ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟରେ ଲଗାତାର ଷଷ୍ଠ ଥର ପାଇଁ ବିଜେପି କ୍ଷମତାକୁ ଆସିଛି। ୨୨ ବର୍ଷ ଧରି ଏହି ରାଜ୍ୟରେ ସରକାର ଗଢି ଆସିଥିବା ବିଜେପି ପାଇଁ ଚଳିତ ନିର୍ବାଚନ ବହୁତ କିଛି ମାନେ ରଖିଥିଲା। ଅନେକଗୁଡିଏ ପ୍ରତିବନ୍ଧକ ଭିତରେ ଦଳ ବିଜୟ ଲାଭ କରିଛି।
ସରକାର ବିରୋଧୀ ହାୱା, ପଟିଦାର ଆନ୍ଦୋଳନ, ଓବିସି, ଦଳିତଙ୍କ ଗୋଳବନ୍ଦୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧ, ଜିଏସଟି, ନୋଟବନ୍ଦୀ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଆକ୍ରମଣାତ୍ମକ ନିର୍ବାଚନ ପ୍ରଚାର – ଏସବୁ ବିଜେପିର ବିଜୟ ସମ୍ଭାବନାକୁ କଷ୍ଟକର କରିପକାଇଥିଲା। ଏହିଭଳି ସଙ୍କଟ ସମୟରେ ମୋଦି ୫ ଜଣଙ୍କୁ ଦାୟିତ୍ୱ ଦେଲେ ଯେଉଁମାନଙ୍କ ଯୋଗୁଁ ବିଜେପି ସେଠାରେ ହାରୁ ହାରୁ ଜିତି ଯାଇପାରିଲା।
ଆସନ୍ତୁ ଜାଣିବା ଏହି ୫ ଜଣ କିଏ।
ନରେନ୍ଦ୍ର ମୋଦି
ନଭେମ୍ବର ୨୭ରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଓ ୩୫ଟି ରାଲିରେ ଭାଷଣ ଦେଇଥିଲେ। ଗୁଜୁରାଟର ଲୋକଙ୍କ ସହିତ ତାଙ୍କର ଭାବନାତ୍ମକ ସମ୍ପର୍କ ଓ ଆକର୍ଷଣ ବରାବର ଥିଲା। ମୋଦି ଏକଥା ଭଲ ଭାବରେ ଜାଣିଥିଲେ। ସେ ନିଜ ଭାଷଣରେ ଯେଉଁ ଷ୍ଟଣ୍ଟଗିରି କଲେ ତାହା ପୂରା କାମ ଦେଇଥିଲା। ଏହି ନିର୍ବାଚନ ମୋଦିଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ଥିଲା କାରଣ ୨୦୧୯ ମସିହାରେ ଦଳକୁ କେନ୍ଦ୍ରରେ କ୍ଷମତାରେ ରଖିବା ପାଇଁ ସଂକଳ୍ପବଦ୍ଧ ଥିଲେ। ଏଣୁ ଜିତିବା ପାଇଁ ମୋଦି ସମସ୍ତ ଶକ୍ତି ବିନିଯୋଗ କରିଥିଲେ। ତାଙ୍କର ଅଧିକାଂଶ ଭାଷଣରେ ସେ ନିଜକୁ ଗୁଜୁରାଟର ସନ୍ତାନ ଓ ରାହୁଲ ଗାନ୍ଧିଙ୍କୁ ବାହାର ଲୋକ ବୋଲି ପ୍ରତିପାଦିତ କରିପାରିଥିଲେ।ଏହି ଯାଦୁ କାମ କରିବାରେ ସଫଳ ହୋଇଛି।
ଅମିତ ଶାହା
ଦଳୀୟ ସୂତ୍ର ଅନୁସାରେ ସୁରଟରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ସଭାପତି ଅମିତ ଶାହାଙ୍କୁ ଲାଗିଲା ଯେ ପଟିଦାରଙ୍କ ବିରୋଧ ଯୋଗୁଁ ନିର୍ବାଚନ ଜିତିବା କଷ୍ଟକର ହେବ। ଏହାପରେ ଅନେକଗୁଡିଏ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ଚେଷ୍ଟା ଚାଲିଲା। ଆଦିବାସୀ ଭୋଟ ଉପରେ ଧ୍ୟାନ ଦେବା ପାଇଁ ସ୍ଥିର କଲେ ନେତାମାନେ। ଶାହା ୨୫ ଦିନ ଧରି ଗୁଜୁରାଟରେ ରହିଲେ ଓ ଅଧିକା ୧୯ଟି ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା। ଶାହାଙ୍କ ଅଧିକାଂଶ ନିର୍ବାଚନ ରେଲି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କେନ୍ଦ୍ରୀଭୂତ ରହିଲା। ସେ କର୍ମୀଙ୍କୁ ବିସ୍ତାରକ, ଶକ୍ତି କେନ୍ଦ୍ର ଆଦିରେ ବାଣ୍ଟିଲେ। ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ଓ ସବୁ କଥା ତାଙ୍କରି ପରାମର୍ଶ ଅନୁଯାୟୀ କରାଯିବା ଫଳରେ ଦଳକୁ ବିଜୟ ରାସ୍ତାରେ ନିଆଯାଇପାରିଲା।
