ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସଙ୍ଗ ଗୋଟିଏ। ପ୍ରତିବାଦ ଭିନ୍ନ। ଏମିତି ଢଙ୍ଗରେ ଆଜି ଅଚଳ ହୋଇଛି ବିଧାନସଭା। ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଆଜି ଗୃହ ହୁଲସ୍ତୁଲ୍ ହୋଇଛି। ବିଜେଡି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ କଂଗ୍ରେସ ଏବଂ ବିଜେପି ଧାନଗଛ ଦେଖାଇ ଗୃହରେ ହଙ୍ଗାମା କରିଛି।

  • ଆରମ୍ଭରୁ ବିଧାନସଭା ଅଚଳ
  • ଚାଷୀ ପ୍ରସଙ୍ଗରେ ଧୋଇଗଲା ଶିତ ଅଧିବେଶନର ପ୍ରଥମ ଦିନ
  • ଧାନଗଛ-ପ୍ଲାକାର୍ଡ ଦେଖାଇ ହଙ୍ଗାମା କଲେ ବିରୋଧୀ
  • ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲା ବିଜେଡି

ହାତରେ ଥିଲା ଧାନକେଣ୍ଡା ଓ ପ୍ଲାକାର୍ଡ। ମୁହଁରେ ଥିଲା ସରକାର ବିରୋଧୀ ସ୍ଲୋଗାନ। ଏଭଳି ଦୃଶ୍ୟ ଆଜି ରାଜ୍ୟ ବିଧାନସଭାରେ ଦେଖିବାକୁ ମିଳିଛି। ବିରୋଧୀ କଂଗ୍ରେସ ଏବଂ ବିଜେପିର ସଦସ୍ୟମାନେ ଏଭଳି ଢଙ୍ଗରେ ଆଜି ଗୃହ ହୁଲ୍‌ସ୍ତୁଲ୍ କରିଛନ୍ତି। ଏପଟେ ଶାସକ ବିଜେଡି ସଭ୍ୟ ବି ବିରୋଧୀଙ୍କୁ ଦେଇଛନ୍ତି ଜବାବ। ଗୃହ ଭିତରେ ବିରୋଧୀ ସଭ୍ୟ ହଙ୍ଗାମା କରିବା ପରେ ଶାସକ ସଭ୍ୟ ଗୃହ ବାହାରେ  ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଦେଇଥିଲେ ଧାରଣା। ଉଭୟ ଶାସକ ଏବଂ ବିରୋଧୀ ସଭ୍ୟଙ୍କ ହୋ ହଲ୍ଲାରେ ଶିତ ଅଧିବେଶନର ପ୍ରଥମ ଦିନ ଧୋଇ ହୋଇଯାଇଛି।

ମଙ୍ଗଳବାର ଆରମ୍ଭ ହୋଇଛି ବିଧାନସଭାର ଶିତକାଳୀନ ଅଧିବେଶନ। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ବିଧାୟକ ଏବଂ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର କଂଗ୍ରେସ ବିଧାୟକ ହାତରେ ଧାନ ଗଛ ଧରି ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ମାଡ଼ି ଆସିଥିଲେ। ଚାଷୀ ସମସ୍ୟା ଆଲୋଚନା କରିବାକୁ ଦାବି କରି ହୋ ହଲ୍ଲା କରିଥିଲେ।

କଂଗ୍ରେସ, ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ପ୍ରଥମେ ଗୃହକୁ ଅଧଘଣ୍ଟା ମୁଲତବି କରିଥିଲେ। ତେବେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣୀ ପୁଣି ଚାଷୀ ସମସ୍ୟାକୁ ନେଇ ଝଡ଼ ଦେଖାଦେଇଥିଲା। ଫଳରେ ବାଚସ୍ପତି ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଧାନସଭାରେ ପ୍ରଶ୍ନକାଳ ବାତିଲ କରି ଚାଷୀ ଏବଂ ଚାଷ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ବାଚସ୍ପତିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲି। ହେଲେ ଏହାକୁ ଗ୍ରହଣ କଲା ନାହିଁ। ଉଭୟ ବିଜେପି ଏବଂ ବିଜେଡି ଚାଷୀଙ୍କ ପାଇଁ ଚିନ୍ତିତ ନୁହନ୍ତି। ଚାଷୀ ସମସ୍ୟା ସମାଧାନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ।”

ବିଜେଡି ବିଧାୟକମାନେ ପୁଣି କେନ୍ଦ୍ର ଅବହେଳାକୁ ନେଇ ବର୍ଷିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିରେ ବିଜେଡି ବିଧାୟକମାନେ ଆଜି ଧାରଣା କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଚାଷୀ ସମସ୍ୟା ପ୍ରତି ଆଦୌ ଗୁରୁତ୍ବ ଦେଉ ନଥିବା ବିଜେଡି ଅଭିଯୋଗ କରିଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଚାଷୀ ସମସ୍ୟା ସମାଧାନ କରିବା ପାଇଁ ବିଜେଡି ସରକାରଙ୍କ ଆନ୍ତରିକତା ନାହିଁ। ୧୮ ବର୍ଷର ବିଜେଡି ଶାସନରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କୁ ନମ୍ନମାନର କୀଟନାଶ ଦିଆଯାଉଛି। ଏହାର ଉତ୍ତର ବିଜେଡି ବିଧାନସଭାରେ ରଖିବା ଦରକାର।”

Comment