ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମନାଥ ମନ୍ଦିରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଅଣହିନ୍ଦୁ ରେଜିଷ୍ଟରରେ ମାରିଛନ୍ତି ଦସ୍ତଖତ। ଏହାକୁ କାଉଣ୍ଟର କରିଛି ବିଜେପି। ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଛି।
ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି ତାକୁନେଇ ରାଜନୀତି ମାହୋଲ ସେତିକି ଜମୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଉପଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଘନଘନ କ୍ୟାମ୍ପେନକୁ ନେଇ ଗୁଜୁରାଟ ରାଜନୀତି ସରଗରମ୍ ହୋଇଯାଇଛି। ଏହି ଜୋରଦାର କ୍ୟାମ୍ପେନ ଭିତରେ ରାହୁଲ ଗାନ୍ଧିଙ୍କ ଧର୍ମକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।
ରାହୁଲ ଗାନ୍ଧି ବୁଧବାର ପୁଣି ଯାଇଛନ୍ତି ମୁଜୁରାଟ ଗସ୍ତରେ। ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି କ୍ୟାମ୍ପେନ। ହେଲେ ଏହି ମନ୍ଦିର ଗସ୍ତ ବେଳେ ରାହୁଲ କରିଦେଇଛନ୍ତି ଏକ ଭୁଲ୍। ଅଣହିନ୍ଦୁ ରେଜିଷ୍ଟରରେ ଦସ୍ତଖତ କରି ଅଡ଼ୁଆରେ ପଡ଼ିଛନ୍ତି ରାହୁଲ୍। ଏହାକୁ ବିଜେପି କରିଛି ଟାର୍ଗେଟ।
ସୋମନାଥ ମନ୍ଦିରରେ ରହିଛି ଦୁଇଟି ରେଜିଷ୍ଟର। ଗୋଟିଏ ରେଜିଷ୍ଟର ହିନ୍ଦୁଙ୍କ ପାଇଁ ରହିଥିବା ବେଳେ ଆଉ ଗୋଟିଏ ରହିଛି ଅଣହିନ୍ଦୁଙ୍କ ପାଇଁ। ହେଲେ ରାହୁଲ ଏବଂ କଂଗ୍ରେସ ନେତା ଅହମ୍ମଦ ପଟେଲ୍ ଅଣହିନ୍ଦୁ ରେଜିଷ୍ଟରରେ ଦସ୍ତଖତ କରି ବିରୋଧୀ ବିଜେପିର ନାଶାନା ବନିଛନ୍ତି।
ଧର୍ମ ପ୍ରସଙ୍ଗକୁ ନେଇ ରାହୁଲଙ୍କ ମା’ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଭିନ୍ନ ମହଲରୁ ସମାଲୋଚିତ ହେଉଛନ୍ତି। ଏବେ ରାହୁଲ ଗୁଜୁରାଟ ନିର୍ବାଚନ ଉପଲକ୍ଷେ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି। ରାହୁଲଙ୍କ ଏହି ମନ୍ଦିର ଗସ୍ତକୁ ବିଗତ ଦିନରେ ବିଜେପି ନେତା ସବ୍ରମଣ୍ୟମ ସ୍ବାମୀ ଟାର୍ଗେଟ କରିଥିଲେ। କହିଥିଲେ, ରାହୁଲ ପ୍ରଥମେ ସ୍ପଷ୍ଟ କରନ୍ତୁ ସେ କେଉଁ ଧର୍ମର? କାରଣ ମୋତେ ରାହୁଲଙ୍କ ଧର୍ମକୁ ନେଇ ସନ୍ଦେହ ଲାଗୁଛି। ମୋତେ ଲାଗୁଛି ନୂଆଦିଲ୍ଲୀ ୧୦ ଜନପଥ ଭିତରେ ଚର୍ଚ୍ଚ ରହିଛି। ଏହି ସନ୍ଦେହକୁ ଆଜି ଅଧିକ ସୁଦୃଢ଼ କରିଛି ଅଣହିନ୍ଦୁ ରେଜିଷ୍ଟରରେ ଦସ୍ତଖତ।
ଗୁଜୁରାଟ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରାହୁଲ ପ୍ରଥମେ ହିଁ କ୍ୟାମ୍ପେନ ଆରମ୍ଭ କରିଥିଲେ। ଆଉ ସେ ଯେତେଥର ଗୁଜୁରାଟ ଗସ୍ତରେ ଯାଇଛନ୍ତି ସେତେଥର ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ରାହୁଲ ମନ୍ଦିରରେ ପୂଜାର୍ଚ୍ଚନାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା।








ସୋମନାଥ ମନ୍ଦିରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଅଣହିନ୍ଦୁ ରେଜିଷ୍ଟରରେ ମାରିଛନ୍ତି ଦସ୍ତଖତ। ଏହାକୁ କାଉଣ୍ଟର କରିଛି ବିଜେପି। ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଛି।









