ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଇ ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ। ନବୀନ କିଛି ନୁହନ୍ତି, ତାମିଲ୍ବାବୁଙ୍କ ଇସାରାରେ ସବୁକିଛି ଚାଲୁଛି କହି ରମା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।
- ନବୀନଙ୍କୁ ସମାଲୋଚନା କଲେ ରମାରଞ୍ଜନ
- ନବୀନଙ୍କ ଦୂରଦୃଷ୍ଟି ନାହିଁ କହିଲେ ସତ୍ୟବାଦୀର ପୂର୍ବତନ ବିଧାୟକ
- ତାମିଲ୍ବାବୁଙ୍କ ପ୍ରରୋଚନାରେ ଚାଲିଛି ଦଳ: ରମାରଞ୍ଜନ
- ବିଜେଡି ମୁଖପାତ୍ର କହିଲେ, “ନବୀନବାବୁ ନିଅନ୍ତି ସବୁ ନିଷ୍ପତ୍ତି”
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବିଷୋଦ୍ଗାର କରିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରମା।
ନବୀନ ଓଡ଼ିଶା ଚଳାଇବାରେ ଏବଂ ଦଳକୁ ନିୟନ୍ତ୍ରଣ କରିବାରେ ଅସମର୍ଥ କହିବା ସହ ଜଣେ ତାମିଲ୍ବାବୁଙ୍କ ଇସାରାରେ ଦଳ ପରିଚାଳିତ ହେଉଥିବା କହି ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି ଏହି ବରିଷ୍ଠ ନେତା।
“ଆପଣଙ୍କ ନିକଟରେ ଆମେ ସୁରକ୍ଷିତ ନୋହୁଁ। ଆପଣଙ୍କ ଅଦୂରଦର୍ଶିତା କାରଣରୁ ଦଳର ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି। ତାମିଲବାବୁ ଏବଂ କିଛି ଆଙ୍ଗୁଠିଗଣତି ନେତାଙ୍କ ପ୍ରରୋଚନାରେ ଯାହା ଚାଲିଛି ତାହା ଆପଣଙ୍କ ପାଇଁ ଆତ୍ମଘାତୀ ହେବ”, ନବୀନ ପଟ୍ଟନାୟକଙ୍କ ନିକଟକୁ ଦିଆଯାଇଥିବା ଇସ୍ତଫାପତ୍ରରେ ରମାରଞ୍ଜନ ଏହା ଉଲ୍ଲେଖ କରିଛନ୍ତି। ତାଙ୍କ ମନରେ ଥିବା ଅସନ୍ତୋଷକୁ ସେ ଏହା ମାଧ୍ୟମରେ ଜାହିର୍ କରିଛନ୍ତି।
ରମାରଞ୍ଜନ ବଳିୟାର ସିଂହ ଥିଲେ ବିଜେଡିର ଜଣେ ଆଗଧାଡ଼ିର ନେତା। ୨୦୧୪ରେ ସେ ବିଜେଡି ଟିକେଟରେ ସତ୍ୟବାଦୀରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସ୍ୱାଧୀନ ସଭ୍ୟ ଉମାକାନ୍ତ ସାମନ୍ତସିଂହାରଙ୍କଠାରୁ ସେ ପରାଜିତ ହୋଇଥିଲେ।
ଏହା ପୂର୍ବରୁ ୨୦୦୪ରେ ରମା ସ୍ବାଧୀନ ଭାବେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଜେଡିରେ ମିଶିଥିଲେ। କିନ୍ତୁ ୨୦୧୪ ନିର୍ବାଚନ ପରେ ରମା ବିଜେଡିରେ ଅଲୋଡା ହୋଇଯାଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ବାଧୀନ ସଭ୍ୟ ଉମାକାନ୍ତ ସାମନ୍ତସିଂହାର ବିଜେଡିରେ ମିଶିବା ପରେ ରମାରଞ୍ଜନଙ୍କ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ରମା ଆଜି ଦଳ ଛାଡ଼ିଛନ୍ତି।
ରମା ଆହୁରି କହିଛନ୍ତି ଯେ, “ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲି। ୨୦୦୮-୦୯ରେ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିଲି। ୨୦୧୪ ନିର୍ବାଚନରେ ମୁଁ ମାତ୍ର ୧୫୦୦ ଭୋଟରେ ପରାଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ମୋ ସହ ଅନ୍ୟାୟ କରାଯାଇଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମକୁ ମୋତେ ଡକାଗଲା ନାହିଁ। ମୋ ଅଜାଣତରେ ସତ୍ୟବାଦୀର ସ୍ୱାଧୀନ ସଭ୍ୟଙ୍କୁ ଦଳରେ ସାମିଲ୍ କରାଗଲା। ଏହା ଅତ୍ୟନ୍ତ ଦୁଃଖଦାୟକ”
ଖାଲି ସେତିକି ନୁହେଁ, ଯେଉଁ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କ ସାଙ୍ଗଠନିକ କଥାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଏବଂ ଯିଏ ସାଂସଦଙ୍କୁ ଅଣ୍ଡା ମାଡ଼ କରିଥିଲେ ସେମାନଙ୍କୁ ଦଳରେ ସାମିଲ୍ କରାଯାଇଛି ବୋଲି କ୍ଷୋଭର ସହ କହିଛନ୍ତି ରମାରଞ୍ଜନ।
ରମାରଞ୍ଜନ ତାଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କହିଛନ୍ତି, “୨୫ ବର୍ଷ ହେଲା ସତ୍ୟବାଦୀ ଏବଂ କଣାସବାସୀ ମୋତେ ସମର୍ଥନ ଦେଇ ଆସିଛନ୍ତି। ସେମାନଙ୍କ ସହ ଆଲୋଚନା କରିବା ପରେ ମୁଁ ପରବର୍ତ୍ତୀ ପଦକ୍ଷେପ ନେବି।”
ରମାରଞ୍ଜନଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅମରପ୍ରସାଦ ଶତପଥୀ। କହିଛନ୍ତି, “ରମାରଞ୍ଜନଙ୍କ କଥାରେ କୌଣସି ସତ୍ୟତା ନାହିଁ। ଦଳରେ କେବଳ ନବୀନବାବୁ ହିଁ ସବୁ ନିଷ୍ପତ୍ତି ନିଅନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଦଳ ଚାଲିଛି। ଦଳରେ କ’ଣ କାର୍ଯ୍ୟକ୍ରମ ହେବ ଏବଂ କିଏ ଆସିବ ନଆସିବ ତାହା ଦଳର ସଭାପତି ନିଷ୍ପତ୍ତି ନେଇଥାନ୍ତି।”








ବିଜେଡିରୁ ଇସ୍ତଫା ଦେଇ ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ। ନବୀନ କିଛି ନୁହନ୍ତି, ତାମିଲ୍ବାବୁଙ୍କ ଇସାରାରେ ସବୁକିଛି ଚାଲୁଛି କହି ରମା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।





