ନୀଳାମ୍ବର ରଥ

ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ରାଜନୈତିକ କ୍ୟାରିଅର୍ ଭିତରେ ସମ୍ଭବତଃ ଏ ସପ୍ତାହ ଥିଲା ସବୁଠାରୁ ଅଧିକ ଘଟଣାବହୁଳ।

 ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏ ସପ୍ତାହ ଥିଲା ବେଶ୍ ଘଟଣାବହୁଳ। ଯଦିଓ ସପ୍ତାହ ଆରମ୍ଭ ଓ ଶେଷ ତାଙ୍କୁ ଶୁଭ ଫଳ ଦେଇଥିଲା, ତେବେ ମଝିରେ ତାଙ୍କ ପାଇଁ ଥିଲା ଘାତଚନ୍ଦ୍ର ପ୍ରାୟ ଅବସ୍ଥା। ନିଜକୁ ଏବେବି ରାଜନୀତିରେ ‘ଅନଭିଜ୍ଞ’ ବୋଲି ବର୍ଣ୍ଣନା କରୁଥିବା ନବୀନ କିନ୍ତୁ ରାଜନୀତି ଖେଳରେ ଏକ ପ୍ରକାର ସେଞ୍ଚୁରି ମାରିଥିଲେ।

୨୧ ଜାନୁଆରି ୨୦୧୮, ରବିବାର

ଏହି ଦିନଟି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଶୁଭ ଫଳଦାୟୀ। ସେ ଦିନ ମହାରାଷ୍ଟ୍ରର ପୁନେଠାରେ ତାଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପ୍ରଦାନ କରିଥିଲା ଏମଆଇଟି ୱାର୍ଲଡ ପିସ୍ ବିଶ୍ୱବିଦ୍ୟାଳୟ। ନବୀନ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ ଏବଂ ବିଜେପିର ବରିଷ୍ଠ ନେତା ଡକ୍ଟର ମୁରଲୀ ମନୋହର ଯୋଶୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ନବୀନ ତାଙ୍କ ରାଜନୈତିକ ଜୀବନର ସମ୍ଭବତଃ ସବୁଠାରୁ ଦୀର୍ଘ ଏବଂ ଆବେଗମୟ ଭାଷଣ ଦେଇଥିଲେ ସେଦିନ। ସେ କହିଥିଲେ ଯେ ରାଜନୀତିରେ ଧନସମ୍ପତ୍ତି, ପଦପଦବୀ ବା ପତିଆରା ବଡ଼ କଥା ନୁହେଁ; ଅସଲରେ ବଡ଼ କଥା ହେଉଛି ଲୋକଙ୍କୁ ଭଲ ପାଇବା ଓ ସେମାନଙ୍କ ଶ୍ରଦ୍ଧାଭାଜନ ହେବା।

ନିଜକୁ ରାଜନୀତିରେ ଏବେବି ଜଣେ ‘ନବୀନ’ ବୋଲି ବର୍ଣ୍ଣନା କରିବା ସହ ସେ କହିଥିଲେ ଯେ ‘‘ଆଜି ମୁଁ ଆପଣମାନଙ୍କ ସାମ୍ନାରେ ଠିଆ ହୋଇ ଓଡ଼ିଶାର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନରେ ଥିବା ଜଣେ ମୁଖ୍ୟମନ୍ତ୍ରୀ ଭାବେ କିଛି କହିବି ବୋଲି କେବେ ଭାବିନଥିଲି। ନବୀନ ସେଦିନ ତାଙ୍କ ସରକାରର ସଫଳତାର ରାଜ୍ ବର୍ଣ୍ଣନା କରିବା ସହିତ ତାଙ୍କ ରାଜନୈତିକ ଦର୍ଶନ ଉପସ୍ଥାପନ କରିଥିଲେ।

ସେ ଦିନ ଓଡ଼ିଶାର ଟେଲିଭିଜନ ଏବଂ ଅନଲାଇନ୍ ମିଡିଆ ତଥା ପରଦିନ ଖବରକାଗଜରେ ଛାଇ ଯାଇଥିଲେ ନବୀନ। ବିରୋଧୀମାନେ ଏହା ନବୀନଙ୍କ ‘ପୁରସ୍କାର କିଣା’ ବୋଲି ଅଭିଯୋଗ କରିଥିଲେ ମଧ୍ୟ ସାଧାରଣରେ ନବୀନ ଜଣେ ସଫଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପୁଣି ଥରେ ଦେଖାଇବାର ସୁଯୋଗ ପାଇଥିଲେ।

