ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ସ୍ମୃତିବନ ଯାହା ପାଲଟିଛି ନିଜ ପ୍ରିୟଜନଙ୍କ ସ୍ମୃତି ରକ୍ଷା ସହ ପରିବେଶ ସୁରକ୍ଷାର ଅଭିନବ ଉଦ୍ୟମ। ପଢନ୍ତୁ ବରିଷ୍ଠ ସାମ୍ବାଦିକ ଶତ୍ରୁଜିତଙ୍କର ଅଙ୍ଗେନିଭା କଥା!

୨୦୦୨ ମସିହାର ନଭେମ୍ବର ମାସ ୭ ତାରିଖ। ଏହିଦିନ ମୋ ବୋଉ ମାତ୍ର ୫୦ ବର୍ଷ ବୟସରେ ଏକ ଦୁର୍ଘଟଣାରେ ଆମମାନଙ୍କୁ ଛାଡ଼ି ସେପୁରକୁ ଚାଲିଗଲା। ଏହା ଏତେ ଆକସ୍ମିକ ଥିଲା ଯେ, ଆଜି ବି ସେଦିନର କଥା ମନେପଡ଼ିଲେ ଦେହ ଶୀତେଇ ଉଠୁଛି।

ଇତିମଧ୍ୟରେ ପନ୍ଦର ବର୍ଷ ବିତିଗଲାଣି। ବୋଉ ବଞ୍ଚିଥିଲେ ଏବେ ତାକୁ ୬୫ ବର୍ଷ ହୋଇଥାଆନ୍ତା। ଆଜିର ଦିନରେ ୬୫ ଅବା କେତେ! ବୋଉକୁ ତ ହରେଇଛୁ, ତେବେ ତା’ର ସ୍ମୃତି ରକ୍ଷା ପାଇଁ ଆମେ ଉଦ୍ୟମ କରିଛୁ। ଆମ ପରିବାର ପକ୍ଷରୁ ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ (ମୋ’ ଗାଁଟି ଏହି ବ୍ଲକ ଅଧୀନସ୍ଥ) ସର୍ବାଧିକ ମାର୍କ ରଖୁଥିବା କୃତି ଛାତ୍ରୀ/ଛାତ୍ରଙ୍କୁ ବୋଉ ନାଁରେ ‘ଅଞ୍ଜଳି ମିଶ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଉଛି।

ତେବେ ବୋଉ ଯିବାର ଚଳିତ ବର୍ଷ ପନ୍ଦର ବର୍ଷ ହୋଇଯାଉଥିବାରୁ ଆଉ କିଛି ଅଧିକ କାମ କରିବାକୁ ମୋର ଇଚ୍ଛା ହେଲା। ଏବେ ସେହି ଇଚ୍ଛା ଫଳବତୀ ହୋଇଛି ଅତ୍ୟନ୍ତ ‘ସମ୍ମାନଜନକ ଭାବେ’। ଭୁବନେଶ୍ୱରର ପାତ୍ରପଡ଼ାଠାରେ ଜାତୀୟ ରାଜପଥ କଡ଼ରେ ଥିବା ‘ସ୍ମୃତିବନ’ରେ ଆମେ ବୋଉର ସ୍ମୃତିରେ ଏକ ଚାରା ରୋପଣ କରିଛୁ।

ଏମିତି ଦେଖିଲେ, ଏହା ଅନେକଙ୍କୁ ଏକ ସାଧାରଣ ଘଟଣା ଭଳି ମନେହୋଇପାରେ। ହଃ!, ନିଜ ମାଆଙ୍କ ସ୍ମୃତିରେ ତ ଗଛଟେ ଲଗାଗଲା, ଇଏ ଅବା କି ବଡ଼ କାମଟେ! କିନ୍ତୁ ଟିକିଏ ନିରିଖେଇ ଦେଖିଲେ, ଜାଣିହେବ ଏହା କିଭଳି ମୋ ଭଳି ଜଣେ ସାଧାରଣ ଲୋକ (ଯାହାର ରାଜଧାନୀ ଭଳି ମହଙ୍ଗା ମହାନଗରରେ ଜାଗା ଖଣ୍ଡେ ନାହିଁ) ପାଇଁ ବେଶ୍ ବଡ଼ କାମଟିଏ।

