ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏୟାରପୋର୍ଟରୁ ନବୀନ ନିବାସ ଜନସମୂଦ୍ର
  • ଏୟାରପୋର୍ଟରେ ନବୀନଙ୍କୁ ବିପୁଳ ସମ୍ବର୍ଦ୍ଧନା
  • ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ କମ୍ପିଲା ଏୟାରପୋର୍ଟ ରାସ୍ତା
  • ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
  • ନବୀନ କହିଲେ,”ଓଡ଼ିଶାବାସୀଙ୍କ ଆଦର ଓ ଭଲ ପାଇବା ମୋତେ ଋଣି କରିଛି”

“ଆପଣମାନଙ୍କ ଆଦର ଓ ଭଲପାଇବା ମୋତେ ଋଣି କରିଛି। ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରୁଛି। ଆସନ୍ତୁ ଓଡ଼ିଶାକୁ ନମ୍ବର-ୱାନ୍ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା”, ଭୁବନେଶ୍ୱର ଫେରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୁନେଠାରେ ରବିବାର ଅପରାହ୍ଣରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଗ୍ରହଣ କରିବା ପରେ ସୋମବାର ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରୁ ନବୀନ ନିବାସ ରାସ୍ତା ଜନସମୁଦ୍ର ପାଲଟି ଯାଇଥିଲା।

ହାତରେ ଦଳୀୟ ପତାକା ଧରି କର୍ମୀମାନେ ନବୀନଙ୍କୁ ସ୍ବାଗତ କରିଥିଲେ। ନବୀନ ନିବାସରୁ ଏୟାରପୋର୍ଟ ରାସ୍ତାରେ ୨୦ଟି ମଞ୍ଚ ତିଆରି କରାଯାଇଥିଲା।ମଞ୍ଚ ଉପରେ ବିଜେଡି ନେତା ଓ କର୍ମୀମାନେ ଛିଡ଼ା ହୋଇ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ।

ସୋମବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ। ଏକ ସ୍ୱତନ୍ତ୍ର ଗାଡ଼ିରେ ବସି ନବୀନ ନବୀନନିବାସ ଆସିଥିଲେ। ପାରମ୍ପରିକ ନୃତ୍ୟ ଓ ବାଜାରେ ନବୀନଙ୍କୁ ସ୍ୱାଗତ କରାଯାଇଥିଲା।

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପରେ ରାଜଧାନୀ ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଛାଇ ଯାଇଥିଲା। ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିବା ପରେ ଧନ୍ୟବାଦରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ‘ଜୟ ଜଗନ୍ନାଥ’ କହି ଭାଷଣ ଶେଷ କରିଥିଲେ।

ଏମ୍‌ଆଇଟି ଓ ୱାର୍ଲଡ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ୍‌, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୂରଲି ମନୋହର ଯୋଶୀ ଏହି ପୁରସ୍କାର ପ୍ରଦାନ କରିଥିଲେ।

ପୁରସ୍କାର ପାଇବା ପରେ ନବୀନ ଆବେଗମୟ ଭାଷଣ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here