ଓଡ଼ିଶାଲାଇଭ୍ ବ୍ୟୁରୋ
- ଗାଇଡ୍ଲାଇନ୍ ଜାରି
- ସ୍କୁଲ ପାଖରୁ ହଟିବ ନିଶା ଦ୍ରବ୍ୟ
ସରକାରୀ ସ୍କୁଲକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଆଉପାଦେ ଆଗକୁ ବଢ଼ିଛନ୍ତି। ମଦୁଆ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସାବାଡ଼ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପୁଣିଥରେ ଜାରି କରିଛି ନୂଆ ଗାଇଡ୍ଲାଇନ୍। କୌଣସି ଶିକ୍ଷକ କିମ୍ବା କର୍ମଚାରୀ ମଦପିଇ, କୌଣସି ନିଶା ସେବନ କରି ସ୍କୁଲ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଦ୍ୟାଳୟରେ ଶୈଖିକ ବାତାବରଣ ଅକ୍ଷୁର୍ଣ୍ଣ ରଖିବା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଧାନଶିକ୍ଷକ ସେହି ମଦୁଆ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବିପନ୍ନ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ସରକାରୀ ହେଉ ବା ବେସରକାରୀ, ସବୁ ସ୍କୁଲର ପାଚେରି ବାଧ୍ୟତାମୂଳକ କରାଯାଇଛି। କ୍ଲାସ ଆରମ୍ଭ ହେବା ପୂର୍ବରୁ ସ୍କୁଲ୍ ଗେଟ୍ରେ ତାଲା ପଡିବ। ସ୍କୁଲ୍ ନିକଟରେ ତମାଖୁ ବିକ୍ରି ହୋଇପାରିବ ନାହିଁ। ପୋଲିସ ଏ ଦିଗରେ ନଜର ରଖିବ। ସ୍କୁଲ ବସକୁ ସ୍ଵତନ୍ତ୍ର ରଙ୍ଗ କରାଯିବା ସହ ଡ୍ରାଇଭର ଓ ହେଲପରଙ୍କ ସମସ୍ତ ତଥ୍ୟ ସ୍ଥାନୀୟ ଥାନାରେ ରହିବ। ସ୍କୁଲରେ ପିଇବା ପାଣି, ଶୌଚାଳୟ, ରୋଷେଇଘର ସଫା ରହିବ। ପ୍ରାକୃତିକ ବିପର୍ଯ୍ୟୟରୁ ଛାତ୍ରଛାତ୍ରୀଙ୍କୁ ରକ୍ଷା କରିବା ପାଇଁ ସ୍କୁଲ କୋଠାରେ ବ୍ୟବସ୍ଥା କରିବାକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କରିଥିବା ନୂତନ ଗାଇଡ୍ଲାଇନ୍ରେ ଉଲ୍ଲେଖ କରିଛି। ନୂତନ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି ଯେ ପ୍ରତି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ନିଶ୍ଚୟ ରହିବେ। ପିଲାଙ୍କୁ କୌଣସି ଦଣ୍ଡ ଦିଆଯାଇପାରିବ ନାହିଁ। ସ୍କୁଲରେ ହେଲ୍ପ ଡେକ୍ସ, କିଶୋର ମଞ୍ଚ, ବାଲସଭା ଭଳି କାର୍ଯ୍ୟକ୍ରମକୁ ନିଶ୍ଚିତ କରାଯାଇଛି। ପ୍ରତି ସରକାରୀ ସ୍କୁଲରେ ଏହି ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।