ନେତା ସ୍ଥାନ ପାଇଛନ୍ତି। ଏମାନେ ବିଭିନ୍ନ ପ୍ରସଙ୍ଗରେ ଟିଭି ଡିବେଟରେ ଭାଗ ନେବେ ଏବଂ ଦଳ ସପକ୍ଷରେ ମତ ଦେବେ। ଏହି ତାଲିକାରେ କିଛି ପୁରୁଣା ଓ ନୂଆ ମୁହଁ ସ୍ଥାନ ପାଇଛନ୍ତି। ତେବେ ଆସନ୍ତୁ ଜାଣିବା ବିଜେପିର ଟିଭି ଚେହେରା ସମ୍ପର୍କରେ ।
ପ୍ରତାପ ଷଡଙ୍ଗୀ: ବିଜେପିର ବରିଷ୍ଠ ନେତା ଭାବେ ଜଣାଶୁଣା ପ୍ରତାପ ଷଡଙ୍ଗୀ। ବାଲେଶ୍ୱର ଜିଲ୍ଲା ନିଳଗିରି ବିଧାନସଭା ଆସନରୁ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ଶ୍ରୀ ଷଡଙ୍ଗୀ ବାଳେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ିଥିଲେ। ଏହାଛଡ଼ା ଶ୍ରୀ ଷଡଙ୍ଗୀ ଜଣେ ଭଲ ବକ୍ତା ଭାବେ ପରଚୟ ହାସଲ କରିଥିବାରୁ ବିଜେପି ତାଙ୍କୁ ପ୍ୟାନେଲ ଲିଷ୍ଟରେ ରଖିଛି।
ସମୀର ମହାନ୍ତି: ବିଜେପିର ଯେଉଁ କେତେଜଣ ସକ୍ରିୟ କର୍ମକର୍ତ୍ତା ଅଛନ୍ତି ସେମାନଙ୍କ ମଧ୍ୟରେ ସମୀର ମହାନ୍ତି ହେଉଛନ୍ତି ଅନ୍ୟତମ। ସେ ଏବେ ବିଜେପିର ଉପ-ସଭାପତି ଅଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କୁ ଆଟାକ୍‍ କରୁଥିବା ନଜିର ରହିଛି। ଏହି ବରିଷ୍ଠ ନେତାଙ୍କୁ ବିଜେପି ଟିଭି ଚେହେରା କରିଛି ।
ପୃଥ୍ୱୀରାଜ ହରିଚନ୍ଦନ: ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ହେଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ୨୦୧୪ ସେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହାପରଠୁ ସେ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେଇ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସେ ଏବେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।
ଭୃଗୁ ବକ୍ସିପାତ୍ର: ଭୃଗୁ ହେଉଛନ୍ତି ବିଜେପିର ଅନ୍ୟତମ ସାଧାରଣ ସମ୍ପାଦକ। ୨୦୧୪ରେ ସେ ବିଜେପି ଟିକେଟରେ ଜୟପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହାଛଡ଼ା ସେ ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଥିବାରୁ ତାଙ୍କୁ ଦଳ ପ୍ୟାନେଲ ଲିଷ୍ଟରେ ରଖିଛି ।
ପ୍ରଦୀପ ପୁରୋହିତ: ଗନ୍ଧମାର୍ଦ୍ଧନ ଆନ୍ଦୋଳନରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ପ୍ରଦୀପ ପୁରୋହିତ ଏବେ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀର ବିଧାୟକ ଅଛନ୍ତି। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ରଖିବା ସହ ଶାସକ ବିଜେଡିକୁ ଘେରୁଥିବା ନଜିର ରହିଛି। ଏହାସହ ସେ ବିଭିନ୍ନ ସମୟରେ ଟିଭି ଡିବେଟରେ ଭାଗ ନେଉଥିବା ନଜିର ରହିଛି।
