ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଙ୍ଗନବାଡ଼ି ସଂଘ ଭଳି ଶିକ୍ଷକ ସଂଘରେ ଦେଖିବାକୁ ମିଳିଛି ଫାଟ। ଗୋଟିଏ ଗୋଷ୍ଠୀର ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି। ଅଙ୍ଗନବାଡ଼ି ସଂଘ ଭଳି ଶିକ୍ଷକ ଆନ୍ଦୋଳନରେ ପଲିଟିକାଲ ଲିଙ୍କ୍ ରହିଥିବା ଚର୍ଚ୍ଚା ହେଉଛି।

ଗ୍ରେଡ ପେ ବଢ଼ାଇବା ଦାବିରେ ଆନ୍ଦୋଳନରେ ବସିଥିବା ଶିକ୍ଷକ ସଂଘରେ ଫାଟ। ଏହାକୁ ନେଇ ବିଜେପି ଏବଂ ବିଜେଡି ରାଜନୀତିକ ଫାଇଦା ନେବା ପାଇଁ ଉଦ୍ୟମ କରୁଛନ୍ତି। ଧାରଣାସ୍ଥଳକୁ ବିଜେପି ଏବଂ ବିଜେଡି ନେତା ଆସି ଶିକ୍ଷକଙ୍କ ସାଥ୍ ଦେଉଛନ୍ତି। ଫଳରେ ସଂଘ ଦୁଇ ଫାଳ ହୋଇଯାଇଛି। ରାଜନୀତି ପଶାପାଲିରେ ଶିକ୍ଷକଙ୍କ ଭବିଷ୍ୟତ ଛନ୍ଦି ହୋଇଯାଇଛି।

ଦାବି ପୂରଣ ନେଇ ଆନ୍ଦୋଳନ କରୁଥିବା ଶଇକ୍ଷା ସହାୟକ ଓ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟମାନଙ୍କୁ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ଡାକିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହେଲା। କିଛି ସମୟରେ ସଂଘ ସଭାପତି ଆନ୍ଦୋଳନ ସ୍ଥଗିତ ହେଲା ବୋଲି ଘୋଷଣା କରିଥିଲେ ପ୍ରାଥମିକ ଶିକ୍ଷକ ସଂଘ। ହେଲେ ଏଥିରେ ରାଜି ହେଲେନି ଶିକ୍ଷା ସହାୟକ ସଂଘ। ଫଳରେ ସେମାନେ ରାସ୍ତା ଅବରୋଧ କଲେ। ସନ୍ଧ୍ୟାରେ ପୁଣି ଆଲୋଚନା ପାଇଁ ଡାକିଲେ ମନ୍ତ୍ରୀ। ହେଲେ କୌଣସି ରାସ୍ତା ଫିଟିଲାନି।

ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା କହିଛନ୍ତି, “ଆମେ ଶିକ୍ଷାଦାନ କରି ସମାଜ ଗଠନ କରୁଛୁ। ଆମ ଉପରେ କୌଣସି ରାଜନୈତିକ ବ୍ୟକ୍ତି ଚାପ ପକାଇବେ ନାହିଁ। ସରକାର ଆମ ଦାବି ପୂରଣ କଲେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିନେବୁ।”

ଏପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ତେବେ ଶିକ୍ଷକ ଆନ୍ଦୋଳନରେ ପଲିଟିକାଲ ଲିଙ୍କ୍‌ ଥିବା ଚର୍ଚ୍ଚା ହେଉଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ଶୁଣିବା ପରିବର୍ତ୍ତେ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ୁଛି।”

 

LEAVE A REPLY

Please enter your comment!
Please enter your name here