ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଏସ୍‌ଟିକୁ ନେଇ ସାରା ଦେଶରେ ବିତର୍କ ଥମି ନଥିବା ବେଳେ ଓଡ଼ିଶା କିନ୍ତୁ ହୋଇଛି ଲାଭବାନ୍। ଜିଏସ୍‌ଟି ଲାଗୁ ହେବା ପରେ ଓଡ଼ିଶାର ରାଜସ୍ୱଆଦାୟରେ ଅଭିବୃଦ୍ଧି ଘଟିଥିବା ଅର୍ଥମନ୍ତ୍ରୀ ବିଧାନସଭାରେ ଦେଇଛନ୍ତି ଉତ୍ତର।

“ଜିଏସ୍‌ଟି ଲାଗୁ ହେବା ଦ୍ବାରା ଓଡ଼ିଶା ହୋଇଛି ଲାଭବାନ୍। ବୃଦ୍ଧି ପାଇଛି ଓଡ଼ିଶାର ରାଜସ୍ବ। ୨୦୧୬-୧୭ ବର୍ଷ ତୁଳନାରେ ଓଡ଼ିଶାର ରାଜସ୍ବ ୨.୩୦ ପ୍ରତିଶତ ବୃଦ୍ଧି ପାଇଛି”, ଏହା କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।

ବିଧାନସଭାର ପ୍ରଶ୍ନକାଳରେ ବିଜେଡି ବିଧାୟକ ସରୋଜ ସାମଲଙ୍କ ଟିକସ ଆଦାୟ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୧୬-୧୭ ବର୍ଷରେ ୩,୬୯୧.୨୮ କୋଟି ରାଜସ୍ବ ଆଦାୟ ହୋଇଥିଲା। ଜିଏସ୍‌ଟି ଲାଗୁ ହେବା ପରେ ଓଡ଼ିଶା ୩,୭୩୫.୧୪ କୋଟି ରାଜସ୍ବ ପାଇଛି।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜିଏସ୍‌ଟି ଲାଗୁ ହେବା ପରେ ଓଡ଼ିଶା ଉପରେ କିଛିମାତ୍ରାରେ ପ୍ରଭାବ ପଡ଼ିଥିଲା। ଓଡ଼ିଶାର କ୍ଷତି ମଧ୍ୟ ହୋଇଥିଲା। ହେଲେ କେନ୍ଦ୍ର ସରକାର କ୍ଷତି ଭରଣା କରିଛନ୍ତି। କ୍ଷତି ଭରଣା ପାଇଁ କେନ୍ଦ୍ର ଓଡ଼ିଶାକୁ ୧,୦୨୦ କୋଟି ଟଙ୍କା ଦେଇଛି। ଜୁଲାଇ-ଅଗଷ୍ଟ ମାସରେ ୩୩୩ କୋଟି ମିଳିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ମାସ ପାଇଁ ୬୮୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଜିଏସ୍‌ଟି ଲାଗୁ ହେବା ଫଳରେ ଓଡ଼ିଶାର ହସ୍ତତନ୍ତ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଥିଲା। ଜିଏସ୍‌ଟି କାଉନସିଲ୍ ବୈଠକରେ ଏହି ପ୍ରସଙ୍ଗକୁ ଓଡ଼ିଶା ଉପସ୍ଥାପନ କରିଥିଲା। ଫଳରେ ଏହି ସାମଗ୍ରୀ ଉପରୁ ୫ ପ୍ରତିଶତ ଜିଏସ୍‌ଟି ହ୍ରାସ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here