ପିଙ୍କି ପ୍ରଧାନ: ଉପସ୍ଥାପିକା ଏବଂ ଅଭିନେତ୍ରୀ ଭାବେ କ୍ୟାରିଅର ଆରମ୍ଭ କରିଥିବା ପିଙ୍କି ପ୍ରଧାନ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ୍‍ ହୋଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ପିଙ୍କି ଦଳର ଷ୍ଟାର କ୍ୟାମ୍ପେନର ଥିଲେ। ଏହି ଅଭିନେତ୍ରୀଙ୍କୁ ଦଳ ଟିଭି ଚେହେରା କରିଛି। ଏଣିକି ପିଙ୍କି ଟିଭି ଡିବେଟରେ ଭାଗ ନେବେ ।
ରବି ନାୟକ: ବିଜେପିର ୧୦ ଜଣ ବିଧାୟକଙ୍କ ମଧ୍ୟରେ ରବି ନାୟକ ହେଉଛନ୍ତି ଅନ୍ୟତମ। ବିଧାନସଭାରେ ଯେଉଁ ବିଜେପି ବିଧାୟକ ଆଗରେ ରହିଛନ୍ତି ସେମାନଙ୍କ ମଧ୍ୟରେ ଶ୍ରୀ ନାୟକ ଚର୍ଚ୍ଚାରେ ରହିଛନ୍ତି। ଏଣୁ ତାଙ୍କୁ ବିଜେପି ପ୍ୟାନେଲ ଲିଷ୍ଟରେ ରଖିଛି।
ଲେଖାଶ୍ରୀ ସାମନ୍ତସିଂହାର: ବିଭିନ୍ନ ପ୍ରସଙ୍ଗରେ କଟ୍ଟର ଆଭିମୁଖ୍ୟ ଗ୍ରହଣ କରି ଚର୍ଚ୍ଚାରେ ଅଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କ କଥା କହିବାର ଶୈଳୀ ହେଯାଗୁଁ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି। ସେ ପୂର୍ବରୁ ବିଭିନ୍ନ ଟିଭି ଡିବେଟରେ ଭାଗ ନେଉଥିବା ନଜିର ରହିଛି। ନୀଳଗିରିର ସ୍ୱାଧୀନତା ସଂଗ୍ରାମୀ ପରିବାରର ବୋହୂ ଭାବେ ପରିଚୟ ହାସଲ କରିଥିବା ଲେଖାଶ୍ରୀ ନୀଳଗିରି ଆସନ ପାଇଁ ଟିକେଟ ଦାବିଦାର ଅଛନ୍ତି ।
ପୀତାମ୍ବର ଆଚାର୍ଯ୍ୟ: ଜଣାଶୁଣା ବରିଷ୍ଠ ଆଇନଜୀବୀ ଭାବେ ପରିଚିତ ପୀତାମ୍ବର ଆଚାର୍ଯ୍ୟ ନିକଟରେ ବିଜେପିରେ ସାମିଲ୍‍ ହୋଇଛନ୍ତି। ଲୁଲୁ ପରିବାରଙ୍କ ସହ ସେ ଗତ ୧୪ ତାରିଖରେ ଦଳରେ ମିଶିଥିଲେ। ଏହି ବରିଷ୍ଠ ଆଇନଜୀବୀଙ୍କୁ ଦଳ ପ୍ୟାନେଲ ଲିଷ୍ଟରେ ରଖିଛି ।
ପ୍ରଭାତୀ ପରିଡ଼ା: ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ହେଉଛନ୍ତି ପ୍ରଭାତୀ ପରିଡ଼ା। ସେ ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହାସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରଭାତୀଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚା ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛି ।
ଟଙ୍କଧର ତ୍ରିପାଠୀ: ଉମାକାନ୍ତ ପଟ୍ଟନାୟକଙ୍କ ପରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ହୋଇଛନ୍ତି ଟଙ୍କଧର ତ୍ରିପାଠୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ ମୋର୍ଚ୍ଚାକୁ ସକ୍ରିୟ କରିବାରେ ତାଙ୍କର ଅବଦାନ ଅଧିକ ଥିବା କୁହାଯାଉଛି। ଏହି ଯୁବନେତାଙ୍କୁ ବିଜେପି ପ୍ୟାନେଲ୍‍ ଲିଷ୍ଟରେ ରଖିଛି ।

Comment