ଓଡ଼ିଶାଲାଇଭ୍ ବ୍ୟୁରୋ
- ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା
- ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ୫୦ ବର୍ଷର ପୁରୁଷ ଏବଂ ୪୦ ବର୍ଷ ବୟସର ମହିଳା କଳାକାରଙ୍କୁ ମିଳିବ ଭତ୍ତା
କଳାକାରମାନଙ୍କୁ ରାଜ୍ୟ ସରକାର ଦେଇଛନ୍ତି ନୂଆବର୍ଷ ଭେଟି। ଏଥିପାଇଁ ରାଜ୍ୟ ସରକାର ଶୁଭାରମ୍ଭ କରିଛନ୍ତି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’। ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ଶୁଭାରମ୍ଭ କରି ଓଡ଼ିଶାର କଳାକାରମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି।
ଏହି ଯୋଜନାରେ ୫୦ ହଜାର କଳାକାରଙ୍କୁ ସାମିଲ୍ କରାଯାଇଛି। ଏମାନଙ୍କୁ ପ୍ରତି ମାସରେ ୧୨୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ। ବର୍ତ୍ତମାନ ରାଜ୍ୟରେ ମାତ୍ର ୪ ହଜାର କଳାକାର ଏହି ଭତ୍ତା ପାଉଛନ୍ତି। ଏହି ସହାୟତା ପାଇଁ ଥିବା ନିୟମାବଳୀରେ କିଛି ପରିବର୍ତ୍ତନ କରାଯାଇଛି।
ସହାୟତା ପାଇଁ ଆଗରୁ ପୁରୁଷ କଳାକାରଙ୍କ ବୟସ ୬୦ ବର୍ଷ ଏବଂ ମହିଳା କଳାକାରଙ୍କ ବୟସ ୫୦ ବର୍ଷ ଥିଲା। ଏହାକୁ ଏବେ ହ୍ରାସ କରାଯାଇଛି। ଯେଉଁ ପୁରୁଷ କଳାକାରଙ୍କ ବୟସ ୫୦ ଏବଂ ମହିଳା କଳାକାରଙ୍କ ବୟସ ୪୦ ହୋଇଥିବ ସେମାନେ ଏହି ସହାୟତା ପାଇଁ ଆବେଦନ କରିପାରିବେ। ତେବେ କଳାକାର ଚୟନ ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “କଳା ଓ ସଂସ୍କୃତି ଓଡ଼ିଶାର ଅନନ୍ୟ ପରିଚୟ। ଆମ କଳାକାରମାନଙ୍କ ଦକ୍ଷତା ଯୋଗୁ ଓଡ଼ିଶା ଦେଶ ବିଦେଶରେ ଗୌରବାନ୍ୱିତ ହୋଇଛି। କଳା ପ୍ରତି ସେମାନଙ୍କର ନିଷ୍ଠା ଏବଂ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସଚିବାଳୟରେ ଏହି ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କରିବା ବେଳେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗୃହ ବିଭାଗ ଅତିରିକ୍ତ ସଚିବ ଅସିତ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।