୨୨ ଜାନୁଆରି ୨୦୧୮, ସୋମବାର

ସୋମବାର ଦିନ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସ୍ୱାଗତ କରିବାକୁ ରାଜଧାନୀରେ ହୋଇଥିଲା ଖଚାଖଚ୍ ଭିଡ଼। ବିଜେଡିର ସବୁ ଛାମୁଆଁ ନେତା, ବିଭିନ୍ନ ଜିଲ୍ଳାରୁ ଆସିଥିବା ସ୍ଥାନୀୟ ନେତା ଏବଂ କର୍ମୀମାନେ ବିମାନବନ୍ଦରଠାରୁ ନବୀନ ନିବାସ ପର୍ଯ୍ୟନ୍ତ ରାସ୍ତାରେ ଭର୍ତ୍ତି ହୋଇଯାଇଥିଲେ। ନବୀନଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌ରେ ପାଛୋଟି ନିଆଗଲା। ବାଟରେ ପ୍ରସ୍ତୁତ ହୋଇଥିବା ମଞ୍ଚରେ ନବୀନ ସଂକ୍ଷିପ୍ତ ଭାଷଣ ଦେବାକୁ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ଉତ୍ସର୍ଗ କରିଥିଲେ।

ହେଲେ ନବୀନଙ୍କ ପାଇଁ ସେଦିନଟି ମଧ୍ୟ ଥିଲା ଘାତବାର। କାରଣ ସକାଳର ମାହେନ୍ଦ୍ର ବେଳା ଅପରାହ୍ଣରେ ଏକ ପ୍ରକାର ରାହୁ କାଳରେ ପରିଣତ ହୋଇଥିଲା। ଏପଟେ ନବୀନଙ୍କ ଜୟ ଜୟକାରରେ ଚଉଠେ ରାଜଧାନୀ ଫାଟି ପଡ଼ୁଥିବା ବେଳେ କୋରାପୁଟରୁ ଆସିଥିଲା କଳା ଖବର। ଗଣଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ କରିଥିଲେ ଆତ୍ମହତ୍ୟା। ଚାରି ଜଣ ଯବାନ ବା ସୁରକ୍ଷା କର୍ମୀ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ବୋଲି ସେ ଅଭିଯୋଗ କରିଥିବା ବେଳେ ତାଙ୍କ ଅଭିଯୋଗରେ ତାଳମେଳ ନାହିଁ ବୋଲି ପୋଲିସ କହି ଆସୁଥିଲା। ଏପରିକି ସେ ଦୁଷ୍କର୍ମର ଶିକାର ହୋଇନାହାନ୍ତି ବୋଲି ମଧ୍ୟ ସରକାରୀ ବ୍ୟବସ୍ଥାରେ ଢାଲ ଭଳି କାମ କରୁଥିବା କେହି କେହି ବାବୁ କହିଥିଲେ।

ଘଟଣା ଉପରେ ରହସ୍ୟର ପରଦା ହଟିନଥିବା ବେଳେ ପୀଡ଼ିତା ଆତ୍ମହତ୍ୟା କରିବା ସରକାରଙ୍କୁ, ବିଶେଷକରି ନବୀନଙ୍କ ଶ୍ରେଷ୍ଠ ପ୍ରଶାସକ ଭାବମୂର୍ତ୍ତି ପ୍ରତି ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ନବୀନଙ୍କୁ ସ୍ୱାଗତ କରିବାକୁ ନେଇ ହୋଇଥିବା ସବୁ ପ୍ରସ୍ତୁତି ଉପରେ ପାଣି ଢ଼ାଳିଦେଇଥିଲା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା।

୨୩ ଜାନୁଆରି ୨୦୧୮, ମଙ୍ଗଳବାର

ମଙ୍ଗଳବାର ଦିନ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ଏକ ପ୍ରକାର ନୂଆ ମୋଡ଼ ନେଇଥିଲା। ଶାସକ ବିଜେଡି ଏହି ଘଟଣାରେ ବ୍ୟାକ୍‌ଫୁଟରେ ଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଆଗ୍ରେସିଭ୍ ବ୍ୟାଟିଂ କରିଥିଲେ।

କୁନ୍ଦୁଲିରେ ଦୁଷ୍କର୍ମ ପୀଡ଼ିତାଙ୍କ ଶବକୁ ପକାଇ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ କଂଗ୍ରେସ। ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଏହି ଘଟଣାରେ ଆଗ ଧାଡ଼ିରେ ଥିଲେ। ଶ୍ରୀଯୁକ୍ତ ମାଝି ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହାନୀପତିଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କ ଶବକୁ ଜୋରଜବରଦସ୍ତ ଡାକ୍ତରଖାନାରୁ ଉଠାଇ ଆଣିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ସେଠାରେ ପହଞ୍ଚି  କୁନ୍ଦୁଲି ମାମଲାରେ ସରକାରଙ୍କ ଉପରେ ବର୍ଷିଥିଲେ।

