ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୨ ବର୍ଷ ହେଲା ଗୁଜୁରାଟରେ ବିଜେପି ଶାସନ ଚାଲିଛି। ଚଳିତ ନିର୍ବାଚନରେ ବି ବିଜେପି ବାଜିମାତ କରିଛି। ହେଲେ ଗୁଜୁରାଟର ୪ଟି ନିର୍ବାଚନ ମଣ୍ଡଳୀରେ ବିଜେପି ଆଜି ଯାଏଁ ଖାତା ଖୋଲି ପାରିନାହିଁ।

ଚାଲିଛି ଗୁଜୁରାଟ ବିଧାନସଭା ନିର୍ବାଚନର ଭୋଟ ଗଣତି। ବର୍ତ୍ତମାନସୁଦ୍ଧା ବିଜେପି କଂଗ୍ରେସଠାରୁ ଆଗୁଆ ରହିଛି। ଦିଲ୍ଲୀରୁ ଗୁଜୁରାଟ ପର୍ଯ୍ୟନ୍ତ ସବୁଠି ବିଜେପି କର୍ମୀ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି। ହେଲେ ଗୁଜୁରାଟରେ ଏମିତି କିଛି ଆସନ ଅଛି, ଯେଉଁଠି ବିଜେପି ଆଜି ପର୍ଯ୍ୟନ୍ତ ବିଜୟ ହାସଲ କରିପାରି ନାହିଁ।

ଗୁଜୁରାଟରେ ୧୮୨ଟି ଆସନ ରହିଛି। ସବୁ ଆସନକୁ ଦଖଲ କରିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ କରିଥାଏ। ହେଲେ ବୋରସଦ, ମହୁଘା, ବ୍ୟାରା, ଝଗଡିଆ ନିର୍ବାଚନମଣ୍ଡଳୀରେ ପଦ୍ମ ଫୁଟୁ ନାହିଁ।

ବୋରସଦ୍ ନିର୍ବାଚନମଣ୍ଡଳୀ

ଗୁଜୁରାଟର ଆନନ୍ଦ ଜିଲ୍ଲାରେ ରହିଛି ବୋରସଦ୍ ନିର୍ବାଚନମଣ୍ଡଳୀ। ହେଲେ ଏହି ନିର୍ବାଚନମଣ୍ଡଳୀରେ ବିଜେପି ବିଜୟୀ ହୋଇପାରି ନାହିଁ। ୧୯୬୨ରେ ଗୁଜୁରାଟ ବିଧାନସଭା ଗଠନ ହୋଇଥିଲା। ହେଲେ ବିଧାନସଭା ଗଠନ ହେବା ଦିନରୁ ୨୦୧୭ ପର୍ଯ୍ୟନ୍ତ ବିଜେପି ଏହି ଆସନକୁ କବ୍‌ଜା କରିପାରି ନାହାନ୍ତି। ଚଳିତ ନିର୍ବଚେନରେ କଂଗ୍ରେସର ରାଜେନ୍ଦ୍ର ସିଂ ପରମାର ବିଜୟୀ ହୋଇଛନ୍ତି।

ମହୁଘା ନିର୍ବାଚନମଣ୍ଡଳୀ

ଖେଡା ଜିଲ୍ଲାରେ ଥିବା ମହୁଘା ନିର୍ବାଚନମଣ୍ଡଳୀ ସବୁବେଳେ ବିଜେପିର ମୁଣ୍ଡ ବିନ୍ଧାଇ ଆସିଛି। ୨୨ ବର୍ଷ ଧରି ଶାସନରେ ବସିଥିବା ବିଜେପି ପୁଣିଥରେ ଗୁଜୁରାଟରେ ଶାସନ କରିବାକୁ ଯାଉଛି। ହେଲେ ମହୁଘା ନିର୍ବାଚନମଣ୍ଡଳୀରେ ବିଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ପଦ୍ମ ଫୁଟିବା ସମ୍ଭବ ହୋଇନି। ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ନଟବର ସିଂହ ଠାକୋର ବିଜୟୀ ହୋଇ ଆସୁଛନ୍ତି। ୨୦୧୨ରେ ନଟବର ୫୮,୩୭୩ ଭୋଟ ପାଇଥିଲେ। ଏହାସହ ୨୦୦୭, ୨୦୦୨, ୧୯୯୮, ୧୯୯୫ ଏବଂ ୧୯୯୦ରେ କଂଗ୍ରେସ ପ୍ରାର୍ଥୀ ନଟବର ଏଠାରୁ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ନଟବରଙ୍କ ଜାଗାରେ ନୂଆ ମୁହଁ ଇନ୍ଦ୍ରଜିତଙ୍କୁ ଟିକେଟ ଦେଇଥିଲା। ସେ ୭୮ ହଜାର ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି।