ରାଜଧାନୀରେ ଘର କିମ୍ବା ଜାଗାବାଡ଼ି ନାହିଁ। ଗାଁକୁ ଫେରିଯିବା ଭଳି ପରିସ୍ଥିତି ବି ନାହିଁ। ଏଭଳି ସ୍ଥିତିରେ ଏଇଠି ମୋ ଆଖପାଖରେ ବୋଉର ସ୍ମୃତିରକ୍ଷା ପାଇଁ ମୁଁ କ’ଣ ଅବା କରିପାରଥାନ୍ତି! ‘ସ୍ମୃତିବନ’ ମୋତେ ଏଥିପାଇଁ ଏକ ଚମତ୍କାର ସୁଯୋଗ ଦେଇପାରିଛି। ବୋଉର ସ୍ମୃତିରେ ମୁଁ ସ୍ମୃତିବନରେ ଗୋଟିଏ ଚାରା ରୋପଣ କରିବା ସହିତ ତା’ ପାଖରେ ବୋଉର ଜନ୍ମ, ମୃତ୍ୟୁ ତାରିଖ ଓ ଆମ ପରିବାର ସଂପର୍କରେ ସଂକ୍ଷିପ୍ତ ତଥ୍ୟ ସମ୍ବଳିତ ଏକ ସ୍ମୃତିଫଳକ ମଧ୍ୟ ଲଗାଇପାରିଛି। ଏବେ ମୁଁ ଆଶ୍ୱସ୍ତ। ଅନ୍ତତଃ ରାଜଧାନୀ ଭୁବନେଶ୍ୱରରେ ମୋ ବୋଉର ସ୍ମୃତିରେ ଫଳକଟିଏ ତ ରଖିପାରିଲି, ତା’ ପୁଣି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ଏକ ସ୍ଥାନରେ। ଏଣିକି ମୁଁ ଯେତେବେଳେ ଚାହିଁବି, ସ୍ମୃତିବନକୁ ଯାଇ ସେ ଚାରାଟିକୁ (ତଥା ତା’ର କ୍ରମବର୍ଦ୍ଧମାନ କାୟାକୁ) ଏବଂ ବୋଉର ନାଁ ଲେଖାହୋଇଥିବା ସ୍ମୃତି ଫଳକକୁ ଦେଖିପାରିବି। ସେଠାରେ ଅତି ମନୋରମ ପ୍ରାକୃତିକ ପରିବେଶରେ କିଛି ସମୟ ବିତାଇପାରିବି, ମୋ ବୋଉକୁ ମନେପକାଇବି।

ଏଥର ଭାବିଲେ, ଇଏ କ’ଣ ଛୋଟିଆ କଥାଟିଏ। କେବଳ ମୁଁ ନୁହେଁ, ଯେ କେହି ଚାହିଁଲେ ନିଜ ପ୍ରିୟଜନଙ୍କ ସ୍ମୃତିକୁ ଏଭଳି ଚମତ୍କାର ମନୋରମ ଢଙ୍ଗରେ ଉଜ୍ଜୀବିତ କରି ରଖିପାରିବେ। ଏବେ ଆସନ୍ତୁ ଜାଣିବା, ଏ ସ୍ମୃତିବନ କ’ଣ?

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୫ ମସିହା ଜାନୁଆରୀ ମାସରୁ ଆରମ୍ଭ ହୋଇଛି ଏହି ସ୍ମୃତିବନ। ଏହାକୁ ଦୁଇଟି ଭାଗ କରାଯାଇଛି- ସ୍ମୃତି ବାଟିକା ଓ ଶ୍ରଦ୍ଧା ବାଟିକା। ଜଣେ ବ୍ୟକ୍ତି ନିଜର ପରଲୋକଗତ ପ୍ରିୟଜନଙ୍କ ସ୍ମୃତିରେ ସ୍ମୃତି ବାଟିକାରେ ଗଛ ଲଗେଇପାରିବେ। ସେହିଭଳି ନିଜର କୌଣସି ସ୍ମରଣୀୟ ଦିନକୁ (ଯଥା ନିଜର ବା ପ୍ରିୟଜନଙ୍କ ଜନ୍ମଦିନ, ବିବାହବାର୍ଷିକୀ, କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ବା ସେହିଭଳି କୌଣସି ସ୍ମରଣୀୟ ଦିନ) ଅଧିକ ସ୍ମରଣୀୟ କରିବା ପାଇଁ ଶ୍ରଦ୍ଧା ବାଟିକାରେ ଗଛ ଲଗାଇପାରିବେ।

ଏଥିପାଇଁ ଆପଣଙ୍କୁ ସ୍ମୃତିବନ କାର୍ଯ୍ୟାଳୟରେ ଉପଲବ୍ଧ ଫର୍ମ ପୂରଣ କରି ଆଠ ହଜାର ଟଙ୍କାର ଡ୍ରାଫ୍ଟ୍ ଦାଖଲ କରିବାକୁ ପଡ଼ିବ। ସ୍ମୃତିବନରେ ଆପଣ ନିଜ ମନଇଚ୍ଛା ଯେ କୌଣସି ଗଛ ଲଗେଇପାରିବେ ନାହିଁ। ବନର ସୌନ୍ଦର୍ଯ୍ୟ ରକ୍ଷା ତଥା ସନ୍ତୁଳନ ଓ ସମତା ରକ୍ଷା ପାଇଁ ମାତ୍ର ଚାରିଟି ଗଛ ଲଗେଇବାର ବ୍ୟବସ୍ଥା ରହିଛି- ଅଶୋକ, ନିମ୍ବ, ରକ୍ତଚନ୍ଦନ ଏବଂ ବଉଳ। ଆପଣ ଏହି ଚାରିଟି ଗଛ ମଧ୍ୟରୁ କୋଉ ଗଛଟି ଲଗାଇବାକୁ ଚାହୁଁଛନ୍ତି ଏବଂ ସ୍ମୃତି ଫଳକରେ କ’ଣ ଲେଖିବାକୁ ଚାହୁଁଛନ୍ତି, ସେ ସମସ୍ତ ତଥ୍ୟ ଫର୍ମରେ ପୂରଣ କରିବେ।

