ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଲୁମିନିୟମ୍ ଶିଳ୍ପର ବିକାଶ ପାଇଁ ଅନେକ ସମ୍ଭାବନା ରହିଛି। ଅନୁଗୁଳସ୍ଥିତ ଆଲୁମିନିୟମ୍ ପାର୍କରେ ପୁଞ୍ଜିନିବେଶ କରିବା ପାଇଁ ଇଟାଲିରୁ ଏକ ପ୍ରତିନିଧି ଦଳ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଇଟାଲି କନ୍ସଲ୍ ଜେନେରାଲ ଡାମିଆନୋ ଫ୍ରାଙ୍କୋଭିଗଙ୍କ ନେତୃତ୍ୱରେ ଇଟାଲିରୁ ଏକ ପ୍ରତିନିଧି ଦଳ ଶୁକ୍ରବାର ଅନୁଗୁଳସ୍ଥିତ ଆଲୁମିନିୟମ୍ ପାର୍କ ପରିଦର୍ଶନ କରିବା ପରେ ଭୁ୍ବନେଶ୍ୱର ଫେରିଛନ୍ତି।
ଆଲୁମିନିୟମ୍ ଶିଳ୍ପରେ ସମ୍ଭାବ୍ୟ ପୁଞ୍ଜି ନିବେଶ ପ୍ରସଙ୍ଗରେ ଇଟାଲି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଶନିବାର ଆଲୋଚନା କରିଛନ୍ତି।
ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ନାଲ୍କୋ ନଗରରେ ଶନିବାର ଭାରତ-ଇଟାଲୀୟ ମେଟାଲ୍ ହବ୍ କର୍ମଶାଳା ଆୟୋଜନ କରାଯାଇଥିଲା। ଅନୁଗୁଳ ନାଲ୍କୋ ପାର୍କକୁ କିପରି ବିକଶିତ କରାଯାଇ ପାରିବ ଏବଂ ପୁଞ୍ଜି ନିବେଶ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କର୍ମଶାଳାରେ ଇଟାଲିରୁ ଆସିଥିବା ପ୍ରତିନିଧି, ରାଜ୍ୟ ସରକାର ଏବଂ ନାଲ୍କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୁମିନିୟମ୍ ପାର୍କରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟ ଶିଳ୍ପ, ଗୃହନିର୍ମାଣ ଏବଂ ସହର ବିକାଶ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସେମିନାର୍କୁ ଉଦ୍ଘାଟନ କରିଥିଲେ। ଭାରତ, ଇଟାଲି ଏବଂ ୟୁରୋପରେ ସ୍ୱଳ୍ପ-ଉଦ୍ୟୋଗ କ୍ଷେତ୍ରରେ ନୀତି ନିର୍ଦ୍ଧାରକଙ୍କ ପାଇଁ ଏହି ମେଟାଲ୍ ହବ୍ ସେମିନାର ସହାୟକ ହେବ ବୋଲି କୁହାଯାଉଛି।
ଇଟାଲିରୁ ଆସିଥିବା ପ୍ରତିନିଧି ଦଳରେ ଆମାଫଣ୍ଡର ସଭାପତି ମରିଜିଓ ସାଲା ଏବଂ ଆର୍ଟଭ୍ୟାଲିର ଫ୍ରାନ୍ସେସ୍କା ବୃନି, ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, “ଅନୁଗୁଳରେ ନାଲ୍କୋର ଆଲୁମିନିୟମ୍ ପାର୍କ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ଆଲୁମିନିୟମ୍ର ଚାହିଦା ବଢ଼ିଛି। ଓଡ଼ିଶାକୁ ଆଲୁମିନିୟମ୍ ସେକ୍ଟରର ହବ୍ କରିବା ପାଇଁ ଓଡ଼ିଶା ସରକାର ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି। ଇଟାଲି ସହିତ ଓଡ଼ିଶାର ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଇଟାଲିର ପ୍ରତିନିଧିମଣ୍ଡଳୀକୁ ନିମନ୍ତ୍ରଣ କରାଯିବ। ଆଶା କରାଯାଉଛି ପୁଞ୍ଜି ନିବେଶ କ୍ଷେତ୍ରରେ ଆଗକୁ ଏମାନେ ସହଯୋଗ କରିବେ।”
ଇଟାଲିରୁ ଆସିଥିବା ପ୍ରତିନିଧିମଣ୍ଡଳୀ ଅନୁଗୁଳରେ ଥିବା ନାଲକୋର ଆଲୁମିନିୟମ୍ ପାର୍କକୁ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଆସନ୍ତା ୧୦ ବର୍ଷ ଭିତରେ ଏହି ପାର୍କ ବିଶ୍ଵର ୧ ନଂ ସ୍ଥାନରେ ପହଞ୍ଚିବ ବୋଲି ମତ ଦେଇଛନ୍ତି।
ଶିଳ୍ପ ଓ ଇସ୍ପାତ୍ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ୍ ଚୋପ୍ରା କହିଛନ୍ତି, “ଇଟାଲି ପ୍ରତିନିଧି ଦଳ ଅନୁଗୁଳ ନାଲକୋ ପାର୍କ ପରିଦର୍ଶନ କରିବା ପରେ ପୁଞ୍ଜି ନିବେଶକାରୀଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ପୁଞ୍ଜି ନିବେଶକାରୀ ଓଡ଼ିଶା ପ୍ରତି ଆକର୍ଷିତ ହେବେ ବୋଲି ଆଶା କରାଯାଉଛି।”
“ନାଲ୍କୋ ଏବଂ ଇଡ୍କୋ ଦ୍ୱାରା ପ୍ରସ୍ତାବିତ ଆଲୁମିନିୟମ ପାର୍କ ଅନ୍ତର୍ଜାତୀୟ ଟେକ୍ନୋଲୋଜି ଯୋଗାଣକାରୀ ଏବଂ ପ୍ରକଳ୍ପ ବିଶାରଦମାନଙ୍କୁ ଆକର୍ଷିତ କରିପାରିଛି। ଏହି ପାର୍କଟି ଅନ୍ତର୍ଜାତୀୟ ସ୍ତରର ମାନ୍ୟତା ହାସଲ କରିବ ବୋଲି ମୁଁ ଭାବୁଛି”, କହିଛନ୍ତି ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅତିରିକ୍ତ ମହା ନିର୍ଦ୍ଦେଶକ ପ୍ରତାପ ଆଦିତ୍ୟ ମିଶ୍ର।