ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚକଡା ପୋକ ଛଡ଼ାଇ ନେଲା ବର୍ଷକର ଆହାର। ପ୍ରଶାସନ ନଶୁଣିବାରୁ ଚାଷୀ ନିଜ ହାତରେ ଉଜାଡ଼ି ଦେଇଛି ସୁନାର ଫସଲ। ପୋକ ପାଇଁ ବରଗଡ଼ ଜିଲ୍ଲାରେ ଜଳୁଛି ଏକର ଏକର ଚାଷ ଜମି।

  • ୧୫ ଦିନ ପରେ ହୋଇଥାନ୍ତା ଫସଲ ଅମଳ
  • ସୁନାର ଫସଲକୁ ନିଜ ହାତରେ ଉଜାଡ଼ି ଦେଲା ଚାଷୀ
  • କାମ କଲାନି କୀଟନାଶକ
  • ବୁଧବାର ବରଗଡ଼ରେ ବିଜେପିର ଚକାଜାମ୍‌ ଆନ୍ଦୋଳନ
ଜଳୁଛି ଏକର ଏକର ଚାଷ ଜମି। ନିଜ ଜମିରେ ନିଆଁ ଲଗାଇଦେଇଛି ଚାଷୀ। ସୁନାର ଫସଲକୁ ନିଜ ହାତରେ ଉଜାଡ଼ି ଦେଇଛି ଚାଷୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ଧାନରେ ଚକଡା ପୋକ ଲାଗି ଥିବାରୁ ଚାଷୀ ଉପାୟଶୂନ୍ୟ ହୋଇ ଏଭଳି ପଦକ୍ଷେପ ନେଇଛି। ଚାଷୀ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚାରେ ରହିଥିବା ବରଗଡ଼ ଜିଲ୍ଲା ଏବେ ଫସଲ ଜାଳିବାକୁ ନେଇ ପୁଣି ଚର୍ଚ୍ଚା ଘେରକୁ ଆସିଛି।
ଆଉ ୧୫ ଦିନ ପରେ ହୋଇଥାନ୍ତା ଫସଲ ଅମଳ। ବର୍ଷକ ପାଇଁ ଆହାର ସଞ୍ଚୟ କରିଥାନ୍ତା ଚାଷୀ। ହେଲେ ଚକଡା ପୋକ କରିଦେଲା ସର୍ବନାଶ। ଚାଷୀ ମୁହଁରୁ ଛଡ଼ାଇ ନେଲା ଆହାର। ଯେଉଁ ସୁନାର ଫସଲକୁ ଦେଖି ଚାଷୀର ପେଟ ପୂରି ଯାଉଥିଲା ସେହି ଫସଲକୁ ସେ ନିଜ ହାତରେ ପୋଡ଼ି ଦେଇଛି। ସରକାର ଏବଂ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଚାଷୀ ବାଧ୍ୟ ହୋଇ ଚକଡା ପୋକକୁ ନିପାତ କରିବା ଲାଗି କଠୋର ହୋଇଛି।
ବରଗଡ଼ ଜିଲ୍ଲାରେ ଚାରିଆଡେ ମାଡ଼ି ଯାଇଛି ଚକଡା ବା ଲେଡା ପୋକ। ଏହି ପୋକ ପ୍ରଭାବରେ ଗୋଟିଏ ବି ଧାନ ଗଛ ବର୍ତ୍ତି ପାରିନାହିଁ। ଧାନ ଭିତରେ ପଶି ପୂରା ଚାଉଳକୁ ଖାଇ ଯାଉଛି। କୀଟନାଶକ ବ୍ୟବହାର କରାଯାଇଥିଲେ ମଧ୍ୟ ପୋକ ମରୁ ନଥିବା ଚାଷୀ ଅଭିଯୋଗ କରିଛି।
କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, “ବିଶେଷଜ୍ଞ ଟିମ୍‌କୁ ଘଟଣାସ୍ଥଳକୁ ପଠା ଯାଇଛି। ସେମାନେ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବା ସରକାର ପଦକ୍ଷେପ ଗ୍ରହଣ କରିବେ।”
ଗତ ୫ ଦିନ ହେଲା ବରଗଡ଼ ଜିଲ୍ଲା ଚାଷୀ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚାରେ ରହିଛି। ୫ ଦିନରେ ୨ ଜଣ ଚାଷୀ ଜୀବନ ହାରିବାକୁ ନେଇ ବିରୋଧୀ ସରକାରଙ୍କୁ ଆଟାକ୍ କରିଥିଲେ। ଏବେ ଫସଳ ଜଳିବାକୁ ନେଇ ବିଜେପି ବୁଧବାର ଚକାଜାମ୍ ଆନ୍ଦୋଳନ ଡାକରା ଦେଇଛି। ବରଗଡ଼ ଜିଲ୍ଲାରେ ୧ ଘଣ୍ଟିଆ ଆନ୍ଦୋଳନ କରାଯିବ ବୋଲି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।

LEAVE A REPLY

Please enter your comment!
Please enter your name here