ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଣି କରିଛନ୍ତି ଓଡ଼ିଶାବାସୀ। ‘ଆକା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର..’ କହି ବିଭିନ୍ନ ଜଳଶୟରେ ବଡ଼ି ଭୋରରୁ ସ୍ନାନ ସାରି ଡଙ୍ଗା ଭସାଇ ପୂନ୍ୟ ଅର୍ଜନ କରିଛନ୍ତି ଲୋକେ। ଶ୍ରଦ୍ଧାଳୁଙ୍କ ହୁଳ ହୁଳି ଏବଂ ଘଣ୍ଟ ଘଣ୍ଟା ଧ୍ଵନି ପ୍ରକମ୍ପିତ ହୋଇଥିଲା ଜଳାଶୟ ପରିବେଶ। କିଏ କଦଳୀ ପାଟ୍ଟୁକାରେ ତ ଆଉ କିଏ ରଙ୍ଗବେରଙ୍ଗ କାଗଜ ଡଙ୍ଗା ଭସାଇ ନିଜର ପରମ୍ପରା ପାଳନ କରିଛନ୍ତି।

ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ସମୟ ପୂର୍ବରୁ ଲୋକେ ଡଙ୍ଗା ଭସାଇଥିଲେ। କେହି କେହି ଗୋଟିଏ ଦିନ ପୂର୍ବରୁ ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଛି। କେବଳ ଡଙ୍ଗା ବସାଣି ନୁହେଁ ଗ୍ରହଣ ଯୋଗୁଁ ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି। ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ।

କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ପର୍ଯ୍ୟନ୍ତ ଡଙ୍ଗା ଭସାଯାଇପାରିବ ବୋଲି କୁହାଯାଇଥିଲା। ସମୟ ପୂର୍ବରୁ ଲୋକେ ଡଙ୍ଗା ଭସାଣୀ କରିଥିବା ଦେଖିବାକୁ ମିଳିଛି।

କାର୍ତ୍ତିକ ପୂର୍ଣ୍ଣିମା ମହତ୍ତ୍ୱ

ହିନ୍ଦୁଧର୍ମରେ କାର୍ତ୍ତକ ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଏହି ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ଓ ତ୍ରିପୁରା ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦିନରେ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନ୍ୟତା ରହିଛି ଯେ, ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥିଲେ। ଯେଉଁଥିପାଇଁ ଏହାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯାଏ।

ଅଧିକାଂଶ ଲୋକ ଏହି ପବିତ୍ର ଦିନରେ ଗଙ୍ଗାରେ ସ୍ନାନ କରିଥାନ୍ତି। ଏହିଦିନରେ ଗରିବମାନଙ୍କୁ ଚାଉଳ ଦାନ କରିବା, ଘରର ଦ୍ୱାରରେ ମୁରୂଜ ପକାଇବା ଶୁଭଙ୍କର ହୋଇଥାଏ ବୋଲି ବଶ୍ୱାସ ରହିଛି ଏବଂ ଶିବଲିଙ୍ଗରେ ଜଳ ଢାଳିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି କୁହାଯାଏ।

ଓଡ଼ିଶାରେ ଆଜିର ଦିନକୁ ବିଶେଷ ଭାବେ ଲୋକମାନେ ପାଳନ କରିଥାନ୍ତି। ଓଡ଼ିଶାରେ ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ବୋଲି କୁହାଯାଏ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାର ଉତ୍ସବ ଭାବେ ଏହା ପାଳନ କରାଯାଏ।

ଭଳିକି ଭଳି ବୋଇତ ଓ ଡଙ୍ଗା ନଦୀ, ପୋଖରୀ ଆଦି ଜଳାଶୟରେ ଭସାଇ ଓଡ଼ିଆ ଘରର ଲୋକେ ପ୍ରାଚୀନ ସ୍ମୃତି ମନେ ପକାଇଥାନ୍ତି। ଏଥିସହ ସରିବାକୁ ଯାଉଛି ପବିତ୍ର ଧର୍ମ ମାସ କାର୍ତ୍ତିକ ମାସ।

Tags: #BoitaBandana #Tradition #Culture #Odisha #KartikPurnima

Comment