ଓଡ଼ିଶାଲାଇଭ୍ ବ୍ୟୁରୋ

- ଜାରି ହେଲା ନୂଆ ଗାଇଡ୍ ଲାଇନ୍
- ଛାତ୍ରୀଥିଲେ ଶିକ୍ଷୟିତ୍ରୀ ରହିବା ବାଧ୍ୟ
- ସମ୍ବେଦନଶୀଳ ସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଅନୁମତି
- ଅଭିଭାବକ ରାଜି ନହେଲେ ଯିବେନି ପିଲା
ପିକ୍ନିକ୍ କିମ୍ବା ଷ୍ଟଡିଟୁର୍ରେ ଯାଉଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଜାରି କରିଛନ୍ତି ନୂଆ ଗାଇଡ୍ ଲାଇନ୍। କେନ୍ଦ୍ର ମାନବ ସମ୍ବଳ ବିଭାଗ(ଏଚ୍ଆରଡି)ର ପରାମର୍ଶରେ ରାଜ୍ୟ ସରକାର ଏହି ଗାଇଡ୍ ଲାଇନ୍ ଜାରି କରିଛନ୍ତି।
ନୂଆ ନିୟମ ଅନୁସାରେ ଅଭିଭାବକମାନଙ୍କ ବିନା ସହମତିରେ ପିଲାମାନେ ପିକ୍ନିକ୍ କିମ୍ବା ଷ୍ଟଡିଟୁର୍ରେ ଯାଇପାରିବେ ନାହିଁ। କେଉଁ ସ୍ଥାନକୁ ଯିବେ, କେତେ ପିଲା ଯାଉଛନ୍ତି, କିପରି ଯାଉଛନ୍ତି ଇତ୍ୟାଦି ସମସ୍ତ ତଥ୍ୟ ସ୍ଥାନୀୟ ପ୍ରଶାସନ ନିକଟରେ ରହିବ। ଛାତ୍ରୀମାନେ ଥିଲେ ଜଣେ ଶିକ୍ଷୟିତ୍ରୀ ଯିବା ବାଧ୍ୟତାମୂଳକ କରାଯାଇଛି।
ପିଲାମାନଙ୍କ ସହ ଜଣେ ବରିଷ୍ଠ ଶିକ୍ଷକ ଯିବା ସହ ଯେଉଁ ସ୍ଥାକୁ ଯିବେ ସେଠାର ଜଣେ ଟୁର ଅପରେଟରଙ୍କ ସହାୟତା ନେଇପାରିବେ। ଟୁର ଅପରେଟର ହିଁ ସମ୍ପୃକ୍ତ ସ୍ଥାନ ବିଷୟରେ ପିଲାମାନଙ୍କୁ ଅଧିକ ତଥ୍ୟ ଦେଇପାରିବେ। ଫଳରେ ପିଲାମାନେ ସେ ସମ୍ପର୍କରେ ଅଧିକ ଜ୍ଞାନ ପାଇପାରିବେ। କୌଣସି ପିଲା ଗାଡ଼ିରେ ଠିଆ ହୋଇ ଯାଇପାରିବେ ନାହିଁ। ପିକ୍ନିକ୍ କିମ୍ବା ଷ୍ଟଡିଟୁର୍ରେ ଯାଉଥିବା ବସ୍ର ଲାଇସେନ୍ସ ଥିବା ସହ ଡ୍ରାଇଭର ଓ ହେଲପରଙ୍କ ସବିଶେଷ ତଥ୍ୟ ସ୍ଥାନୀୟ ଥାନା ଓ ପ୍ରଶାସନ ନିକଟରେ ରହିବ।
ପିକ୍ନିକ୍ କିମ୍ବା ଷ୍ଟଡିଟୁର୍ରେ ଯାଉଥିବା ପିଲା ଓ ସେମାନଙ୍କ ଅଭିଭାବକମାନଙ୍କ ସବିଶେଷ ତଥ୍ୟ, ଟେଲିଫେନ୍ ନମ୍ବର ପ୍ରଶାସନ ନିକଟରେ ରହିବ। ଏହାର ଏକ ନକଲ ପିଲାମାନଙ୍କୁ ଦିଆଯିବ। ଡ୍ୟାମ୍ ଓ ସମୁଦ୍ରକୂଳ ଭଳି ଶୀଳ ସ୍ଥାନକୁ ପିଲାମାନେ ଯାଉଥିଲେ ଜିଲ୍ଲାପାଳ କିମ୍ବା ସେହି ପାହ୍ୟାର ଅଧିକାରୀଙ୍କ ଅନୁମତି ଜରୁରୀ ବୋଲି ନୂଆ ଗାଇଡ୍ ଲାଇନ୍ରେ କୁହାଯାଇଛି।


















