ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ଉତ୍ସବ
  • ଲୋକଙ୍କ ନିକଟତର ହେବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
  • ବରିଷ୍ଠ  ନାଗରିକମାନଙ୍କ ପାଇଁ ୱେବ ଆପଲିକେସନ ଲୋକାର୍ପିତ
  • ବରିଷ୍ଠ ନାଗରିକମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରିଚୟପତ୍ର

“ପୋଲିସ ସବୁବେଳେ ଲୋକଙ୍କ ସହିତ ରହୁ ଏବଂ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ କାମ କରିବା ଦରକାର। ଏହାସହ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୋଲିସ ସ୍ୱତିନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ଅନୁସନ୍ଧାନ କରି ସମାଧାନ କରିବା ଆବଶ୍ୟକ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “କମିଶନରେଟ୍ ପୋଲିସ ଗତ ୧୦ ବର୍ଷ ମଧ୍ୟରେ ଅନେକ ସଫଳତାର ସହିତ ଆହ୍ୱାନର ମଧ୍ୟ ସମ୍ମୁଖୀନ ହୋଇଛି। ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ପାଇଁ କମିଶନରେଟ୍ ପୋଲିସ ତାର ଉଦ୍ୟମ ଆଗକୁ ମଧ୍ୟ ଜାରି ରଖିବ।

ମୁଖ୍ୟମନ୍ତ୍ରୀ ବରିଷ୍ଠ  ନାଗରିକମାନଙ୍କ ପାଇଁ ଏକ ୱେବ ଆପଲିକେସନ ସହ ଅନ-ଲାଇନ ପଞ୍ଜିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ମୁଖ୍ୟମନ୍ତ୍ରୀ ପରିଚୟପତ୍ର ପ୍ରଦାନ କରିଥିଲେ। ଏହାସହ ଲିଫଲେଟ ଉନ୍ମୋଚନ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସେବା ଶିବିର ମଧ୍ୟ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ଡାକ୍ତର ଆର.ପି.ଶର୍ମା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ କମିଶନର ୱାଇ.ବି. ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ।

Comment