ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶ୍ରୀକ୍ଷେତ୍ରରେ ବିଜେଡି ପ୍ରତିଷ୍ଠା ଦିବସ
  • ହୃଦୟର କଥା କହିଲେ ନବୀନ
  • ସିମ୍ପ୍ଲିସିଟି, ହାଇ ଥିଙ୍କିଙ୍ଗ୍ ଏବଂ ସେବା ଉପରେ ଫୋକସ୍‌
  • ଲୋକଙ୍କ ପ୍ରତି ସମର୍ପିତ ହେବାକୁ ଆହ୍ୱାନ
  • ନବୀନ କହିଲେ, ‘ଓଡ଼ିଶାବାସୀଙ୍କ ପ୍ରତି ମୁଁ ସବୁବେଳେ ସମର୍ପିତ”

ବିଜୁ ଜନତା ଦଳକୁ ପୁରିଛି ୨୦ ବର୍ଷ। ଏହି ଅବସରରେ ପୁରୀରେ ଅନୁଷ୍ଠିତ ହୋଇଥିଲା ପ୍ରତିଷ୍ଠା ଦିବସ। ଏହି ୨୦ତମ ପ୍ରତିଷ୍ଠା ଦିବସରେ ଶ୍ରୀକ୍ଷେତ୍ରରେ ବିଜେଡି ପ୍ରସ୍ତୁତ କରିଛି ନୂଆ ଷ୍ଟ୍ରାଟେର୍ଜି। ଏହି ଷ୍ଟ୍ରାଟେର୍ଜିକୁ ନେଇ ଆଗକୁ ବଢ଼ିବ ବିଜେଡି। ଏଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଉପସ୍ଥିତ କର୍ମୀ ଓ ନେତାଙ୍କୁ ଦେଇଛନ୍ତି ମନ୍ତ୍ର। ସିମ୍ପୁଲ୍ ହେବା ସହ ଲୋକଙ୍କ ସେବା କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ଏହାସହ ଜଗନ୍ନାଥ ଧାମରେ ସେ ନିଜ ହୃଦୟର କଥା କହିଛନ୍ତି।

ରାଜନୀତି ନୁହେଁ, ହୃଦୟର କଥା

୨୦ତମ ପ୍ରତିଷ୍ଠା ଦିବସରେ ‘ଜୟ ଜଗନ୍ନାଥ’ କହି ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଭାଷଣ। କର୍ମୀ ଓ ନେତାମାନଙ୍କୁ ହୃଦୟର କଥା କହିଥିଲେ ନବୀନ। ବିଜେଡି ସଭାପତି କହିଥିଲେ ଯେ, “ବିଜୁ ପରିବାର ଆଜି ଏକାଠି ହୋଇଛି। ମୋ ପରିବାରକୁ ଆଜି ରାଜନୀତି ନୁହେଁ, ହୃଦୟର କଥା କହିବାକୁ ଚାହୁଁଛି। ବିଜୁ ଜନତା ଦଳ ଗଠନକୁ ୨୦ ବର୍ଷ ପୂରିଛି। ଏହି ସମୟ ଭିତରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ, ଓଡ଼ିଶାବାସୀଙ୍କ ସହଯୋଗ ଏବଂ ଦଳର ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ଥନ ଯୋଗୁ ବିଜେଡି ଓଡ଼ିଶା ମା’ର ସେବା କରି ଚାଲିଛି। ଏଡି ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କ ନିକଟରେ ମୁଁ ଋଣି।

ଓଡ଼ିଶା ହେଉଛି ସେବା ଓ ତ୍ୟାଗର ଭୂମି। ଉତ୍କଳମଣୀ ଗୋପବନ୍ଧୁ ଦାସ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଦର୍ଶ ଥିଲା ତ୍ୟାଗ, ସେବା ଏବଂ ସ୍ୱାଭିମାନ। ସେମାନେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଏବଂ ରହିଥିବେ। ବିଜୁବାବୁ ଥିଲେ ଗରିବ ଲୋକଙ୍କ ବନ୍ଧୁ। ତାଙ୍କ ପାଖରୁ କେହି କେବେ ଖାଲି ହାତରେ ଫେରୁ ନଥିଲେ। ବିଜୁବାବୁଙ୍କର ଏହି ମନୋଭାବ ବିଜୁ ପରିବାର ପାଇଁ ପ୍ରେରଣା।

