ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। ବରଗଡ଼ ଜିଲ୍ଲାରେ ୨୬ ହଜାର ୮୯୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଓଡ଼ିଶାରେ ତାଣ୍ଡବ ରଚୁଛି କାଳବୈଶାଖୀ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଏବଂ କୁଆପଥର ବର୍ଷା ଯୋଗୁଁ ଚାଷ ଉଜୁଡ଼ି ଯାଇଛି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ରାଜସ୍ୱ ବିଭାଗକୁ ୬ଟି ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ବରଗଡ଼ ଜିଲ୍ଲାରେ ସର୍ବାଧିକ ଫସଲ ହାନି ହୋଇଛି।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, “ବରଗଡ଼, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ଆସିଛି। ଏହି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ବରଗଡ଼ ଜିଲ୍ଲାରେ ସର୍ବାଧିକ ଫସଲ ହାନି ହୋଇଛି।”

ବରଗଡ଼ ଜିଲ୍ଲାରେ ୨୬, ୮୯୯ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ସେହି ହିସାବରେ ବରଗଡ଼ ଜିଲ୍ଲାକୁ ୩୬ କୋଟି ଟଙ୍କା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ୯୨୩ ହେକ୍ଟର ଚାଷଜମିରେ ଫସଲ ହାନି ହୋଇଛି। ଏଥିପାଇଁ ସେହି ଜିଲ୍ଲାକୁ ଦିଆଯାଇଛି ୩ କୋଟି ୩୫ ଲକ୍ଷ ଟଙ୍କା। କାଳବୈଶାଖୀରେ ଯେଉଁମାନଙ୍କ ଘର ଭାଙ୍ଗିଛି ସେଥିପାଇଁ ୧୭ ଲକ୍ଷ ୯୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ୧୫ଟି ଘର ଭାଙ୍ଗିଛି। ଏଥିପାଇଁ ୫ ଲକ୍ଷ ୩୧ ହଜାର ୨୦୦ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଢେଙ୍କାନାଳରେ ୨ଟି ଘର ଭାଙ୍ଗିଥିବା ରିପୋର୍ଟ ଆସିଛି। ଯାଜପୁରର ଗୋଟିଏ ଘର ଭାଙ୍ଗିଥବା ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିଛି। ଅନ୍ୟ ଜିଲ୍ଲାରୁ ସବିଶେଷ ରିପୋର୍ଟ ଆସି ନଥିବାରୁ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ରିପୋର୍ଟ ଆସିବା ପରେ କ୍ଷତିପୂରଣ ଦିଆଯିବ।

କାଳବୈଶାଖୀରେ ଏପ୍ରିଲ ୧ରୁ ବର୍ତ୍ତମାନ ସୁଦ୍ଧା ୫୧ ଜଣଙ୍କର ମୃତ୍ୟୁ ଘଟିଛି। ବଜ୍ରପାତରେ ୪୭ ଜଣଙ୍କର ପ୍ରାଣ ହାନି ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି।

Comment