ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ଷ୍ଟେସନରୁ ଏହି ଟ୍ରେନ୍ ଆଜମେର-ପୁଷ୍କରକୁ ଯାତ୍ରା କରିଛି।

  • ଆଜମେର-ପୁଷ୍କରକୁ ଗଲା ସ୍ବତନ୍ତ୍ର ଟ୍ରେନ୍
  • ୧୦୨୪ ବରିଷ୍ଠ ନାଗରିକ ଗଲେ ତୀର୍ଥରେ
  • ତୀର୍ଥଯାତ୍ରୀଙ୍କ ପାଖରେ ବସି କଥା ହେଲେ ମୁଖ୍ୟମନ୍ତ୍ରୀ
  • ଡିସେମ୍ବର-ଜାନୁୟାରୀରେ ସମ୍ବଲପୁରରୁ ଯାତ୍ରା କରିବ ଆଉ ଦୁଇଟି ଟ୍ରେନ୍

ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।୨୦୧୭ ବର୍ଷ ପାଇଁ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ରେଳ ଷ୍ଟେସନରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବେନଶ୍ବର ରେଳ ଷ୍ଟେସନରୁ ଆଜମେର- ପୁଷ୍କରକୁ ଏକ ସ୍ବତନ୍ତ୍ର ଟ୍ରେନ୍ ବରିଷ୍ଠ ନାଗରିକମାନଙ୍କୁ ନେଇ ଯାଇଛି। ଏହି ଟ୍ରେନଟି ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ବୁଲାଇ ୩୦ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ। ମୋଟ୍ ୧୦୨୪ ଜଣ ତୀର୍ଥଯାତ୍ରୀ ଏଥିରେ ସାମିଲ୍ ହୋଇ ତୀର୍ଥଯାତ୍ରା କରିଛନ୍ତି।

ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ଟ୍ରେନ୍‌ରେ ଚଢ଼ିଥିଲେ। ବରିଷ୍ଠ ନାଗରିକଙ୍କ ପାଖରେ ବସି କଥା ହୋଇଥିଲେ। ଏହାସହ ସେମାନଙ୍କ ଯାତ୍ରା ପାଇଁ ଶୁଭ ମନାସୀ ଥିଲେ।

ତୀର୍ଥ ଯାତ୍ରା ପାଇଁ  ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଇଛୁକ ତୀର୍ଥଯାତ୍ରୀମାନେ ଆବେଦନ କରିଥିଲେ। ୬୦ରୁ ୭୫ ବର୍ଷର ବୃଦ୍ଧବୃଦ୍ଧାମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏହି ତୀର୍ଥଯାତ୍ରାରେ ସାମିଲ୍ କରାଯାଇଛି। ୭୦ରୁ ୭୫ ବର୍ଷର ତୀର୍ଥଯାତ୍ରୀଙ୍କ ପାଇଁ ୭୦ ପ୍ରତିଶତ ରିହାତି ରହିଛି। ବିପିଏଲ ପରିବାର ପାଇଁ ୧୦୦ ପ୍ରତିଶତ ଏବଂ ଏପିଏଲ ହିତାଧିକାରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି କରାଯାଇଛି।

ଆଗାମୀ ଡିସେମ୍ବର ମାସରେ ବ୍ରହ୍ମପୁର ଏବଂ ଜାନୁଆରୀରେ ସମ୍ବଲପୁରରୁ ପୃଥକ ଭାବେ ଦୁଇଟି ଟ୍ରେନ୍ ଅନ୍ୟ ତୀର୍ଥଯାତ୍ରୀମାନଙ୍କୁ ନେଇ ତୀର୍ଥସ୍ଥାନ ପରିଭ୍ରମଣରେ ବାହାରିବ।

୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦୦୦ ବରିଷ୍ଠ ନାଗରିକ ମଦୁରାଇ, ରାମେଶ୍ବରମ୍, ଆହ୍ଲାବାଦ, ବାରଣାସୀ, ଋଷିକେଷ ଏବଂ ହରିଦ୍ବାର ଯାତ୍ରା କରିଥିଲେ।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, “ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଏଭଳି ଏକ ସୁନ୍ଦର ଯୋଜନା କରିଛନ୍ତି। ଫଳରେ ତୀର୍ଥଯାତ୍ରୀମାନଙ୍କର ଯିବା ଆସିବା, ରହିବା ଏବଂ ଖାଇବାରେ କୌଣସି ଅସୁବିଧା ହେବ ନାହିଁ। ପ୍ରତି ବଗି ପାଇଁ ଜଣେ ଜଣେ ଆଟେଡାଣ୍ଟଙ୍କୁ ଆମେ ନିୟୋଜନ କରିଛୁ। ତୀର୍ଥସ୍ଥଳୀରେ ପହଞ୍ଚିବା ପରେ ସେମାନଙ୍କୁ ତୀର୍ଥ ସ୍ଥାନ ସମ୍ପର୍କରେ ଏହି ଆଟେଡାଣ୍ଟମାନେ ବୁଝାଇବେ।  ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରାନ୍ତରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା କରିବାର ବ୍ୟବସ୍ଥା କରାଯାଉଛି।”

LEAVE A REPLY

Please enter your comment!
Please enter your name here