ଭାସ୍କର ପରିଚ୍ଛା
‘ସରଳ ଜୀବନ ଯାପନ କର ଓ ଲୋକଙ୍କ ସେବା କର’ ବୋଲି ନିଜ ଦଳର ନେତା ଓ କର୍ମୀଙ୍କୁ ଉପଦେଶ ଦେବାଠାରୁ ଆରମ୍ଭ କରି ‘କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’ ବୋଲି ବିଜେପିକୁ କଟାକ୍ଷ କରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେବଳ ଯେ ଅଜେୟ ହୋଇପଡ଼ିଛନ୍ତି ତାହା ନୁହେଁ ଆଗାମୀ ଦିନରେ ମଧ୍ୟ ଏହି ସ୍ଥିତି ବଳବତ୍ତର ରହିବ।
ଓଡ଼ିଶା ପରିପ୍ରେକ୍ଷୀରେ ୨୦୧୭ ବର୍ଷକୁ ଯଦି ଆମେ ସମୀକ୍ଷା କରିବା ଏ କଥା ନିରାପଦରେ କୁହାଯାଇପାରେ ଯେ ଏହି ବର୍ଷଟି ଥିଲା ପୂରା ନବୀନଙ୍କର। ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ସବୁ ରକମର ଝଡ଼କୁ ସାମ୍ନା କରିବା ଭିତରେ ନବୀନ ନିଜ ସ୍ଥିତିକୁ ଅଧିକ ଦୃଢ କେବଳ କରିଛନ୍ତି।
ଗୋଟିଏ ପଟେ ୨୦୧୯ ନିର୍ବାଚନ ପାଇଁ ବିଜେପି ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନବୀନ ମଧ୍ୟ ତାଙ୍କ ଦଳକୁ ସୁଦୃଢ଼ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡ଼ା କରିନଥିଲେ।ଦଳ ପ୍ରତିଷ୍ଠାର କୋଡିଏ ବର୍ଷ ପାଳନ ଅବସରରେ ପୁରୀ ସମ୍ମିଳନୀରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବିଜେଡିର କୌଣସି ବିକଳ୍ପ ନାହିଁ।ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଗାମୀ ଦିନରେ ଏକ ବଡ଼ ଧରଣର ଲୋକ ସମ୍ପର୍କ ଅଭିଯାନ ଆରମ୍ଭ ହେବ।
ଆଗାମୀ ଓଡିଶାର ବିକାଶ ଯାତ୍ରା’ ପାଇଁ ଅସମର୍ଥିତ ଖବର ଅନୁସାରେ ଦଳ ପକ୍ଷରୁ ଅନେକ ହଜାର କୋଟି ଟଙ୍କାର ଏକ ବଜେଟ ପ୍ରସ୍ତୁତ କରାଯାଇଛି। ପଞ୍ଚାୟତ ସ୍ତରରେ ମଧ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ (ରାଜନୈତିକ?) ଦିଆଯିବ।ଉଦେଶ୍ୟ ହେଉଛି କଳେ ବଳେ କୌଶଳେ ପୁଣି କ୍ଷମତାକୁ ଫେରିବା।
ଏଣେ ବର୍ଷ ତମାମ ବିଜେଡିର ଅସନ୍ତୁଷ୍ଟ ନେତା ମାନେ ବୟାନ ବାଜି ଚଳାଇଥିଲେ ସତ କିନ୍ତୁ ଦଳ ଉପରେ କି ନବୀନଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ନଥିଲା। ଶେଷରେ ଦାମୋଦର ରାଉତଙ୍କ ଅପସାରଣ ଏ କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଦଳ ଓ ନେତାଙ୍କ ଉପରେ ନବୀନଙ୍କ କବଜା ଆଦୌ ଏପଟ ସେପଟ ହୋଇନାହିଁ। ପୁରୀରେ ଯେଉଁ ସମାଗମ ହୋଇଥିଲା ତାହା ଆଉ ଏକ କଥାକୁ ପ୍ରମାଣ କରିଛି ଯେ ଦଳ ସୁସଂଗଠିତ ଅଛି ଏବଂ ଦଳ ଭିତରେ ଅସନ୍ତୋଷ କେବଳ ଏକ ମିଥ୍।