ବ୍ୟାରା ନିର୍ବାଚନମଣ୍ଡଳୀ

ଦକ୍ଷିଣ ଗୁଜୁରାଟର ସୁରଟ ଜିଲ୍ଲାରେ ରହିଥିବା ବ୍ୟାରା ନିର୍ବାଚନମଣ୍ଡଳୀରେ ବି ଆଜି ଯାଏଁ ପଦ୍ମ ଫୁଟିନି। ଏହି ଆସନ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଏହି ଆସନ ସବୁବେଳେ ବିଜେପି ବିରୋଧରେ ରାୟ ଦେଇ ଆସୁଛି। ଚଳିତ ଥର କଂଗ୍ରେସ ପ୍ରାର୍ଥୀ ଗମିତ ପୁନାଭାଇ ଢ଼େଡାଭାଇ ବିଜେପି ପ୍ରାର୍ଥୀ ଅରବିନ୍ଦ ଭାଇ ରୁମ୍‌ସିଭାଇ ଚୌଧୁରୀଙ୍କୁ ପରାଜିତ କରିଛନ୍ତି। ୧୯୬୨, ୧୯୬୭, ୧୯୭୨, ୧୯୭୫ରେ କଂଗ୍ରେସ ବିଜୟୀ ହୋଇଥିଲା। ୧୯୮୦ରେ ଇନ୍ଦିରା କଂଗ୍ରେସ ଏଠାରେ ବିଜୟୀ ହୋଇଥିବା ବେଳେ ୧୯୮୫ରେ କଂଗ୍ରେସ, ୧୯୯୦ ଏବଂ ୧୯୯୫ ଭୋଟରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।

୧୯୯୮, ୨୦୦୨, ୨୦୦୪, ୨୦୦୭, ୨୦୧୨ ଓ ୨୦୧୭ରେ ବି କଂଗ୍ରେସ ଏଠାରେ ବିଜୟ ହାସଲ କରିଛି।

ଝଗାଡ଼ିଆ ନିର୍ବାଚନମଣ୍ଡଳୀ

ଆଦିବାସୀ ବହୁଳ ଖରୁଚ ଜିଲ୍ଲାର ବଝଗାଡ଼ିଆ ନିର୍ବାଚନମଣ୍ଡଳୀରେ ବି ବିଜେପି ଖାତା ଖୋଲିପାରି ନାହିଁ। ଏହି ନିର୍ବାଚନମଣ୍ଡଳୀରୁ ୬ ଥର ଛୋଟୁଭାଇ ବସାବା ଜିତି ଆସୁଛନ୍ତି। ୧୯୯୦ରେ ସେ ଜନତା ଦଳର ପ୍ରାର୍ଥୀ ହୋଇଥିବା ବେଳେ ୧୯୯୫ରେ ସ୍ବାଧୀନ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ୧୯୯୮ରେ ଜନତା ଦଳ ଏବଂ ପରେ ଜନା ଦଳ(ୟୁ) ପ୍ରାର୍ଥୀ ହୋଇ ଛୋଟୁଭାଇ ବିଜୟୀ ହୋଇଛନ୍ତି। ୧୯୮୫ ପୂର୍ବରୁ ଏଠାରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ଆସୁଥିଲେ। ଚଳିତ ନିର୍ବାଚନରେ ଛୋଟୁଭାଇ ଭାରତୀୟ ଟ୍ରାଇବାଲ୍‌ ପାର୍ଟିରୁ ନିର୍ବାଚନ ଲଢ଼ି ପୁଣି ଜିତିଛନ୍ତି।

Comment