- ଧର୍ମେନ୍ଦ୍ର କହିଲେ,”ରାଜ୍ୟରେ ଚାଲିଛି ସ୍ଥାଣୁ ସରକାର”
- ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ର ଜବାବ ଦେଲା ବିଜେଡି
- ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଲେ, “ବିଜେପି ୧୦ ଭାଗ ହୋଇଯାଇଛି”
- ବିଜେଡିର ଜଣେ ନେତା, ସେ ହେଉଛନ୍ତି ନବୀନ ପଟ୍ଟନାୟକ : ସୂର୍ଯ୍ୟ
ରାଜ୍ୟ ସରକାରଙ୍କୁ ପୁଣି ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ୍ କରି କଟୁ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଛି ବିଜେଡି।
“ଓଡ଼ିଶାରେ ସାମ୍ବିଧାନିକ ସଙ୍କଟ ଦେଖାଦେଲାଣି। ଶାସନ ବ୍ୟବସ୍ଥାରେ କିଏ କେଉଁ ନାୟିତ୍ବ ନେବ ତାର ନିୟମ ରହିଥିବା ବେଳେ ଏହି ନିୟମରେ ବ୍ୟତିକ୍ରମ ଦେଖାଦେଇଛି। ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା ଅପାରଗ ଏବଂ ସ୍ଥାଣୁ। ଶାସକ ଦଳର ଅନ୍ତଃକନ୍ଦଳ ଧିରେ ଧିରେ ପଦାକୁ ଆସିଲାଣି”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱରରେ ଶନିବାରଠାରୁ ଆରମ୍ଭ ହୋଇଛି ୨୨ତମ ରିଫାଇନିଂ ଏବଂ ପେଟ୍ରୋ କେମିକାଲ ବୈଷୟିକ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ପେଟ୍ରୋଲିୟମ୍ ଏବଂ ପ୍ରାକୃତି ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଦ୍ଘାଟନ କରିବା ପରେ ଧର୍ମେନ୍ଦ୍ର ଗଣମାଧ୍ୟମରେ ବିବୃତି ଦେଇ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ।
ଧର୍ମେନ୍ଦ୍ରଙ୍କ ଜବାବର ପ୍ରତିକ୍ରିୟ ରଖିଛି ବିଜେଡି। ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଜେପି ଏବଂ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, “ବିଜେପି ଓଡ଼ିଶାରେ ସ୍ଥିତି ହରାଇଛି। ଧର୍ମେନ୍ଦ୍ର ପ୍ରଧାନ କ’ଣ କହିଲେ ଏବଂ କାହାକୁ ଇଙ୍ଗିତ କରି କହିଲେ ତାହା ସେ ନିଜେ ଜାଣିଥିବେ। ଓଡ଼ିଶାରେ ବିଜେପି ୧୦ ଭାଗ ହୋଇଯାଇଛି। ଆମ ଦଳରେ ଜଣେ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ୧୭ ବର୍ଷ ହେଲା ଆମେ ଜିତି ଆସୁଛୁ। ଆଗକୁ ମଧ୍ୟ ଜିତିବୁ।”
ତିନି ଦିନ ହେଲା ତୃତୀୟ ମହଲା ଅଫିସରଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲା ଅଫିସରଙ୍କ ଉପରେ ବର୍ଷିବା ପରେ ଧର୍ମେନ୍ଦ୍ର ମଧ୍ୟ ଟାର୍ଗେଟ୍ କରିଥିଲେ। କହିଥିଲେ, “ମୁଖ୍ୟ ଶାସନ ସଚିବ ନାଁକୁ ମାତ୍ର ଅଛନ୍ତି। ହେଲେ ତୃତୀୟ ମହଲା ଅଫିସର ରାଜ୍ୟର ୫୫୦ ଥାନାକୁ ନିୟନ୍ତ୍ରଣ କରୁଛନ୍ତି।”















