ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ତାତିରେ ଗୃହ ହେଲା ଅଚଳ। କଂଗ୍ରେସ-ବିଜେଡି-ବିଜେପି ସଭ୍ୟଙ୍କ ହୋ-ହଲ୍ଲାରେ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ। କଂଗ୍ରେସ ଉଭୟ ବିଜେପି-ବିଜେଡିକୁ ଟାର୍ଗେଟ କରିଥିବା ବେଳେ ବିଜେଡି ପ୍ରଧାନମନ୍ତ୍ରୀଙ୍କୁ କରିଛି ସମାଲୋଚନା। ଆଉ ବିଜେପି ଶାସକ ବିଜେଡିକୁ ମାରିଛି ବାଣ।

  • ବିରୋଧୀ ଦଳ ନେତା କହିଲେ, “ଓଡ଼ିଶାବାସୀଙ୍କୁ ଠକିଛନ୍ତି କେନ୍ଦ୍ର ସରକାର”
  • ନିୟମର ଉଲ୍ଲଂଘନ କରିଛି କେନ୍ଦ୍ର: ଶାସକ ଦଳ ମୁଖ୍ୟ ସଚେତକ
  • ବିଜେପି କହିଲା, ମହାନଦୀକୁ ନେଇ ରାଜନୀତି କରୁଛି ବିଜେଡି
  • ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଓଡ଼ିଶା ବିଧାନସଭାରେ ମହାନଦୀ ତାତି। ରାଜ୍ୟର ୩ ପ୍ରମୁଖ ଦଳ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ମହାନଦୀ ତାତିରେ ଆଜି ଗୃହ ଅଚଳ ହୋଇଯାଇଛି।

ଗୁରୁବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା ବିରୋଧୀ କଂଗ୍ରେସ। କେନ୍ଦ୍ର ବିରୋଧରେ ନାରାବାଜି କରି କଂଗ୍ରେସ ସଭ୍ୟ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଓଡ଼ିଶାବାସୀ ପ୍ରତି କେନ୍ଦ୍ରର ଆନ୍ତରିକତା ନାହିଁ ବୋଲି କହିଥିଲେ। ଖାଲି ସେତିକି ନୁହେଁ, ଟ୍ରିବ୍ୟୁନାଲ ଗଠନ ପାଇଁ ଆବଶ୍ୟକ ତଥ୍ୟ ବିଜେଡି ଦେଇପାରି ନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା କଂଗ୍ରେସ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ଠକିଛନ୍ତି। ଛତିଶଗଡ ଏବଂ ଓଡ଼ିଶା ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ନିହାତି ଦରକାର। ହେଲେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନକୁ ମନା କରି ଦେଇଥିବାରୁ ଏହା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ଆଇନର ଉଲ୍ଲଂଘନ କରିଛନ୍ତି।”

କଂଗ୍ରେସ ସଭ୍ୟଙ୍କ ହୋ-ହଲ୍ଲା ଭିତରେ ବିଜେଡି ସଭ୍ୟ ବି ନାରାବାଜି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାଜ୍ୟବାସୀଙ୍କ ସହ କେନ୍ଦ୍ର ପ୍ରତାରଣା କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଥିଲା।

ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, “ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିବାରୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ନିୟମ ୧୯୫୬ ଅନୁଯାୟୀ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। ହେଲେ କେନ୍ଦ୍ର ସରକାର ନିୟମର ଉଲ୍ଲଂଘନ କରି ଟ୍ରିବ୍ୟନାଲ ଗଠନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ କରିବା ଦୁର୍ଭାଗ୍ୟଜନକ।”

ଶାସକ ବିଜେଡି ସଭ୍ୟ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ପରେ ବିଜେପି ବି ପଛରେ ପଡ଼ିନି। ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ତଥ୍ୟ ଦେଇ ପାରି ନାହାନ୍ତି କହି ଗୃହକୁ ସରଗରମ୍ କରିଛି। ବିଜେପି ସଭ୍ୟ ସିଧାସଳଖ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଆଉ ଥରେ କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶା ସରକାର ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି ବିଜେପି ଦାବି କରିଛି।

“କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ଉପସ୍ଥାପନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମହାନଦୀକୁ ନେଇ ବିଜେଡି କେବଳ ରାଜନୀତି କରୁଛି। ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛି ଶାସକ ବିଜେଡି। ମହାନଦୀ ପ୍ରସଙ୍ଗରେ ଶ୍ବେତପତ୍ର ଜାରି କରିବାକୁ ବିଧାନସଭାରେ ଦାବି କରିଥିଲୁ। ହେଲେ ସରକାର ଏହାକୁ ଗ୍ରହଣ କଲେ ନାହିଁ”, କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ହୋଇପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଛି।

ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ମହାନଦୀ ତାତିରେ ଗୁରୁବାର ବିଧାନସଭା ଅଚଳ ହୋଇ ଯାଇଥିଲା। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ୩ଟା ପରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବାରୁ ଶାସକ ବିଜେଡି ସଭ୍ୟ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ଏହାସହ ୫ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି।

ସର୍ବଦଳୀୟ ବୈଠକରେ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କୁ ବାଚସ୍ପତି ଡାକିଛନ୍ତି।

Comment