ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାରେ ପକ୍ଷୀ ଶିକାର, ହାତୀ ଶିକାର କଥା ଆମେ ସମସ୍ତେ ଖବରକାଗଜରେ ପଢିଥାଉ। ଏବେ କିନ୍ତୁ ରାଜ୍ୟରେ ଆଉ ଏକ ଶିକାର ଜୋରସୋର ଚାଲିଛି। ତାହା ହେଉଛି ନେତା ଶିକାର। ଏହି ଶିକାର ବା ପୋଚିଂରେ କିଏ ଆଗରେ ଅଛନ୍ତି ବୋଲି ଯଦି ଆପଣ ପଚାରିବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ପ୍ରଥମେ ଆସିବ।

୨୦୧୯ ମହାସମର ପାଇଁ ଓଡ଼ିଶାରେ ବର୍ତ୍ତମାନଠାରୁ ବଳ କଷାକଷି ଆରମ୍ଭ ହୋଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ନେତା ଓ କର୍ମୀ ଗୋଟାଇବା କାମଟି ବେଶ୍ ଦକ୍ଷତାର ଆଗେଇ ଚାଲିଛି। କିଏ ଭଲ ଟିମ୍ ତିଆରି କରିପାରିବ ସେହି କସରତରେ ଏହି ଦୁଇଦଳ ପ୍ରାଣପଣେ ଲାଗିଥିବା ବେଳେ କଂଗ୍ରେସ କିନ୍ତୁ ପୂରା ପଛରେ ପଡ଼ିଯାଇଛି। ବରଂ କହିବାକୁ ଗଲେ କଂଗ୍ରେସକୁ ବିଜେଡି ଓ ବିଜେପି ବରାବର ଶିକାର କରିବାରେ ସଫଳ ହୋଇଛନ୍ତି।

କାହାର ଜିତିବା ସମ୍ଭାବନା କେତେ ରହିଛି ସେ ହିସାବରେ ବିଜେପି ଓ ବିଜେଡି ପକ୍ଷରୁ ନେତାମାନଙ୍କୁ ନିଆଯିବା ସ୍ପଷ୍ଟ ଦେଖାଯାଉଥିବା ବେଳେ କଂଗ୍ରେସ ଦଳର ନେତାମାନେ ଅଧିକ ଏହି ସଉଦାର ଶିକାର ହେଉଛନ୍ତି। ଆସନ୍ତା ନିର୍ବାଚନରେ ଦଳ ମୂଳପୋଛ ହେବାର ଆଶଙ୍କାରେ କଂଗ୍ରେସ ନେତା ବିଜେଡି କିମ୍ବା ବିଜେପିକୁ ଯିବା ଦେଖାଯାଉଛି, ଯାହାକୁ କୁହାଯାଏ ବେଳ ଥାଉ ଥାଉ ପାଗ ଭିଡିବା।

ଅନ୍ୟ ଦଳରୁ ନେତାଙ୍କୁ ଟାଣି ଆଣିବା ସହିତ ଓଡ଼ିଶା ରାଜନୀତିରେ ନିଜର ପ୍ରଭାବକୁ ଅଧିକ ଦୃଢ଼ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ସେ ସେଥିରେ ଅନେକ ମାତ୍ରାରେ ସଫଳ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କ ଟାର୍ଗେଟ ହେଉଛି ଅତି କମରେ ୩୦ ଜଣ ପ୍ରଭାବଶାଳୀ ନେତାଙ୍କୁ ବିଜେଡି ଓ କଂଗ୍ରେସରୁ ଆଣିବା। ସେହିଭଳି ବିଜେଡି ମଧ୍ୟ ଗତ କିଛି ମାସ ମଧ୍ୟରେ ଡଜନେ ପାଖାପାଖି ନେତାଙ୍କୁ ନିଜ ଆଡକୁ ଟାଣି ଆଣିପାରିଛି।

ରାଜନୈତିକ ବିଶାରଦମାନଙ୍କ ମତରେ ଆଗକୁ ପୌର ନିର୍ବାଚନ ଥିବାରୁ ଏବେ ଏହି ନେତା ଶିକାର ଜୋର ଧରିବ। ବିଧାନସଭା ନିର୍ବାଚନ ଯେତେ ନିକଟତର ହେବ ପୋଚିଂ ସେତେ ଅଧିକ ହେବ ବୋଲି କହିଛନ୍ତି ଅନ୍ୟ ଜଣେ ବରିଷ୍ଠ ସାମ୍ୱାଦିକ।

ଗୋଟିଏ ପଟେ କଂଗ୍ରେସ ନିଶ୍ଚୟ ବିପଦର ସମ୍ମୁଖୀନ ହେଉଥିବା ବେଳେ ତେଣେ ୧୭ ବର୍ଷର ଶାସନ କାଳରେ ପ୍ରଥମ ଥର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ଏଣେ ବିଜେପି ୨୦୧୯ରେ କ୍ଷମତା ହାସଲ କରିବା ପାଇଁ କୌଣସି ଉଦ୍ୟମକୁ ହାଡଛଡ଼ା କରିବାକୁ ଚାହୁଁ ନାହିଁ।

