ଓଡ଼ିଶାଲାଇଭ୍ ବ୍ୟୁରୋ

- ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର
- ସଟ୍ ବଲ୍, ବାଉନ୍ସିଂ ଓ ସୁଇଙ୍ଗ୍ ବଲ୍ ଖେଳିବାକୁ ‘ବିରାଟ’ ବାହିନୀର ରଣନୀତି
- ଜାନୁଆରୀ ୧୩ ତାରିଖ, ଶନିବାର ଦିନ ପ୍ରିଟୋରିଆରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ
- ପ୍ରିଟୋରିଆ ଟେଷ୍ଟରେ ଦୁଇ ନୂଆ ଦ୍ରୁତ ବୋଲର ସାମିଲ୍ କରିପାରେ ସାଉଥ୍ ଆଫ୍ରିକା
କେପ୍ ଟାଉନ୍ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଆରମ୍ଭ ପୂର୍ବରୁ ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍ଙ୍କୁ ସୁହାଉଥିବା ପିଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆତ୍ମସମର୍ପଣ କରିଦେଇଥିଲେ। ଅବଶ୍ୟ ମ୍ୟାଚ୍ ସଂପୂର୍ଣ୍ଣ ଏକପାଖିଆ ନଥିଲା। ୪ ଦିନ ଭିତରେ ଭାରତ ନିକଟରେ ମଧ୍ୟ ଜିତିବା ସୁଯୋଗ ସୃଷ୍ଟି ହୋଇଥିଲା। ପ୍ରଥମେ ବୋଲିଂ କରି ଭାରତ ଯେପରି ଖେଳ ଆରମ୍ଭ କରିଥିଲା, ଦେଶର କ୍ରିକେଟ୍ ପ୍ରେମୀଙ୍କ ମନରେ ଆଶା ସଂଚାର ହୋଇଥିଲା। ଆଶା ସହ ଆଶଙ୍କା ଏଇଥିପାଇଁ ଥିଲା ଯେ ସୁଇଙ୍ଗ୍ ଓ ବାଉନ୍ସ ଖେଳିବାରେ ଅଭ୍ୟସ୍ତ ସାଉଥ୍ ଆଫ୍ରିକାର ଅବସ୍ଥା ଯଦି ଏପରି, ତେବେ ଟିମ୍ ଇଣ୍ଡିଆ କିଭଳି ସାମନା କରିବ ବିଶ୍ୱର ସବୁଠୁ ଭଲ ଫାଷ୍ଟ ବୋଲିଂ ଆକ୍ରମଣକୁ। ଏହି ଆଶଙ୍କା ଶେଷରେ ସତ ପ୍ରମାଣିତ ହୋଇଥିଲା।
ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୨୮୬ ଜବାବରେ ଭାରତ ମାତ୍ର ୨୦୯ ରନ୍ ସଂଗ୍ରହ କରିପାରିଥିଲା। ତେବେ ଏକ ସମ୍ମାନ ଜନକ ସ୍ଥିତିକୁ ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଟେଲ୍ ଏଣ୍ଡର୍ ଭୁବନେଶ୍ୱର କୁମାର। ହାର୍ଦ୍ଦିକଙ୍କ ବିସ୍ଫୋରକ ୯୩ ରନ୍ ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇଥିବ।
ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୩୦ ରନ୍ରେ ଅଲ୍ ଆଉଟ୍ କରିବା ପରେ ପୁଣି ଥରେ ବ୍ୟାଟ୍ସମ୍ୟାନଙ୍କ ହାତରେ ମ୍ୟାଚ୍କୁ ଜିତିବା ପାଇଁ ସୁଯୋଗ ତିଆରି ହେଲା। ଏହାରି ଭିତିରେ ରବିବାରର ବର୍ଷା ମଧ୍ୟ ଭାରତ ପାଇଁ କିଛିଟା ଆଶା ସୃଷ୍ଟି କରିଥିଲା। ଏହା ସହ ବିପକ୍ଷ ଦଳର ମୁଖ୍ୟ ବୋଲର ଡେଲ୍ ଷ୍ଟେନ୍ ଆହତ ହୋଇଥିଲେ। ମାତ୍ର ଏହି ସବୁ ଆଶାକୁ ଫିଲାଣ୍ଡରଙ୍କ ଝଡ଼ ଉଡାଇନେଲା। ଭାରତର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ୟାପ୍ଟେନ୍ କୋହଲି ଓ ରୋହିତ ଶର୍ମାଙ୍କ ସମେତ ୬ଟି ଓ୍ୱିକେଟ୍ ନେଇ ମ୍ୟାଚ୍ ଛଡାଇ ନେଇଥିଲେ ଫିଲାଣ୍ଡର। ମାତ୍ର ୧୩୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସର ଲିଡ୍ ଯୋଗୁଁ ୭୨ରନ୍ରେ ହାରିଥିଲା ଭାରତ। ଟେଷ୍ଟ ମ୍ୟାଚ୍ରେ ନିଜ ବୋଲିଂ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଫିଲାଣ୍ଡର। ଡେଲ୍ ଷ୍ଟେନ୍ଙ୍କ ଅନୁପସ୍ଥିତି ଆଦୌ ପଡିବାକୁ ଦେଇନଥିଲେ ଦକ୍ଷିଣ ଆଫ୍ରିକାର ଏହି ପ୍ରଭାବଶାଳୀ ବୋଲର୍।
କେପ୍ ଟାଉନ୍ର ନ୍ୟୁଲାଣ୍ଡସ୍ ପିଚ୍ ପୁଣି ଥରେ ଦ୍ରୁତ ବୋଲରଙ୍କ ଭୂସ୍ୱର୍ଗ ବୋଲି ପ୍ରମାଣିତ ହୋଇଥିଲା। ଚତୁର୍ଥ ଦିନରେ ହିଁ ୧୮ଟି ଓ୍ୱିକେଟ୍ ଯିବା ଏହାର ପ୍ରମାଣ।
ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି କହିଛନ୍ତି, ‘ଏଭଳି ଏକ ଉତ୍କଣ୍ଠିତ ଓ କଷ୍ଟକର ମ୍ୟାଚ୍ରେ ଭାଗ ନେଇଥିବାରୁ ଆମେ ଖୁସି। ଏହି ମ୍ୟାଚ୍ର ଭାଗିଦାରୀ ହୋଇ ଆମେ ବହୁ ଉପଲବ୍ଧି ହାସଲ କରିଛୁ। ପରବର୍ତ୍ତୀ ମ୍ୟାଚ୍ରେ ଆମେ ତ୍ରୁଟି ସୁଧାରିବାକୁ ଉଦ୍ୟମ କରୁଛୁ। କେବଳ ଓ୍ୱିକେଟ୍ ନେଲେ ମ୍ୟାଚ୍ ଜିତି ହେବନି, ଆମକୁ ଭଲ ସ୍କୋର କରିବାକୁ ପଡିବ।’
ଜାନୁୟାରୀ ୧୩ ତାରିଖ ଶନିବାର ଦିନ ପ୍ରିଟୋରିଆରେ ଖେଳ ହେବ ଦ୍ୱିତୀୟ ଟେଷ୍ଟ୍। ଏହା ମଧ୍ୟ ଦ୍ରୁତ ବୋଲରଙ୍କୁ ସୁହାଉଥିବା କ୍ରିକେଟ୍ ପଡିଆ। ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ। ସେହିପରି ଫାଷ୍ଟ ବୋଲିଂ ଆକ୍ରମଣକୁ ଆହୁରି ଶାଣିତ କରିବାକୁ ଦକ୍ଷିଣ ଆଫ୍ରିକା ଦୁଇ ନୂଆ ବୋଲରଙ୍କୁ ସାମିଲ କରିବା ପାଇଁ ଯୋଜନା କରୁଛି। ସେମାନେ ହେଲେ ଡୁଆନେ ଓଲିଭିର୍ ଏବଂ ଲୁଙ୍ଗି ଗିଡି। ଲୁଙ୍ଗି ଗିଡି ଯଦି ଦଳରେ ସାମିଲ ହେବେ ଏହା ତାଙ୍କର ପ୍ରଥମ ଟେଷ୍ଟ ପଦାର୍ପଣ ହେବ। ତେବେ ଡୁଆନେ ଓଲିଭିରଙ୍କ ନିକଟରେ ୫ଟି ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି।
ଦ୍ୱିତୀୟ ମ୍ୟାଚ୍ ଆହୁରି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଟେଷ୍ଟ ମାନ୍ୟତାର ପ୍ରଥମ ଓ ଦ୍ୱିତୀୟ ଟିମ୍ ଖେଳୁଥିବା ଶୃଙ୍ଖଳାକୁ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।


















