ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ଶୁକ୍ରବାର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ଏହି ପର୍ବକୁ ପାରମ୍ପରିକ ରୀତିନୀତି ସହିତ ବାହାରିନ୍‌ରେ ଅବସ୍ଥାପିତ ଓଡ଼ିଆମାନେ ପାଳନ କରିଛନ୍ତି।

ବାହାରିନ୍ ଓଡ଼ିଆ ସାମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସର ସହିତ ଆ-କା-ମା-ବୈ ଲୋକଗୀତ ଗାଇ ଆରବ ସାଗରରେ ବୋଇତ ବନ୍ଦାଣ କରିଥିଲେ। ଏଥିଲାଗି ଏକ ସ୍ଵତନ୍ତ୍ର ବୋଇତ ବନାଯାଇଥିଲା, ଯେଉଁଥିରେ ଉତ୍କଳୀୟ ସ୍ଥାପତ୍ୟର ସ୍ମୃତି କୋଣାର୍କ ଚକ୍ର ଏବଂ ତ୍ରିରଙ୍ଗା ପତାକା ଲଗାଯାଇଥିଲା। ସେହିପରି ବୋଇତକୁ ଆଲୋକମାଳାଲେ ସଜାଇବା ସହ କଦଳୀପତ୍ର, ପାନ, ଗୁଆ, ଫୁଲ, ଧୂପ ଆଦି ଥୋଇ ପ୍ରବାସୀ ଓଡ଼ିଆମାନେ ବୋଇତ ବନ୍ଦାଣ କରିଥିଲେ।ଏହାପରେ ମାନମା ସ୍ଥିତ ଦୁଇଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରକୁ ଯାଇ ସମସ୍ତେ ଦର୍ଶନ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ଉଦବୋଧନ ଦେଇ ଡକ୍ଟର ଅରୁଣ ପ୍ରହରାଜ କହିଥିଲେ, “ବୋଇତ ମାଧ୍ୟମରେ ଓଡ଼ିଆ ସାଧବପୁଅମାନେ ସାତ ଦରିଆ ପାରି ହୋଇ ଓଡ଼ିଶାର ଗ୍ରାମ୍ୟ ଉତ୍ପାଦିତ ଦ୍ରବ୍ୟକୁ ବିଦେଶରେ ବାଣିଜ୍ୟ କରିବାକୁ ଯାଉଥିଲେ। ମହାନଦୀରୁ ଯାତ୍ରା ଆରମ୍ଭ କରି କଳିଙ୍ଗ ସାଗରଦେଇ ସେମାନେ ଇଣ୍ଡୋନେସିଆ, ଜାଭା, ସୁମାତ୍ରା ଆଦି ଅଞ୍ଚଳରେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ ସାରି ଫେରିବା ବାଟରେ ସେମାନେ ନାନାଦି ବିଦେଶୀ ଦ୍ରବ୍ୟ ସହିତ ଓଡ଼ିଶାକୁ ସମୃଦ୍ଧି ନେଇ ଫେରୁଥିଲେ। ସାଧବମାନଙ୍କ ଶୁଭଯାତ୍ରା କାମନା କରି ସାଧବ ବୋହୂମାନେ ବୋଇତର ବନ୍ଦନା କରି ଥାଆନ୍ତି। ଏହାର ସ୍ମାରକୀ ସ୍ୱରୂପ ଆଜି ବି କଟକସ୍ଥିତ ମହାନଦୀ ପଠାରେ ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ।”ସେ ଆହୁରି ମଧ୍ୟ କହିଥିଲେ ଯେ, ବୋଇତ ବନ୍ଦାଣର ଏହି ସ୍ମାରକୀ ଉତ୍ସବକୁ ଆଜିର ଯୁବ ସମାଜ ରପ୍ତାନୀ ଆମଦାନୀ ଭିତ୍ତିକ ବାଣିଜ୍ୟ ମାଧ୍ୟମରେ ବାସ୍ତବ ଉତ୍ସବରେ ପରିଣତ କରିବାର ସମୟ ଆସିଛି। ଏହାଦ୍ୱାରା ଓଡ଼ିଶାର ଉତ୍ପାଦିତ ଦ୍ରବ୍ୟ ବିଶ୍ଵବ୍ୟାପୀ ବିପଣନ ହେବା ସହିତ ଓଡ଼ିଶା ଆର୍ଥିକ ସମୃଦ୍ଧି ଲାଭ କରି ପାରିବ।ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ଓ ଭାରତ-ବାହାରିନ୍ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ବିଶେଷ ଆନନ୍ଦ ଉଲ୍ଲାସ ସହିତ ବାହାରିନ ଓଡ଼ିଆ ସମାଜ ପାଳନ କରିଥିବା ବେଳେ ବାହାରିନ୍ ନାଗରିକମାନେ ମଧ୍ୟ ଆଗ୍ରହର ସହିତ ଏହି ଉତ୍ସବକୁ ଉପଭୋଗ କରିଥିଲେ।

Comment