ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜେପୁରବାସୀଙ୍କୁ ଲଲିପପ୍
  • ଗଙ୍ଗାଧର ମେହେର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ବରାଦ ହୋଇନି ଟଙ୍କା
  • ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ
  • ଗଙ୍ଗାଧର ମେହେରଙ୍କୁ ବି ଅପମାନିତ କରିଛନ୍ତି ସରକାର
  • ବିଜେଡି କହିଲା, “ଆମେ ଜୁମଲା ପାର୍ଟି ନୋହୁଁ। ଯାହା କହୁ ତାହା କରୁ”

ଗଙ୍ଗାଧର ମେହେର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପକୁ ନିର୍ବାଚନ ଲଲିପପ କହିଛି ବିଜେପି। ରାଜ୍ୟ ସରକାରଙ୍କର ଅତିରିକ୍ତ ବଜେଟରେ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ବୟବରାଦ କରାଯାଇନି। ବିଜେପୁରବାସୀଙ୍କ ପ୍ରତି ବିଜେଡି ଛଳନା କରିଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।

ବିଜେପୁର ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପକୁ ଗଙ୍ଗାଧର ମେହେରଙ୍କ ନାମରେ ନାମିତ କରାଯାଇଥିଲା। ଏଥିପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ହେଲେ ନିକଟରେ ସରକାର ପାରିତ କରିଥିବା ଅତିରିକ୍ତ ବଜେଟରେ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ବରାଦ ନହେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ପ୍ରଦୀପ ପୁରୋହିତ କହିଛନ୍ତି, “ରାଜ୍ୟ ସରକାର ବିଜେପୁରବାସୀଙ୍କୁ ଭୂଆଁ ବୁଲାଇଛନ୍ତି। ମେଗା ପ୍ରକଳ୍ପ ଘୋଷଣା କରି ଲୋକଙ୍କୁ ଲଲିପପ୍ ଧରାଇଛନ୍ତି। ରାଜ୍ୟ ସରକାର ମିଥ୍ୟା ତଥ୍ୟର ସୌଦାଗର ନୁହନ୍ତି ବରଂ ଛଳନାର ସୌଦାଗର।”

ଶ୍ରୀ ପୁରୋହିତ କହିଛନ୍ତି, ଏକ ଜରୁରୀ କ୍ୟାବିନେଟ ବୈଠକ ଡାକି ବିଜେପୁର ସମେତ ବରଗଡ ଜିଲ୍ଲା ପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ଗଙ୍ଗାଧର ମେହେର ବୃହତ ଲିଫ୍ଟ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷ ଜମି ଜଳସେଚିତ ହେବାର ଘୋଷଣା କରିଥିଲେ। ଅକ୍ଟୋବର ୧୭ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ବଡବଡ ବିଜ୍ଞାପନ ମଧ୍ୟ ଦେଇଥିଲେ। ହେଲେ ବିଧାନସଭରେ ଉପସ୍ଥାପିତ ୪୫୩ କୋଟି ଟଙ୍କାର ଅତିରିକ୍ତ ବଜେଟରେ ଏହି ଜଳସେଚନ ପ୍ରକଳ୍ପ ପାଇଁ ଟଙ୍କାଟିଏ ବି ଅର୍ଥ ଦେବାର ବ୍ୟବସ୍ଥା କରିନାହାନ୍ତି। ବିଜେପୁର ବାସୀଙ୍କ ସହ କେବଳ ସରକାର ଛଳନା କରି ନାହାନ୍ତି,  ଗଙ୍ଗାଧର ମେହେରଙ୍କ ନାମରେ ପ୍ରକଳ୍ପକୁ ନାମିତ କରି ତାଙ୍କୁ ମଧ୍ୟ ଅପାମାନିତ କରିଛନ୍ତି।

ବିଜେଡି ଏହାର ଜବାବ ଦେଇଛି। ମୁଖପାତ୍ର ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଆମେ ବିଜେପି ଭଳି ଜୁମ୍‌ଲା ପାର୍ଟି ନୋହୁଁ। ଆମ ସରକାର ଯାହା କୁହନ୍ତି ତାହା କରନ୍ତି। ଆମେ କେବେ ବି ଲୋକଙ୍କ ସହ ଛଳନା କରିନାହୁଁ।”

LEAVE A REPLY

Please enter your comment!
Please enter your name here