(ଓଡ଼ିଶାଲାଇଭ୍ ବ୍ୟୁରୋ)
ମୟୁରଭଞ୍ଜ ଜିଲ୍ଲା ମଧୁପୁର ଗାଁରେ ଘଟିଛି ବର୍ବରଚିତ ଘଟଣା। ଡାହାଣୀ ସନ୍ଦେହରେ ୫ ଜଣ ମହିଳାଙ୍କୁ ଲୋକେ ନିର୍ଧୁମ ଛେଚିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ଆରମ୍ଭ କରିଛି ତନାଘନା।
ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳିପାରୁନି ମଣିଷ। ଏବେ ବି ଆମ ସମାଜରେ ଅନ୍ଧ ବିଶ୍ବାସକୁ ନେଇ ମଣିଷ ବଞ୍ଚୁଛି। ଏହାର ପ୍ରମାଣ ମୟୂରଭଞ୍ଜ ଜିଲ୍ଲା ମଧୁପୁରରେ ଦେଖିବାକୁ ମିଳିଛି। ଡାହାଣୀ ସନ୍ଦେହ ୫ ଜଣ ମହିଳାଙ୍କୁ ଗ୍ରାମବାସୀ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ଅକ୍ଟୋବର ୨୨ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା। ମଧୁପୁର ଗାଁର କିଛି ଲୋକଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଗୁଣିଆ ସନ୍ଦେହରେ ନିର୍ଧୁମ ଛେଚିଥିଲେ। ହେଲେ ଛେଚା ଖାଇଥିବା ବ୍ୟକ୍ତି ଜଣକ ଗ୍ରାମର ୫ ଜଣ ମହିଳାଙ୍କୁ ଡାହାଣୀ କହିବା ସହ ଏମାନଙ୍କ ପ୍ରଭାବରେ ଲୋକଙ୍କ ମୃତ୍ୟୁ ଘଟିଥିବା କହିଥିଲେ।
ଏହାକୁ ଆଧାର କରି ସଂପୃକ୍ତ ଗ୍ରାମର କିଛି ଉତ୍ତ୍ୟକ୍ତ ଲୋକେ ୫ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଘରୁ ଘୋଷାଡି ଆଣିଥିଲେ। ଗାଁ ଦାଣ୍ଡରେ ଗଛରେ ବାନ୍ଧି ଜଣକ ପରେ ଜଣେ ପିଟି ଚାଲିଥିଲେ। ଏହାକୁ ନେଇ କୌଣସି ପ୍ରତିକ୍ରିୟ ପ୍ରକାଶ ପାଇନଥିଲା। ହେଲେ ଘଟଣା ଘଟିବାର ୧୨ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ୫ ଜଣ ମହିଳାଙ୍କୁ ଗାଁ ଦାଣ୍ଡରେ ଅମାନୁଷିକ ଭାବେ ମାଡ଼ ମାରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଗୁଣିଗାରେଡି ଏବଂ ଡାହାଣୀ ଉପରେ ଅଧିକ ଗବେଷଣା କରିଥିବା ଆକ୍ଟିଭିଷ୍ଟ ତଥା ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ କହିଛନ୍ତି, “୫ ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ମାଡ଼ ମାରିବା ହେଉଛି ଏକ ଅପରାଧ। ଏଣୁ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତଙ୍କ ବ୍ୟକ୍ତିଙ୍କୁ ଗିରଫ କରାଯିବା ଦରକାର। ଏହି ଘଟଣାକୁ ଦେଖି ନୀରବ ରହିଥିବା ବ୍ୟକ୍ତି ମଧ୍ୟ ଦୋଷମୁକ୍ତ ନୁହନ୍ତି। ଏଣୁ ସେମାନଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେବା ଦରକାର। ଗୁଣିଗାରେଡି ଏବଂ ଡାହାଣୀ ସନ୍ଦେହରେ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ୱିଚ୍ ହଣ୍ଟିଂ ଆକ୍ଟ-୨୦୧୩ ପ୍ରଣୟନ କରାଯାଇଛି। ଧାରା ୩,୪ ଏବଂ ୫ ରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିୟମ ରହିଛି। ଏହାସହ ସାଧାରଣ ଲୋକ , ଗଣମାଧ୍ୟମ ଏବଂ ଆଇନ୍ ବିଶାରଦମାନେ ଏ ଦିଗରେ ତତ୍ପର ହେବା ଆବଶ୍ୟକ।”
ଏପଟେ ଏହି ଭାଇରାଲ ଭିଡିଓ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ବେତନଟୀ ପୋଲିସ ତନଘନା ଆରମ୍ଭ କରିଛି। ଏହି କ୍ରମରେ ଆଜି ପୋଲିସ ୮ ଜଣଙ୍କୁ ଗିରଫ କରିଛି। ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ବେତନଟି ଥାନା ଅଧିକାରୀ କହିଛନ୍ତି।








ମୟୁରଭଞ୍ଜ ଜିଲ୍ଲା ମଧୁପୁର ଗାଁରେ ଘଟିଛି ବର୍ବରଚିତ ଘଟଣା। ଡାହାଣୀ ସନ୍ଦେହରେ ୫ ଜଣ ମହିଳାଙ୍କୁ ଲୋକେ ନିର୍ଧୁମ ଛେଚିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ଆରମ୍ଭ କରିଛି ତନାଘନା।






