ଓଡ଼ିଶାଲାଇଭ୍ ବ୍ୟୁରୋ

  • କୁନ୍ଦୁଲି ପୀଡିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେନି: କଂଗ୍ରେସ
  • ପୀଡ଼ିତାଙ୍କ ୧୦୦ ଦିନର ସଂଘର୍ଷ ସମୟରେ ଦିନେ ହେଲେ ବି ବିଜେପି ପୀଡ଼ିତାଙ୍କ ପାଖରେ ଛିଡ଼ା ହୋଇନଥିଲା: କଂଗ୍ରେସ
  • ପୀଡ଼ିତାଙ୍କ ପରିବାରଙ୍କ ଥଇଥାନ ପାଇଁ ପାଣ୍ଠି ଗଠନ କରାଯିବ: ପ୍ରସାଦ ହରିଚନ୍ଦନ

କୁନ୍ଦୁଲି ପୀଡ଼ିତାଙ୍କୁ ଯେଉଁମାନେ ନ୍ୟାୟ ବଦଳରେ ନିର୍ଯାତନା ଦେଉଥିଲେ, ଯେଉଁମାନେ ହାତକାଟି ଏହା ଗଣଦୁଷ୍କର୍ମ ନୁହେଁ ବୋଲି କହିଥିଲେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।

କୋରାପୁଟ ଜିଲ୍ଲାର କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଡକାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରସାଦ ହରିଚନ୍ଦନ। ସରକାରଙ୍କ ଅପାରଗତାରୁ ଏଭଳି କାଣ୍ଡ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ କୁନ୍ଦୁଲି ପୀଡିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେନି। ଏ ନେଇ ସିବିଆଇ ତଦନ୍ତ ଦାବି ଅର୍ଥହୀନ। କାରଣ ଓଡ଼ିଶା ପୁଲିସ୍‌ ଯେତେବେଳେ କେନ୍ଦ୍ରୀୟ ସାମରିକ ବାହିନୀ ବିରୋଧରେ ଯିବାକୁ ପଛଘୁଞ୍ଚା ଦେଲେ, ସେ କ୍ଷେତ୍ରରେ ସିବିଆଇ କିପରି ତଦନ୍ତ କରିପାରିବ? ବରଂ ହାଇକୋର୍ଟ ବା ସୁପ୍ରିମକୋର୍ଟ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ ଟିମ୍‌(ଏସ୍‌ଆଇଟି) ମାଧ୍ୟମରେ ତଦନ୍ତ ନିମନ୍ତେ ଅଦାଲତରେ ଆବେଦନ କରିବାକୁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।

ଅନ୍ୟ ପକ୍ଷରେ ଜୀବନ ସହିତ ପୀଡ଼ିତାଙ୍କ ୧୦୦ ଦିନର ସଂଘର୍ଷ ସମୟରେ ଦିନେ ହେଲେ ବି ବିଜେପି ତାଙ୍କ ପାଖରେ ଛିଡ଼ା ହୋଇନଥିଲା। କେନ୍ଦ୍ରୀୟ ସାମରିକ ବାହିନୀର ସଂପୃକ୍ତି ଜାଣି ବିଜେପି ପାଟିବନ୍ଦ କରି ରଖିଥିଲା। କିନ୍ତୁ ପୀଡ଼ିତାର ମୃତ୍ୟୁ ହେବା ପରେ ଯେତେବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା, ସେତେବେଳେ ବିଜେପି ପ୍ରଥମେ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ହରତାଳ ଡାକରା ଦେଇଥିଲା।

ଘଟଣା ଦିନରୁ ପୀଡିତାଙ୍କ ପରିବାର ସହ କଂଗ୍ରେସ ସବୁବେଳେ ରହିଆସିଛି। ଆଗାମୀ ଦିନରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ସବୁପ୍ରକାର ଚେଷ୍ଟା କରିବ ବୋଲି ପ୍ରସାଦ କହିଛନ୍ତି।

ପୀଡ଼ିତାଙ୍କ ମୃତ୍ୟୁ; ଆତ୍ମହତ୍ୟା କି ହତ୍ୟା, ତାଙ୍କୁ ଯେଉଁମାନେ ନ୍ୟାୟ ବଦଳରେ ନିର୍ଯାତନା ଦେଉଥିଲେ, ଯେଉଁମାନେ ହାତକାଟି ଏହା ଗଣଦୁଷ୍କର୍ମ ନୁହେଁ ବୋଲି କହିଥିଲେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଯେଉଁମାନେ ପୀଡିତାଙ୍କୁ  ମିଛୁଆ ବୋଲି ଆରୋପ କରିଥିଲେ, ସେ ସମସ୍ତ ଘଟଣା ନେଇ ନିରପେକ୍ଷ ତଦନ୍ତ ସହିତ ଦୋଷୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ନୈତିକତା ଦୃଷ୍ଟିରୁ ସରକାର ଇସ୍ତଫା ଦିଅନ୍ତୁ  ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

କଂଗ୍ରେସ ତରଫରୁ ପୀଡ଼ିତାଙ୍କ ପରିବାରଙ୍କ ଥଇଥାନ ପାଇଁ ପାଣ୍ଠି ଗଠନ କରି ସେଥିରେ ଜମା କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

LEAVE A REPLY

Please enter your comment!
Please enter your name here