ଅନ୍ୟ ଦଳରୁ ନେତାଙ୍କୁ ଶିକାର କରିବା ଓଡ଼ିଶା ରାଜନୀତିରେ ଆଗରୁ କେବେ ଦେଖା ଯାଉନଥିଲା। ୨୦୧୪ରେ ଏହି ଟ୍ରେନ୍ଡ଼ ଆରମ୍ଭ ହେଲା ଯେଉଁଦିନ ସେତେବେଳର ବିରୋଧୀ ଦଳ ନେତା ତଥା କଂଗ୍ରେସର ମୂଳଦୁଆ କୁହାଯାଉଥିବା ଭୁପିନ୍ଦର ସିଂହ ବିଜେଡିରେ ଯୋଗଦେଲେ, ସେଇ ଭୁପିନ୍ଦର ଯିଏ ୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର ବିରୁଦ୍ଧରେ ଅହରହ ଗର୍ଜୁଥିଲେ।

ଏହାର ଦୁଇବର୍ଷ ପରେ ବିଜେଡି ସୁପ୍ରିମୋ ପୁଣି ଥରେ ସେହି ପୁରୁଣା ଚାଲ ଚଳାଇ ବିଜେପି ନେତା ତଥା ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ବିଜେଡିରେ ସାମିଲ କରାଇନେଲେ। ସେହିଭଳି ପଶ୍ଚିମ ଓଡ଼ିଶାର କଂଗ୍ରେସ ନେତା ଅନୁପ ସାଏ ମଧ୍ୟ ବିଜେଡିରେ ମିଶିଲେ। ଅଣ-ନେତାଙ୍କ ଭିତରେ ସୁଲୋଚନା ଦାସ ନିରନ୍ତର ନବୀନ ସରକାର ବିରୁଦ୍ଧରେ ରଡ଼ିରଡ଼ି ଶେଷରେ ବିଜେଡିରେ ହିଁ ମିଶିଲେ।

ଏହି ପୋଚିଂ ଖେଳରେ ବିଜେପି ଯେ ପଛରେ ପଡ଼ିଯାଇଛି ତାହା ନୁହେଁ। ଦଳକୁ ଅଧିକ ଶକ୍ତିଶାଳୀ ତଥା ପ୍ରଭାବୀ କରିବା ପାଇଁ ବିଜେପି ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗଙ୍କୁ ଶିକାର କଲା।ତା’ ପରେ ବିଜେପିକୁ ଶିକାର ହୋଇ ଆସିଲେ ବିଜେଡିର ପୂର୍ବତନ ବିଧାୟକ ଓ  ଖଣ୍ଡପଡା ରାଜା ସିଦ୍ଧାର୍ଥ ଶେଖର ସିଂହ।

ବିଜେଡିକୁ ଶକ୍ତ ଧକ୍କା ଦେଇ ଦକ୍ଷିଣ ଓଡ଼ିଶାର ଜଣେ ତୁଙ୍ଗ ନେତା ଜୟରାମ ପାଙ୍ଗି ଯେତେବେଳେ  ବିଜେପିରେ ମିଶିଲେ ସେଇ ସମୟରୁ ଧରନ୍ତୁ ନେତା ଶିକାର ଉଭୟ ଶାସକ ବିଜେଡି ଓ ଶାସନ ଆଶାୟୀ ବିଜେପି ପାଇଁଏକ ସ୍ଥାୟୀ ରଣନୀତି ପାଲଟିଯାଇଛି।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରର କଂଗ୍ରେସ ନେତା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡିକୁ ଆଣି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ମ୍ୟାଚିଂ ଖେଳରେ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ନିଜ ଆଡକୁ ଟାଣି ଆଣିଛି।

ବିଜେପି ତା’ର ଚମତ୍କାରିତା ଆହୁରି ଦେଖାଇଲା ଯେଉଁଦିନ କଂଗ୍ରେସର ସ୍ୱର୍ଗତ ନେତା ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା ଓ ଭାଇ ଲ୍ଲିତେଂଦୁଙ୍କୁ ଦଳରେ  ସାମିଲ କରିପାରିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ମତରେ କଂଗ୍ରେସ ଓ ଏପରିକି ବିଜେଡିର ବହୁ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏମାନଙ୍କୁ ଦଳରେ ସାମିଲ କରାଯିବ।

ଏହିଭଳି ଦେଖିଲେ, ନେତା ଶିକାରରେ ବେଶି କ୍ଷତି ସହିଛି କଂଗ୍ରେସ। ଜଣକ ପରେ ଜଣେ ନେତା ବାଟ କାଟି ଚାଲି ଯାଉଥିବାବେଳେ କଂଗ୍ରେସ ସଭାପତି କେବଳ ଜଳକା ହୋଇ ସବୁ ଦେଖୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିବା ପରେ ଦଳ ଏକ ରକମ ମୁର୍ମୁଷୁ ଅବସ୍ଥାକୁ ଆସିଯାଇଛି କହିଲେ ଭୁଲ ହେବ ନାହିଁ।

Comment