ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପାଇବା ପରେ ନବୀନ ପଟ୍ଟନାୟକ ସୋମବାର ଅପରାହ୍ଣରେ ପହଞ୍ଚିଛନ୍ତି ଭୁବନେଶ୍ୱରରେ। ନବୀନଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରକୁ ଲୋକଙ୍କ ସୁଅ ଛୁଟିଥିଲା। ନବୀନଙ୍କ ପ୍ରତି ଲୋକଙ୍କ ଭଲ ପାଇବା ରହିଥିବା ବିଜେଡି କହିଥିବା ବେଳେ ବିଜେପି ଏହାକୁ କହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ।

ନବୀନ ପଟ୍ଟନାୟକ ଜିନ୍ଦାବାଦ୍..

ଆୱାର ସିଏମ୍‌, ଆଇଡଲ ସିଏମ୍‌…

ଆୱାର ସିଏମ୍‌, ଆୱାର ହିରୋ….

ଏମିତି ସ୍ଲୋଗାନ୍‌ରେ ଫାଟି ପଡ଼ୁଥିଲା ଏୟାରପୋର୍ଟରୁ ନବୀନ ନିବାସ ରାସ୍ତା। ୩୦ ହଜାରରୁ ଅଧିକ କର୍ମୀ ଏକାଠି ହୋଇଥିଲେ ରାଜଧାନୀ ଭୁବନେଶ୍ୱରରେ। ତାଙ୍କ ପ୍ରିୟ ନେତା ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପାଇଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ସ୍ୱାଗତ କରିବା ପାଇଁ ଧାଇଁ ଆସିଥିଲେ କର୍ମୀ। ପ୍ରାୟ ୩ ଘଣ୍ଟା ଧରି କର୍ମୀମାନେ ଏୟାରପୋର୍ଟରୁ ନବୀନ ନିବାସ ରାସ୍ତାରେ ଭିଡ଼ ଜମାଇଥିଲେ।

୨୦୧୭ ଅଗଷ୍ଟ ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଥିଲେ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର। ଦିଲ୍ଲୀରୁ ଏହି ପୁରସ୍କାର ଗ୍ରହଣ କରି ଯେତେବେଳେ ନବୀନ ଭୁବନେଶ୍ବର ଫେରିଲେ ସେତେବେଳେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ କର୍ମୀମାନେ ଭିଡ଼ ଜମାଇଥିଲେ।

ଏହି ପୁରସ୍କାର ପାଇବାର କିଛି ମାସ ପରେ ନବୀନ ପୁଣି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ପୁନେଠାରେ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ଅଗଷ୍ଟ ମାସର ଭିଡ଼କୁ ଟପି ଯାଇଥିଲା ଜାନୁଆରୀ ମାସର ଭିଡ଼। ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇବା ବେଳେ ଯେତିକି ଲୋକ ତାଙ୍କୁ ସ୍ୱାଗତ କରିବା ପାଇଁ ଆସିଥିଲେ ତାଠୁ ଦୁଇଗୁଣା ଅଧିକ ଲୋକ ସୋମବାର ଆସିଥିବା ଜଣାପଡ଼ିଛି।

ବାଜିଲା ଯୋଡ଼ି ଶଙ୍ଖ, ନାଗରା

ପୁରସ୍କାର ଗ୍ରହଣ କରି ନବୀନ ସୋମବାର ଅପରାହ୍ଣ ୩ଟା୨୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ନବୀନଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ କରାଯାଇଥିଲା ବ୍ୟାପକ ଆୟୋଜନ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ନବୀନ ପଟ୍ଟନାୟକଙ୍କ ହୋର୍ଡିଂ ମରାଯାଇଥିବା ଦେଖିବାକୁ ମିଳିଛି।

ଯୋଡ଼ି ଶଙ୍ଖ, ନାଗରା, ମହୁରୀ, ପାରମ୍ପରିକ ଲୋକନୃତ୍ୟ ଜରିଆରେ ନବୀନଙ୍କୁ ପାଛୋଟି ଆଣିଥିଲେ ବିଜେଡି କର୍ମୀ। ଏୟାରପୋର୍ଟରୁ ନବୀନ ନିବାସ ରାସ୍ତାର ଉଭୟ ପାର୍ଶ୍ବରେ କଳାକାରମାନେ ନାଚିଗାଇ ନବୀନବାବୁଙ୍କୁ ସ୍ୱାଗତ କରିଥିଲେ। ନବୀନ ହାତ ହଲାଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।

ରାସ୍ତା ପାଲଟିଲା ଜନସମୁଦ୍ର

ଏୟାରପୋର୍ଟରୁ ନବୀନ ନିବାସ ରାସ୍ତା ପାଲଟି ଯାଇଥିଲା ଜନସମୁଦ୍ର। ରାସ୍ତାର ଉଭୟ କଡ଼ରେ ନବୀନଙ୍କୁ ଅପେକ୍ଷା କରି ରହିଥିଲେ ଦଳୀୟ କର୍ମୀ। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ହେଲେ ଜନସମାଗମ ଏତେ ବଢ଼ି ଯାଇଥିଲା ଯେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ୍‌ ହୋଇଯାଇଥିଲା। ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ, ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରିଥିଲେ।

ବିଶେଷକରି ଛାତ୍ର ଓ ଯୁବ ବିଜେଡିର କର୍ମୀ ଏବଂ ନେତାଙ୍କ ସମାଗମ ହୋଇଥିଲା। ବିଭିନ୍ନ ସ୍ଲୋଗାନ୍ ଦେଇ ଏମାନେ ନବୀନଙ୍କୁ ସ୍ୱାଗତ କରିଥିଲେ। ଏହାସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ମଧ୍ୟ ନବୀନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ବାଇକ୍‌ରେ ୧୪୭ ପତାକା

ଜନସମୁଦ୍ର ଭିତରେ ବିଶେଷ ଆକର୍ଷଣ ସାଜିଥିଲେ ନିଆଳିରୁ ଆସିଥିବା ଜଟିଆ କାଳିଆ ନାମକ ବ୍ୟକ୍ତି। ସେ ତାଙ୍କ ବାଇକରେ ୧୪୭ଟି ପତାକା ଖଞ୍ଜି ଏୟାରପୋର୍ଟ ନବୀନ ନିବାସ ରାସ୍ତାରେ ପହଞ୍ଚିଥିଲେ।

ଓଡ଼ିଶାଲାଇଭ୍‌କୁ ସେ କହିଛନ୍ତି, “ନବୀନ ପଟ୍ଟନାୟକ ମୋ ପାଇଁ ଦେବତା। ମୁଁ ତାଙ୍କୁ ନବୀନ ଦେବତା ରୂପେ ପୂଜା କରେ। ସମୟ ଥିଲା ଆମେ ଭଲରେ ଖାଇବାକୁ ପାଉନଥିଲୁ। ହେଲେ ନବୀନବାବୁଙ୍କ ପାଇଁ ଆମେ ଭଲରେ ଖାଇବାକୁ ପାଉଛୁ। ପିଲାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟର ସମସ୍ତ ବ୍ୟବସ୍ଥା ସେ କରିଛନ୍ତି।”

Comment