ଭଲ କାମ କର

ଓଡ଼ିଶାର ଜନସାଧାରଣ ଆମକୁ ଭୋଟ ଦେଇ ଆସୁଛନ୍ତି। ଆମେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛେ ତାହା କେବଳ ଓଡ଼ିଶାବାସୀଙ୍କ ଆଦର ଓ ଭଲପାଇବା ଯୋଗୁ ସମ୍ଭବ ହୋଇ ପାରିଛି। ଆମେ ଏହାର ପ୍ରତିଦାନରେ ଓଡ଼ିଶାବାସୀଙ୍କ ପାଇଁ କାମ କରିବାକୁ ଆଗେଇ ଆସିବା ଦରକାର। ଲୋକଙ୍କ ପାଇଁ ଭଲ କାମ କରିବା। ଏମିତି କାମ କରିବା, ଯାହାକୁ ନେଇ ଆମ ପିଲାମାନେ ଗର୍ବ କରିବେ।

ସେବା ମାଧ୍ୟମରେ ଲୋକଙ୍କ ହୃଦୟ ଜିତ

ସାଧାରଣ ଜୀବନରେ ସିମ୍ପ୍ଲିସିଟି ସବୁଠୁ ବଡ଼ କଥା। ଏହା ସେବା ପାଇଁ ପ୍ରେରଣା ଦେଇଥାଏ। ଏଣୁ ସାଧାରଣ ଜୀବନ ଯାପନ କରିବା ଏବଂ ଉଚ୍ଚ ଚିନ୍ତାଧାରା ରଖିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବା ସହ ଲୋକଙ୍କ ଭରସାକୁ ସମ୍ମାନ ଦେବାକୁ ସେ ଆହ୍ବାନ ଦେଇଛନ୍ତି। ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସେ କର୍ମୀମାନଙ୍କୁ କହିଛନ୍ତି। ସେବା ଓ କ୍ଷମତା ମଧ୍ୟରେ ସେବା ହେଉଛି ଗୁରୁତ୍ୱପୂର୍ଣ୍ଣ। ସେବା ମାଧ୍ୟମରେ ଲୋକଙ୍କ ହୃଦୟ ଜିଣିବାକୁ କର୍ମୀମାନଙ୍କୁ କହିଛନ୍ତି। ଆମ ବିଧାୟକ ଓ ସାଂସଦମାନେ ଭଲ କାମ କଲେ ମୋତେ ଅଧିକ ଖୁସି ଦେଇଥାଏ। ଲୋକଙ୍କ ସେବା କରିବା ହିଁ ଆମର ବଡ଼ କର୍ତ୍ତବ୍ୟ। କୋଟି କୋଟି ଓଡ଼ିଆଙ୍କୁ ଭଲ ପାଉଥିଲେ ବିଜୁବାବୁ। ସେଥିପାଇଁ ବିଜୁବାବୁ ଆଜି ମହାନ୍ ହୋଇ ରହିଛନ୍ତି।

ଓଡ଼ିଶାବାସୀଙ୍କ ଭଲ ପାଇବା ମୋତେ ଶକ୍ତି ଦେଇଛି

୧୯୯୭ରୁ ଆରମ୍ଭ ହୋଇଥିଲା ମୋ ରାଜନୀତି ଯାତ୍ରା। ଆସ୍କା ସାଂସଦ ଭାବେ ମୁଁ ପ୍ରଥମେ ନିର୍ବାଚିତ ହୋଇଥିଲି। ସେହି ଦିନରୁ ମୁଁ ଓଡ଼ିଶାବସୀଙ୍କ ସେବା କରି ଆସୁଛି। ଓଡ଼ିଶାର ଭାଇ ଭଉଣୀଙ୍କ ଭଲ ପାଇବା ମୋତେ ଅଧିକ ଶକ୍ତି ଦେଇଛି। ଜଣେ ଓଡ଼ିଆ ଭାବରେ ଏଥିପାଇଁ ମୁଁ ଗର୍ବିତ। ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ସେମାନଙ୍କ ସେବାରେ ମୁଁ ସବୁବେଳେ ସମର୍ପିତ। ଏଣୁ ଓଡ଼ିଶାକୁ ଭାରତର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ସଙ୍କଳ୍ପ ନେବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here