ଓଡ଼ିଶାଲାଇଭ୍ ବ୍ୟୁରୋ

- ଇଚ୍ଛାକଲେ ଦିଲ୍ଲୀରେ ମାଗଣାରେ ପଢ଼ି ପାରିବେ ମମତା
- ଦିଲ୍ଲୀ ସରକାର ଯୋଗାଇ ଦେବେ ଆବଶ୍ୟକ ସୁବିଧା ସୁଯୋଗ
- ଆସନ୍ତା ୨୪ ତାରିଖରେ ସାହସିକତା ପୁରସ୍କାର ଗ୍ରହଣ କରିବେ ମମତା
କେନ୍ଦ୍ରାପଡ଼ା ଜିଲ୍ଲାର ସାହସୀ ବାଳିକା ମମତା ଦଳେଇଙ୍କୁ ଦିଲ୍ଲୀ ସରକାର ସାବାସୀ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ମମତାଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ଦେଇଛନ୍ତି ସୁନ୍ଦର ଅଫର।
ମମତା ଇଚ୍ଛା କଲେ ଜାତୀୟ ରାଜଧାନୀ ଦିଲ୍ଲୀରେ ମାଗଣାରେ ପଢ଼ିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ କେଜିରୱାଲ ଘୋଷଣା କରିଛନ୍ତି।
କୁମ୍ଭୀର ମୁହଁରୁ ସାନଭଉଣୀକୁ ବଞ୍ଚାଇ ବିରଳ ଉଦାହରଣ ସୃଷ୍ଟି କରିଥିବା ୬ବର୍ଷ ବୟସର ମମତା ଜାତୀୟ ସାହସିକତା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଦିଲ୍ଲୀରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଏହି ସାହାସୀ ବାଳିକାଙ୍କୁ ଉଚ୍ଚ ପ୍ରଶଂସା କରି କିଛି ପୁରସ୍କାର ମଧ୍ୟ ଦେଇଥିଲେ। ମମତାଙ୍କ ଶିକ୍ଷା ପାଇଁ ଦିଲ୍ଲୀ ସରକାର ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କେଜିରୱାଲ ଘୋଷଣା କରିଛନ୍ତି।
ବାପା ନିର୍ମଳ ଦଳେଇଙ୍କ ସହ ଦିଲ୍ଲୀ ଯାଇଥିବା ମମତା ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜାତୀୟ ସାହସିକତା ପୁରସ୍କାର ଗ୍ରହଣ କରିବେ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବଙ୍କୁଲ ଗାଁର ନିର୍ମଳ ଦଳେଇଙ୍କ ଝିଅ ମମତା ୨୦୧୭ ଏପିଲ୍ ୪ତାରିଖରେ ଗାଁ ପୋଖରୀକୁ ସାନଭଉଣୀ ସହ ଗାଧୋଇବାକୁ ଯାଇଥିଲେ।
ନଦୀରେ ଥିବା ୫ଫୁଟ ଲମ୍ବର ଏକ କୁମ୍ଭୀର ମମତାଙ୍କ ସାନଭଉଣୀଙ୍କୁ ଆକ୍ରମଣ କରିଥିଲା। ମମତା ଭୟଭୀତ ନହୋଇ ସାହସର ସହ ପରିସ୍ଥିତିର ମୁକାବିଲା କରିଥିଲେ। ବିରାଟ କୁମ୍ଭୀର ସହ ଲଢିଥିଲେ। ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ମୁହଁରୁ ସାନଭଉଣୀଙ୍କୁ ବଞ୍ଚାଇଥିଲେ ଏହି କଅଁଳ ଶିଶୁ ମମତା।
ମମତାଙ୍କ ଏହି ଅପୂର୍ବ ସାହସ ବିଜୁଳି ବେଗରେ ପ୍ରଚାର ହୋଇଯାଇଥିଲା। ବିଭିନ୍ନ ମହଲରୁ ଛୁଟିଥିଲା ପ୍ରଶଂସାର ସୁଅ। ଭାରତୀୟ ଶିଶୁ ବିକାଶ ପରିଷଦ ମମତାଙ୍କୁ ଜାତୀୟ ସାହସିକତା ପୁରସ୍କାର ଦେବା ପାଇଁ ମନୋନୀତ କରିଥିବାରୁ ରାଜନଗର ବ୍ଲକ ଓ କେନ୍ଦ୍ରାପଡ଼ାବାସୀ ଗର୍ବିତ ବୋଲି ଡାଙ୍ଗମାଳ ସରପଞ୍ଚ କହିଛନ୍ତି।
କଅଁଳ ବୟସରେ ଜୀବନକୁ ବାଜି ଲଗାଇ ଅପୂର୍ବ ସାହସ ପ୍ରଦର୍ଶନ କରିଥିବା ମମତାଙ୍କ ଭଳି ୧୯ଜଣ ପିଲାଙ୍କୁ ଚଳିତବର୍ଷ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି ଜାତୀୟ ସାହସିକତା ପୁରସ୍କାର।


















