ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାପାନ ଭାଷାରେ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ
  • ଜାପାନ୍ ସରକାର ଦେବେ ସହାୟତା
  • ମୁଖ୍ୟମନ୍ତ୍ରୀ ଦେଲେ ସବୁଜ ସଙ୍କେତ

ଓଡ଼ିଶା ଓ ଜାପାନ୍ ମଧ୍ୟରେ ବଢୁଛି ସମ୍ପର୍କ। ଓଡ଼ିଶା ଓ ଜାପାନ୍ ମଧ୍ୟରେ ସୁଦୃଢ ହେଉଛି ସାଂସ୍କୃତିକ ଭାବ ବିନିମୟ। ଏ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ପାଦ ଆଗକୁ ବଢିଥିବାବେଳେ ଜାପାନ ସରକାର ଦୁଇପାଦ ଆଗକୁ ପକାଉଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାରରେ ଖୋଲିବାକୁ ଯାଉଛି ଜାପାନୀ ଭାଷା ଅଧ୍ୟୟନ କେନ୍ଦ୍ର। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କୁଳାଧିପତି ତଥା ରାଜ୍ୟପାଳ ଏସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସବୁଜ ସଙ୍କେତ ଦେବା ପରେ ଜାପାନ ସରକାର ଉତ୍ସାହିତ ହୋଇପଡିଛନ୍ତି।  ଆବଶ୍ୟକ ଅନୁଦାନ ଯୋଗାଇ ଦେବା ପାଇଁ ଜାପାନ୍ ସରକାର ରାଜି ହୋଇଛନ୍ତି। ଆସନ୍ତା ୩ମାସ ମଧ୍ୟରେ ଏ ସମ୍ପର୍କରେ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଶେଷ ହେବ।

ଆସନ୍ତା ଶିକ୍ଷା ବର୍ଷରୁ ବାଣୀବିହାରରେ ଜାପାନ ଭାଷାରେ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ପୂର୍ବଭାରତରେ ବାଣୀବିହାରର ଜାପାନୀ ଭାଷା ଅଧ୍ୟୟନ କେନ୍ଦ୍ର ଏକ ପ୍ରମୁଖ କେନ୍ଦ୍ରର ମାନ୍ୟତା ପାଇପାରିବ ବୋଲି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେନ୍‌ଜି ହୀରାମାସ୍ତୁ କହିଛନ୍ତି। ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ ସହ ଜାପାନର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯୋଡାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ରାଜିନାମା ସ୍ଵାକ୍ଷରିତ ହେବ ବୋଲି କେନ୍‌ଜି କହିଛନ୍ତି। ଏବେ ଉତ୍କଳ ବିଶ୍ଵବିଦ୍ୟାଳୟର ହୁରମାନ୍ ସାଇନ୍ସ ବିଭାଗରେ ଜାପାନୀ ଭାଷା ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପାଇଁ ଜାପାନ ରାଷ୍ଟ୍ରଦୂତ କେନ୍‌ଜି, ତାଙ୍କ ସ୍ତ୍ରୀ ପାଟ୍ରିସିୟା ହୀରାମାସ୍ତୁ, କଲିକତାରେ ଥିବା ଜାପାନର କନ୍‌ସଲ ଜେନେରାଲ ମାସାୟୁଜି ଟାଗା, କାଉନସିଲର ଟ୍ରିସିଆ ମିୟାକେ ବାଣୀବିହାର ଆସିଥିଲେ। ସେମାନେ ପ୍ରକଳ୍ପ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ ଜାପାନୀ ଭାଷା ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here