ବିଜେଡି ଓ ନବୀନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯାହା କୁହାଯାଉଛି ବା ଅନୁମାନ କରାଯାଉଛି ତା ଠାରୁ ଦଳ ବହୁ ଆଗରେ ଓ ଅତ୍ୟନ୍ତ ଶକ୍ତିଶାଳୀ ଏ କଥା ପ୍ରମାଣିତ ହୋଇଛି ପୁରୀ ବୈଠକରୁ। ଅନ୍ୟ ଅର୍ଥରେ ଯଦି ୨୦୧୭ରୁ କିଛି ସଙ୍କେତ ମିଳୁଛି ତାହା ହେଉଛି ୨୦୧୮ ମଧ୍ୟ ବିଜେଡି ଓ ନବୀନଙ୍କର ହେବାକୁ ଯାଉଛି।
ବିଗତ କିଛି ବର୍ଷ ମଧ୍ୟରେ ବିଜେଡି ପକ୍ଷରୁ ଯେତେ ସବୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ସାମାଜିକ ପରିବର୍ତନ ପାଇଁ ନବୀନ ସରକାରଙ୍କ ପକ୍ଷରୁ ଯେଉଁ ସବୁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଦାବି କରାଯାଉଛି ଏବଂ କେନ୍ଦ୍ର ଅବହେଳାକୁ ନେଇ ବିଜେଡି ସରକାର ଲୋକଙ୍କ ଭିତରେ ଯେଉଁ ଧାରଣା ସୃଷ୍ଟି କରିଛନ୍ତି ତାହା ଅନେକ ମାତ୍ରାରେ ନିର୍ବାଚନୀ ରାଜନୀତିକୁ ପ୍ରଭାବିତ କରିବା ଆରମ୍ଭ କରିଛି।
ମହାନଦୀ, ପୋଲାଭରମ୍ ଓ ଧାନର ନ୍ୟୁନତମ ମୂଲ୍ୟ ଏହି ତିନିଟି ପ୍ରସଙ୍ଗରେ ବିଜେଡିର ଅହରହ ସଂଗ୍ରାମ ଦଳକୁ ବହୁ ମାଇଲେଜ୍ ଦେଇଛି। ବିଜେପୁର ଉପ-ନିର୍ବାଚନ ତାରିଖକୁ ନେଇ ବିଳମ୍ବ ଘଟଣା ମଧ୍ୟ ବିଜେଡିକୁ ଏକ ନୂଆ ଅସ୍ତ୍ର ଦେଇଛି। ଏ କଥା କହିବା ବେଳେ ବିଜେଡି ପକ୍ଷରୁ ହେଉଥିବା ଅଭିଯୋଗକୁ ନାକାମ କରିବା ସହ କେନ୍ଦ୍ର ବିରୁଦ୍ଧରେ ଲଢେଇକୁ ନେଇ ଆତିଶଯ୍ୟରଯେଉଁ ମାହୋଲ୍ ସୃଷ୍ଟି ହୋଇଛି ବିଜେପିର ନେତା ମାନେ ତାକୁ ଖଣ୍ଡନ କରିବାରେ ଯେ ବିଶେଷ ଫାଇଦା ଉଠାଇଛନ୍ତି ସେ କଥା କୁହାଯାଇପାରିବ ନାହିଁ।
ମୋଦି ସରକାର ଓଡିଶାର ସ୍ୱାର୍ଥ ବିରୋଧୀ ଏହି ଭଳି ଏକ ଧାରଣାକୁ ରାଜନୈତିକ ଭାବେ ପ୍ରତିହତ କରିବା ବିଜେପି ପକ୍ଷରେ ସମ୍ଭବ ହୋଇପାରିନି। ଏହିଭଳି ଦେଖିବାକୁ ଗଲେ ବିଜେଡି ଆଗରେ ଦୁଇ ବିରୋଧୀ ଦଳ ଯଥା କଂଗ୍ରେସ ଓ ବିଜେପି ଏକ ପ୍ରକାର ନିଷ୍ପ୍ରଭ ହୋଇପଡିଛନ୍ତି।
ଦିଲ୍ଲୀ କ୍ଷମତା ଅଳିନ୍ଦରେ ଯାହା ଶୁଣାଯାଉଛି ଯଦି ୨୦୧୮ ଶେଷ ବେଳକୁ ସଧାରଣ ନିର୍ବାଚନ ଘୋଷଣା ହୋଇଯାଏ ବିଜେଡି ଯେ ପୂରା ସୁବିଧାରେ ରହିବ ଏହା ସ୍ପଷ୍ଟ ଦେଖାଯାଉଛି। ନିଷ୍କ୍ରିୟ କଂଗ୍ରେସ କଥା ଛାଡନ୍ତୁ ୨୦୧୬ ମସିହାରୁ କେନ୍ଦ୍ରରେ ଶାସନରେ ଥିବା ବିଜେପି ପକ୍ଷରୁ ମଧ୍ୟ ଯେଉଁ ହାଇ ଭୋଲ୍ଟେଜ୍ ରାଜନୀତି ଆରମ୍ଭ ହୋଇଥିଲା ବିଗତ କିଛି ଦିନ ମଧ୍ୟରେ ତାହା ଅନେକ ପରିମାଣରେ ଥଣ୍ଡା ପଡ଼ିଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ, ନବୀନ ସରକାର ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆକ୍ରମଣ ଓ ପ୍ଲସ୍ ୧୨୦ ମିଶନ ଆପାତତଃ ଅଣହାସଲଯୋଗ୍ୟ ବିବେଚିତ ହେଉଛି। ମୋଟାମୋଟି କହିଲେ, ପଦ୍ମଫୁଲ ଫୁଟିବାର କୌଣସି ଲକ୍ଷଣ ଆଖିରେ ପଡୁନାହିଁ କି ହାତ ଝଲସିବାର କୌଣସି ସଙ୍କେତ।