ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ପ୍ରଭାତ ବିଶ୍ବାଳଙ୍କୁ କାହିଁକି ମେଡିକାଲରେ ରଖାଯାଇଛି? ଏ ସମ୍ପର୍କରେ ବିଜେପି ପ୍ରଶ୍ନ ପଚାରି ରାଜରାସ୍ତାକୁ ଓହ୍ଲାଇଛି।

ଅସୁସ୍ଥତା କାରଣରୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପ୍ରଭାତ ବିଶ୍ବାଳ। ଏହାକୁ ବିରୋଧ କରି ଗୁରୁବାର ରାଜରାସ୍ତାକୁ ଓହ୍ଲାଇଛି ବିଜେପି। କଟକ ଲିଙ୍କ୍‌ ରୋଡରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଭାତଙ୍କୁ କାହିଁକି ମେଡିକାଲରେ ରଖାଯାଇଛି ବୋଲି ବିଜେପି ପ୍ରଶ୍ନ କରିଛି। ପ୍ରଭାତଙ୍କୁ ତୁରନ୍ତ ଜେଲକୁ ପଠାଯାଉ ବୋଲି ବିଜେପି ଦାବି କରିଛି।

ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍ ଅଭିଯୋଗରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। ସେପ୍ଟେମ୍ବର ୧୯ରେ ପ୍ରଭାତ ଗିରଫ ହୋଇଥିଲେ। ୨୦ ତାରିଖରେ ପ୍ରଭାତଙ୍କୁ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ପରେ ପ୍ରଭାତଙ୍କୁ ଅଧିକ ଜେରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡରେ ଆଣିଥିଲା। ହେଲେ ପ୍ରଭାତ ଜେରା ବେଳେ ଅସୁସ୍ଥ ହୋଇ ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ କରୀକ୍ଷା କରି ସିବିଆଇ ଝାରପଡ଼ା ଜେଲରେ ଛାଡ଼ି ଦେଇଥିଲେ।

ହେଲେ ପ୍ରଭାତଙ୍କ ସ୍ବାସ୍ଥ୍ୟ ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ହେଲେ ପ୍ରଭାତଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଫଳରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଭାତଙ୍କୁ ଏସସିବି ମେଡିକାଲକୁ ପଠା ଯାଇଥିଲା।

ଅଣ୍ଟା, ମେରୁଦଣ୍ଡରେ ଯନ୍ତ୍ରଣା ଅନୁଭବ କରିଥିଲେ ପ୍ରଭାତ। ଏଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏସସିବି ମେଡିକାଲ ପଠା ଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ ଡାକ୍ତର କହିଥିଲେ। ସେପ୍ଟେମ୍ବର ୨୬ରୁ ପ୍ରଭାତ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରାୟ ଦୁଇ ମାସ ହେଲା ପ୍ରଭାତ ଚିକିତ୍ସାଧୀନ ଥିବାରୁ ବାସ୍ତବରେ ତାଙ୍କର କଣ ହୋଇଛି ସେ ସମ୍ପର୍କରେ ଖୁଲାସା କରିବାକୁ ବିଜେପି ଦାବି କରିଛି।

ବିଜେପି ଯୁବମୋର୍ଚ୍ଚା ନେତା ସିକନ୍ଦର ଅଲ୍ଲୀ କହିଛନ୍ତି, “ଶାସକ ଦଳ ପ୍ରଭାତଙ୍କୁ ଜାଣିଶୁଣି ମେଡିକାଲରେ ରଖିଛନ୍ତି। ତଦନ୍ତରେ ବାଧା ସୃଷ୍ଟି କରାଯାଉଛି। ଏଣୁ ତାଙ୍କୁ ତୁରନ୍ତ ଜେଲକୁ ପଠାଯାଉ।”

 

Comment