ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ପ୍ରେମ କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନର ନୂଆବର୍ଷର ଉପହାର ‘ହାପି ଲକି’ର ସୁଟିଙ୍ଗ୍ ଜୋରସୋରରେ ଆଗେଇ ଚାଲିଛି। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାର ସଂଳାପ ଲେଖିଛନ୍ତି ସଞ୍ଜୟ ମହାକୁଡ଼ ଓ ଦେବୀଦତ୍ତ ମହାନ୍ତି। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଯାଆଁଳା ଭାଇ ହାପି ଓ ଲକି ଭୂମିକାରେ ଜ୍ୟୋତି ରଞ୍ଜନ ଓ ସମ୍ବିତ ଅଭିନୟ କରୁଛନ୍ତି। ଜ୍ୟୋତିଙ୍କ ବିପକ୍ଷରେ ଏଲିନା ସାମନ୍ତରାୟ ଓ ସମ୍ବିତଙ୍କ ବିପକ୍ଷରେ ସସ୍ମିତା ରୋମାନ୍ସ କରିବାର ନଜର ଆସିବେ।

“ଆମେ ଦୁଇଜଣ ଯାଆଁଳା ଭାଇ। ବାପାଙ୍କ ମୃତ୍ୟୁ ପରେ ମୁଁ ସବ-ଇନ୍ସପେକ୍ଟର ଚାକିରି କରୁଛି। ମୋ ଭାଇ ସମ୍ବିତ ସବୁବେଳେ ଗୁଣ୍ଡାଗିରି କରିବାରେ ବ୍ୟସ୍ତ ରହୁଛି। କାହାଣୀର ଏପରି ପରିସ୍ଥିତି ଆସୁଛି ଯେ ଆମ ଦୁଇଜଣଙ୍କ ଜୀବନ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସୁଛି। ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଏଥିରେ ଭରପୁର ଆକ୍ସନ, ରୋମାନ୍ସ, କମେଡ଼ି ଅଛି”, କହିଛନ୍ତି ଜ୍ୟୋତି।

ଏହି ସିନେମାର ବିଷୟବସ୍ତୁ ‘ଜୁଡୱା’ ପରି ହେଲେ ମଧ୍ୟ ଏହା ଦର୍ଶକଙ୍କୁ ଏକ ନୂଆ ସ୍ଵାଦ ଦେବ।

“ଏଲିନା ଓ ମୋର ଯୋଡ଼ିକୁ ଦର୍ଶକ ପସନ୍ଦ କରିବେ ବୋଲି ମୋର ବିଶ୍ଵାସ। ପୂର୍ବରୁ ସେ ବାବୁସାନଙ୍କ ସହିତ ‘ଲଭ୍ ଷ୍ଟେସନ’ରେ ଚୁଲବୁଲି ଝିଅର ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଆମ ଦୁଇଜଣଙ୍କ ଡ୍ୟାନ୍ସ ମଧ୍ୟ ଧମାଲ୍ ମଚେଇବ”, କହିଛନ୍ତି ଜ୍ୟୋତି।

କଲର୍ସ ଟିଭି ଓଡ଼ିଆରେ ପ୍ରସାରିତ ‘ମିଠା ମିଠା ଯୋଡ଼ି’ ରିଅଲିଟି ସୋ’ରୁ ଲୋକ ଲୋଚନକୁ ଆସିବା ପରେ ଜ୍ୟୋତି ଆଉ ପଛକୁ ଫେରି ଚାହିଁନାହାନ୍ତି। ପିଲାଟି ବେଳରୁ ହିରୋ ହେବାର ସ୍ଵପ୍ନ ସାକାର କରିବା ପାଇଁ ତାଙ୍କୁ ବେଶୀ ସମୟ ଲାଗିନଥିଲା। ‘ମିଠା ମିଠା’, ‘ଦେଲେ ଧରା କଥା ସରେ’, ‘ନିଝୁମ ରାତିର ସାଥୀ’ ଓ ଗତ ଦୀପାବଳି ସମୟରେ ମୁକ୍ତିଲାଭ କରିଥିବା ସିନେମା ‘ତୁ ମୋ ହିରୋ’ରେ ତାଙ୍କ ନିଖୁଣ ଅଭିନୟ ଓ ନୃତ୍ୟର ପ୍ରତିଭା ଦର୍ଶକଙ୍କ ମନ ଛୁଇଁପାରିଛି।

ଆହୁରି ମଧ୍ୟ ଜ୍ୟୋତି କହିଛନ୍ତି ଯେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ଅଭିନୟ କରିବାର ସୁଯୋଗ ପାଇ ସେ ଅତ୍ୟନ୍ତ ଆନନ୍ଦିତ।

‘ହାପି ଲକି’ ସାରା ଓଡ଼ିଶାରେ ଆସନ୍ତା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here