ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନବୀନଙ୍କ ଚିଠିର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
  • କହିଲେ, ମିଳୁନି ଜଙ୍ଗଲ ବିଭାଗର ଅନୁମତି ଏବଂ ଆବଶ୍ୟକ ଜମି
  • ଅନୁମତି ମିଳିଲେ ୭ ଦିନରେ ଆରମ୍ଭ ହେବ ସେତୁ ନିର୍ମାଣ
  • ବ୍ରାହ୍ମଣୀରେ ୨ ନୁହେଁ, ୬ ଲେନ୍ ବିଶିଷ୍ଟ ସେତୁ ନିର୍ମାଣ ହେବ
  • ଗଡକରୀଙ୍କ ଉତ୍ତରକୁ ଖଣ୍ଡନ କଲେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ
  • ଓଡ଼ିଶାବାସୀଙ୍କୁ ବିଜେପି ବିଭ୍ରାନ୍ତିକର ତଥ୍ୟ ନଦେଉ କହିଲେ ମନ୍ତ୍ରୀ
  • କମିଟି ଗଠନ କରିବାକୁ ଦାବି କଲା ବିଜେପି

ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣକୁ ନେଇ ଜୋରଦାର ହୋଇଛି ରାଜନୀତି। ସେତୁ ନିର୍ମାଣକୁ ଦାୟୀ କରି ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ସେତୁ ଏବଂ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଯୋଗାଇ ଦେଉ ନାହାନ୍ତି। ଏହାସହ ଜଙ୍ଗଲ ବିଭାଗର ଅନୁମତି ମିଳୁ ନଥିବା କହି ରାଜ୍ୟ ସରକାରଙ୍କ ଗୁମରକୁ ପଦାରେ ପକାଇଛନ୍ତି।

ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ହେଉଥିବାରୁ ବିଜେଡି ରାଉରକେଲାରେ କରିଥିଲା ପ୍ରତିବାଦ। ବିଜେଡି ନେତା ମଙ୍ଗଳା କିଷାନଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଯଦି ଏହି ସେତୁ ନିର୍ମାଣ ନକରିବ ତାହାଲେ ରାଜ୍ୟ ସରକାର ତାଙ୍କ ନିଜସ୍ବ ପାଣ୍ଠିରୁ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ କରିବେ।

ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ନିକଟକୁ ଚିଠି ଲେଖିଥିଲେ। ଦ୍ବିତୀୟ ସେତୁ ନିର୍ମାଣ ପାଇଁ ପୁଣିଥରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଗଡକରୀ ବୁଧବାର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜବାବ ଦେଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରୁ ଅନୁମତି ମିଳିନି। ଯେବେ ଜଙ୍ଗଲ ବିଭାଗ ଅନୁମତି ଦେବ ତାର ୭ ଦିନ ପରେ ସେତୁ ନିର୍ମାଣ ଆରମ୍ଭ ହେବ। ବୈଧାନିକ ଅନୁମତି ମିଳି ନଥିବାରୁ କେବଳ ବ୍ରାହ୍ମଣୀ ନୁହେଁ, ଆହୁରି ୩ଟି ସେତୁର କାମ ଆରମ୍ଭ ହୋଇପାରୁନି।

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ନକଲେ ରାଜ୍ୟ କରିବ ମନ୍ତବ୍ୟର ଉତ୍ତର ମଧ୍ୟ ଦେଇଛନ୍ତି ଗଡକରୀ। ସେ ଆଉ ପାଦେ ଆଗେଇ ଯାଇ କହିଛନ୍ତି, ବ୍ରାହ୍ମଣୀ ସେତୁରେ ଦୁଇ ଲେନ୍ ନୁହେଁ ୬ ଲେନ୍ ବିଶିଷ୍ଟ ପୋଲ ନିର୍ମାଣ ହେବ।

ଗଡକରୀଙ୍କ ଚିଠିର ଉତ୍ତର ବିଧାନସଭାରେ ଦେଇଛନ୍ତି ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କହିଛନ୍ତି “ବ୍ରାହ୍ମଣୀରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଦରକାର ନାହିଁ। କାରଣ ପ୍ରସ୍ତାବିତ ଅଞ୍ଚଳରେ କୌଣସି ଜଙ୍ଗଲ ନାହିଁ। ଏହାସହ ସେତୁ ନିର୍ମାଣ ପାଇଁ କୌଣସି ଜମି ଅଧିଗ୍ରହଣର ଆବଶ୍ୟକ ନାହିଁ। ଏଣୁ ବିଜେପି ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ନଦେଉ ବୋଲି ମୁଁ ଅନୁରୋଧ କରୁଛି।”

ବିକ୍ରମ ଆରୁଖଙ୍କ ଏହି ମନ୍ତବ୍ୟରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଖପ୍ପା ହୋଇଛନ୍ତି। ବିଧାନସଭାରେ ଶାସକ ଦଳ ସଭ୍ୟ ଭୁଲ୍‌ ତଥ୍ୟ ଦେଉଛନ୍ତି ବୋଲି କହିଛନ୍ତି। ଏକ କମିଟି ଗଠନ କରାଯାଇ ଘଟଣାର ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି।

ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ତତ୍କାଳୀନ ଉପା ସରକାର ଦେଇଥିଲେ ମଞ୍ଜୁରୀ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ କରିବା ବେଳେ ସେତୁ ନିର୍ମାଣ ପାଇଁ ଦେଇଥିଲେ ପ୍ରତିଶ୍ରୁତି। ହେଲେ କାମ ଦ୍ରୁତ ଗତିରେ ଆଗେଇ ପାରୁ ନାହିଁ। ଏହାକୁ ନେଇ ରାଉରକେଲା ବିଧାୟକ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନେକ ଥର ଚିଠି ମଧ୍ୟ ଲେଖିଛନ୍ତି। ହେଲେ ଏହାର ସୁଫଳ କିଛି ମିଳିନି। ଏହାକୁ ଏବେ ବିଜେଡି ଅସ୍ତ୍ର କରିଛି। ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ ନିର୍ମାଣକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି।

Comment