ସ୍ମୃତିବନ କର୍ତ୍ତୃପକ୍ଷ ଆପଣଙ୍କୁ ଗଛ ଏବଂ ଲିଖିତ ସ୍ମୃତିଫଳକ ଯୋଗାଇଦେବେ। ଆପଣ ଯେଉଁଦିନ ଏହି ଫଳକ ଲଗାଇବାକୁ ଚାହୁଁଛନ୍ତି, ତା’ର ଆଠ/ଦଶ ଦିନ ପୂର୍ବରୁ ଫର୍ମ ପୂରଣ କରି ଡିମାଣ୍ଡ ଡ୍ରାଫ୍ଟ୍ ସହିତ ଦାଖଲ କଲେ, ନିର୍ଦ୍ଧାରିତ ଦିନ ବେଳକୁ ଫଳକ ଲେଖାହୋଇରହିଥିବ। ନିର୍ଦ୍ଦିଷ୍ଟ ଦିନରେ ଆପଣ ପହଞ୍ଚି ଚାରା ଓ ଫଳକ ଲଗେଇବେ। ଚାରାଟିର ସମ୍ବର୍ଦ୍ଧନ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ମୃତିବନ କର୍ତ୍ତୃପକ୍ଷଙ୍କର।

ସ୍ମୃତିବନ ମଧ୍ୟରେ ୧୧୫୦ଟି ଗଛ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଯାବତ୍ ୩୫୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଛି। ଯଦି ଆପଣ ସତରେ ନିଜର ପ୍ରିୟଜନଙ୍କ ସ୍ମୃତିକୁ ଏଭଳି ଅଭିନବ ଢଙ୍ଗରେ ସ୍ମରଣୀୟ କରି ରଖିବାକୁ ଚାହୁଁଛନ୍ତି, ସ୍ଥାନ ପୂରଣ ହେବା ପୂର୍ବରୁ ଯଥାଶୀଘ୍ର ଯାଇ ସ୍ମୃତିବନରେ ଚାରାଟିଏ ରୋପଣ କରିପାରନ୍ତି।

ମୋ ବୋଉଙ୍କ ସ୍ମୃତିରେ ଆମେ ଅଶୋକ ଚାରା ରୋପଣ କରିଛୁ। ଆମ ଯୁକ୍ତି ହେଲା, ଅଶୋକ ଗଛ ମହିଳାଙ୍କ ଯାବତୀୟ ରୋଗର ଔଷଧି ଯୋଗାଏ। ମାଆ ସୀତାଙ୍କୁ ରାବଣ ଅଶୋକ ବନରେ ରଖିଥିଲା। ମହାରାଣୀ ମାୟା ଏକ ଅଶୋକ ବୃକ୍ଷ ତଳେ ଭଗବାନ ବୁଦ୍ଧଙ୍କୁ ଜନ୍ମ ଦେଇଥିଲେ। କାମଦେବଙ୍କ ପଞ୍ଚ ପୁଷ୍ପବାଣ ମଧ୍ୟରେ ଗୋଟିଏ ହେଲା, ଅଶୋକ ଫୁଲ। ତେଣୁ ଏଭଳି ଏକ ଗଛ ଲଗେଇ ମୋ ବୋଉଙ୍କ ସ୍ମୃତିକୁ ଆମେ ଯଥାର୍ଥ ସମ୍ମାନ ଦେଇପାରିଛୁ ବୋଲି ମୁଁ ଭାବେ।

ମନେରଖନ୍ତୁ, ସ୍ମୃତିବନରେ ଗଛ ଲଗେଇ ଆପଣ କେବଳ ନିଜ ପ୍ରିୟଜନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖୁନାହାନ୍ତି, ତା’ ସହିତ ପରିବେଶର ସୁରକ୍ଷା ଦିଗରେ ନିଜର ଯୋଗଦାନ ମଧ୍ୟ ରଖୁଛନ୍ତି।

ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆପଣ ସ୍ମୃତିବନ ଦାୟିତ୍ୱରେ ଥିବା ଫରେଷ୍ଟର ପବିତ୍ର କୁମାର ଦାସଙ୍କ ସହ ୯୯୩୮୫ ୪୧୬୬୧ ନମ୍ବରରେ ଯୋଗାଯୋଗ କରିପାରିବେ।

1 COMMENT

LEAVE A REPLY

Please enter your comment!
Please enter your name here