ଭୂପେଦ୍ର ଯାଦବ
ଦଳର ମହାସଚିବ ଓ ଅମିତ ଶାହାଙ୍କ ବିଶ୍ୱାସ ପାତ୍ର ନିର୍ବାଚନ ପାଇଁ ୩ ମାସ ଗୁଜୁରାଟର ବିଭିନ୍ନ ସ୍ଥାନରେ ଡେରା ପକାଇଲେ। ମୋଦି ଓ ଶାହାଙ୍କ ପ୍ରସ୍ତୁତ ରଣନୀତିକୁ ଆଗେଇ ନେବା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ଯାଦବ ଡେରି ରାତି ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ରହୁଥିଲେ। ସବୁ ବିଜେପି ଜିଲ୍ଲା ସଭାପତିଙ୍କ ସହ ବରାବର ସଂପର୍କରେ ରହୁଥିଲେ। ଗୁଜୁରାଟର ସବୁ ଖବରକାଗଜ ପିଢ଼ି ସେ ଜାଣୁଥିଲେ କେଉଁ ଆଡେ ହାୱା ବହୁଛି।
ପୁରୁଷୋତ୍ତମ ରୂପାଲା
ପୁରୁଷୋତ୍ତମ ଜଣେ ପଟିଦାର ନେତା ଓ ପ୍ରାୟ ସବୁ ରାଲିରେ ଭାଷଣ ପ୍ରଦାନ କରିଥିଲେ। ନିଜ ଭାଷାରେ ଓ ପାରମ୍ପରିକ ଶୈଳିରେ ଭାଷଣ ଦେଉଥିବାରୁ ପାଲା ବିଶେଷକରି ଗ୍ରାମାଞ୍ଚଳ ଭୋଟଦାତାଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ଅବଶ୍ୟ ତାଙ୍କ ନିଜ ୪ଟି ଜିଲ୍ଲାରେ ଭୋଟରମାନେ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। କିନ୍ତୁ ରୂପାଲାଙ୍କ ଭାଷଣ ବେଶ୍ କାମ ଦେଇଥିଲା।
ସମ୍ବିତ ପାତ୍ର
ସର୍ଜନ ଓ ଟିଭି ଆଲୋଚନାରେ ଅଂଶଗ୍ରହଣ କରି ଦଳର ଚେହେରାକୁ ସୁରକ୍ଷିତ ରଖୁଥିବା ସମ୍ବିତ ପାତ୍ର ନିର୍ବାଚନ ସମୟରେ ବହୁଳ ଭାବରେ ନିଜକୁ ସକ୍ରିୟ ରଖୁଥିଲେ। ସେ ୧୭ ଦିନ ପର୍ଯ୍ୟନ୍ତ ଗୁଜୁରାଟରେ କ୍ୟାମ୍ପ କରିଥିଲେ। ଜିଏସଟି, ନୋଟବନ୍ଦୀ ଓ ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ସମ୍ବିତ କେବଳ ଦଳର ନୀତିକୁ ଲୋକଙ୍କ ସାମ୍ନାରେ ରଖିଥିଲେ ତାହା ନୁହେଁ କଂଗ୍ରେସ ଉପରେ ମଧ୍ୟ ବରାବର ଆକ୍ରମଣ ଜାରି ରଖୁଥିଲେ। ସେ ଦଳର ମିଡିଆ ସେଣ୍ଟରରେ ରହି ବିଭିନ୍ନ ଟିଭି ଚ୍ୟାନେଲରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସ୍ମୃତି ଇରାନୀ
ସ୍ମୃତି ଇରାନୀ ଜଣେ କେନ୍ଦ୍ର ମନ୍ତ୍ରୀ। ସେ ମଧ୍ୟ ଗୁଜୁରାଟର ନିର୍ବାଚନ ମଇଦାନରେ ଏକ ପରିଚିତ ଚେହେରା ହୋଇଯାଇଥିଲେ। ଗୁଜୁରାଟର ମହିଳାମାନଙ୍କ ମଧ୍ୟରେ ଇରାନ ଜଣେ ଲୋକପ୍ରିୟ ନେତ୍ରୀ। ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ସେ ଏବଂ ଘରକୁ ଘର ବୁଲି ଦଳ ପାଇଁ ପ୍ରଚାର କରିଥିଲେ।
ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଗୁଜୁରାଟ ନିର୍ବାଚନ ସମୟରେ ଅତ୍ୟନ୍ତ ସକ୍ରିୟ ଥିବା ବେଳେ ଅନେକ ସ୍ଥାନରେ ନିର୍ବାଚନ ସଭାରେ ଭାଷଣ ଦେଇଥିଲେ। ସେ ନିଜ ଆକ୍ରମଣପୂର୍ଣ୍ଣ ଶୈଳୀରେ ଭାଷଣ ଦେଇଥିଲେ। ବିଶେଷକରି ଗ୍ରାମୀଣ ଇଲାକାରେ ଯୋଗୀ ପ୍ରଚାର କରିବା ଦେଖାଯାଉଥିଲା।

















