ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଶନ୍‌-୧୨୦ ଯୁଦ୍ଧ ପୂର୍ବରୁ ରାଜ୍ୟ ବିଜେପିକୁ ଲାଗିଛି ବଡ଼ ଝଟକା। ବିଭିନ୍ନ ମାମଲାରେ ବିଜେପିର ୧୭ ନେତା ଏବଂ କର୍ମୀ ଜେଲ୍‌ ଯାଇଥିବାରୁ ବିଜେଡି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି।

ଓଡ଼ିଶାରେ ବିଜେପିର ଗତି କେଉଁଆଡେ?

୨୦୧୯ ନିର୍ବାଚନ ଯୁଦ୍ଧରେ ୧୨୦ ଆସନ ଜିତିବା ସହିତ ସରକାର ଗଠନ ପାଇଁ ଦଳ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି ସତ । ହେଲେ ଦଳ ବିଗତ କିଛି ଦିନ ଧରି କଷ୍ଟକର ସମୟ ଦେଇ ଗତି କରୁଛି। ବିଜେପି ପକ୍ଷରୁ କୁହାଯାଉଛି ଏହା ରାଜନୈତିକ ଆକ୍ରୋଶ। କିନ୍ତୁ ବାସ୍ତବତା ହେଉଛି ଶାସକ ବିଜେଡି ବିଜେପିର ଲଗାମ ଧରିବାରେ ସଫଳ ହୋଇଛି।
ଗୋଟିଏ ପଟେ ବିଜେପିର ତମାମ ନେତା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ହଲାପଟା କରୁଥିବା ବେଳେ ତେଣେ ବିଚରା ବିଜେପିର ଜଣକ ପରେ ଜଣେ ଗିରଫ ହୋଇ ଜେଲ ଯାଉଛନ୍ତି। ଗତ କିଛି ଦିନ ମଧ୍ୟରେ ବିଜେପିର ୧୭ ଜଣ ନେତା ଓ କର୍ମୀଙ୍କୁ ବିଭିନ୍ନ ମାମଲାରେ ମାମୁ ଘର ପଠାଇ ଦିଆଯାଇଛି। ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଅଭିଯୋଗରେ ଏବଂ ଅନ୍ୟ ମାମଲାରେ ପୋଲିସ ବିଜେପିର ଜଣେ ତୁଙ୍ଗ ନେତାଙ୍କ ସମେତ ଏତେ ଲୋକଙ୍କୁ  ଗିରଫ କରିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ବିଜେପି ହିଁ ପ୍ରକୃତରେ ଘାଇଲା।
ରବିବାର ରାତିରେ ବାରିପଦାରେ ଦଳର ଜଣେ ନେତାଙ୍କୁ ଜାଲିଆତି ଅଭିଯୋଗରେ ଗିରଫ କରାଯାଇଛି। ତା ପୂର୍ବରୁ ଅନ୍ୟ ଜଣେ ଆଗ ଧାଡ଼ିର ନେତାଙ୍କୁ ଛତ୍ରପୁର ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରଯାଇଥିଲା।
ବିଜେପିର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ୪୨୦ ଦଫାରେ କମିଶନରେଟ୍ ପୋଲିସ କଟକରେ ଗିରଫ କରିଥିଲା। ଜମି ଯୋଗାଇ ଦେବାକୁ କହି କୋଟିଏ ଟଙ୍କା ହଡ଼ପ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ତାଙ୍କ ବିରୋଧରେ। ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ଜଣେ ମହିଳା । ଏଣୁ ମାମଲା ଆହୁରି ଜଟିଳ। କାଗଜପତ୍ର ଜାଲିଆତି ବ୍ୟତୀତ ଚେକ୍ ବାଉନ୍ସ ଅଭିଯୋଗ ସଂଗିନ।
ସେହିଭଳି ଛତ୍ରପୁର ଲକ୍ଷ୍ମୀଦତ୍ତ ମାମଲାରେ ଗଞ୍ଜାମ ପୋଲିସ ଗୋଲକ ମହାପାତ୍ରଙ୍କୁ ଦୁଇ ଥର ଜେରା କରିଛି। ଲକ୍ଷ୍ମୀଦତ୍ତ ହତ୍ୟାର ଗୋଲକ ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ହୋଇଛି।
ଅନ୍ୟ ଏକ ଘଟଣାରେ ବଲାଙ୍ଗିର ଜିଲ୍ଲାରେ ବିଜେପିର ଜଣେ ନେତା ଗିରଫ ହୋଇଛନ୍ତି। ବିଭିନ୍ନ ପ୍ରକାରର ବିପଦପୂର୍ଣ୍ଣ ସାମଗ୍ରୀ ଯଥା ଜେଲାଟିନ ସ୍ଟିକ୍, ସଲଫର ପାଉଡର ଆଦି ଚାଲାଣ ଅଭିଯୋଗରେ କଣ୍ଟାବାଞ୍ଜି ମଣ୍ଡଳର ମୁରାରି ଲାଲ ଅଗ୍ରୱାଲ ଓ ତାଙ୍କ ପୁଅ ମହେଶ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି।ଗୋଳା ବାରୁଦ ବିକ୍ରି ସଂକ୍ରାନ୍ତ କାଗଜପତ୍ର ନଥିବାରୁ ସେ ପୋଲିସ ହାବୁଡ଼ରେ ପଡିଛନ୍ତି। ଅଭିଯୋଗ ହୋଇଛି ଯେ ୨୦୧୦ରୁ ତାଙ୍କ ଲାଇସେନ୍ସର ଅବଧି ଶେଷ ହୋଇଛି। ଗିରଫ ହେବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଛି।

ଅନ୍ୟ ଏକ ଘଟଣା ଉପରେ ନଜର ପକେଇବା। ବିଜେପି ଯୁବ ମୋର୍ଚ୍ଚାର ବୌଦ୍ଧ ଜିଲ୍ଲାର ଜଣେ ନେତା ଚିଟଫଣ୍ଡ ସ୍କାମ୍ରେ ଗିରଫ ହୋଇଛନ୍ତି।ବୌଦ୍ଧ ବିଜେୱାଇଏମ ସଭାପତି ନାରାୟଣ କର୍ମି ଟଙ୍କା ଦୁଇ ଗୁଣ କରିଦେବା ଲୋଭ ଦେଖାଇ ବେଶ୍ କିଛି ଲୋକଙ୍କୁ ଠକିଥିଲେ।

ଗତ ପଂଚାୟତ ନିର୍ବାଚନରେ ବିଜେପିକୁ ବିରାଟ ବଡ଼ ସଫଳତା ମିଳିଥିଲା।ଏହି ସଫଳତା ହାସଲ ପରେ ଶାସକ ବିଜେଡି ଅଗ୍ନିମୁଖା ହୋଇ ମିଛ ମାମଲାରେ ଆମ ଦଳର ନେତାଙ୍କୁ ଗିରଫ  କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ସଭାପତି।
“ବହୁ ପୁରୁଣା ମାମଲାରେ ଆମ ନେତାଙ୍କୁ ଗିରଫ କରାଯାଉଛି।ବିଜେପି ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଥିବା କାରଣରୁ ଶାସକ ଦଳ ଆମ ନେତା ଓ କର୍ମୀଙ୍କୁ ଭୟଭୀତ କରୁଛି”,- ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

 

LEAVE A REPLY

Please enter your comment!
Please enter your name here