ଏପଟେ ରାଜଧାନୀରେ ବିଜେପି ନେତା ଓ ସମର୍ଥକମାନେ ମାଷ୍ଟରକାଣ୍ଟିନରେ ବିକ୍ଷୋଭ କଲା ବେଳେ ପୋଲିସ ସହିତ ହାତାହାତି ହେଲେ। ପୋଲିସ ଲାଠିରେ ବିଜେପି କର୍ମୀଙ୍କ ମୁଣ୍ଡ ଫାଟିଲା।

ଉଭୟ ବିଜେପି ଓ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ସମ୍ପୂର୍ଣ୍ଣ ଘେରି ରଖିଥିଲେ। କଂଗ୍ରେସ ପରଦିନ ଓଡ଼ିଶା ବନ୍ଦ ଡାକରା ଦେବା ସହିତ ବିଜେପି ୧୨ ଘଣ୍ଟିଆ ହରତାଳ ବୋଲି ଘୋଷଣା କରିଥିଲା। ବିଜେଡି ନେତାମାନେ ପାଦେ ମାପି ଚାଖଣ୍ଡେ ଚାଲିବାକୁ ବାଧ୍ୟ ହୋଇଥିଲେ।

୨୪ ଜାନୁଆରି ୨୦୧୮, ବୁଧବାର

ଏହି ଦିନଟି ନବୀନଙ୍କ ପାଇଁ ଦେଇଥିଲା ମିଶ୍ର ଫଳ। ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ସତର୍କ ଓ ସଂଯତ ଗୁଣର ପରିଚୟ ଦେବା ସହ ସନ୍ଧ୍ୟା ବେଳକୁ ରାଜ୍ୟ ପାଣିପାଗକୁ ଏକ ପ୍ରକାର ନିଜ ଆଡ଼କୁ ଟାଣି ନେଇଥିଲେ। ଦିନର ସକାଳର ବନ୍ଦ ନେଇ ହଲାପଟା, ପୋଡ଼ାଜଳା, ବିରୋଧୀଙ୍କ ନାରାବାଜିକୁ ନିରବରେ ସହିବାକୁ ବାଧ୍ୟ ହୋଇଥିଲେ ବିଜେଡି ନେତା ଓ କର୍ମୀ। ଅତୀତରେ ବିରୋଧୀଙ୍କ ଓଡ଼ିଶା ବନ୍ଦ ବେଳେ ବିଜେଡିର ଯୁବବାହିନୀ ଏବଂ ସମର୍ଥକମାନେ ରାସ୍ତାକୁ ବାହାରି ଆନ୍ଦୋଳନକାରୀଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥର ବିଜେଡି ଶିବିରରେ ଚାରିଆଡେ ଥିଲା ନୀରବତା।

ସନ୍ଧ୍ୟାବେଳକୁ ବିରେଧୀ ଦଳମାନେ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ସଫଳ ହୋଇଛି ବୋଲି କହି ଖବରର ହେଡ୍‌ଲାଇନ୍ ବନିବା ବେଳେ ନବୀନ ଗୋଟିଏ ଷ୍ଟ୍ରୋକ୍‌ରେ ହଲଚଲ୍ କରିଦେଇଥିଲେ ପୂରା ମିଡିଆକୁ। ନବୀନ ପଟ୍ଟନାୟକ ନିଜେ ନ କହି ଦଳର ଉପସଭାପତି ସୂର୍ଯ୍ୟ ପାତ୍ରଙ୍କ ମୁହଁରେ କରିଥିଲେ ଏହି ବିସ୍ଫୋରଣ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ସସ୍‌ପେଣ୍ଡ କରାଯିବା ଖବର ମୁହୂର୍ତ୍ତକରେ ଛାଇ ଯାଇଥିଲା ଇଲେକ୍ଟ୍ରୋନିକ ଗଣମାଧ୍ୟମରେ।

ନବୀନ-ବୈଜୟନ୍ତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିଲା ବେଶ୍ କିଛି ଦିନ ଧରି। ହେଲେ କୁନ୍ଦୁଲି ପୀଡ଼ିତାଙ୍କୁ ସମବେଦନା ଜଣାଇ ଓଡ଼ିଶା ବନ୍ଦ ସମ୍ପର୍କରେ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିବା ଖବର ଆସିଥିଲା। ସମୀକ୍ଷକଙ୍କ କହିବା କଥା ନବୀନବାବୁ ଗୋଟିଏ ଗୁଳିରେ ଦୁଇଟି ଶିକାର କଲେ। ଅମାନିଆ ସାଂସଦ ବୈଜୟନ୍ତଙ୍କୁ ଦେଲେ ଏକ ଶକ୍ତ ପ୍ରହାର। ସାରା ଓଡ଼ିଶାରେ ବନ୍ଦ ନେଇ ଯେଉଁ ଭାବନା ସୃଷ୍ଟି ହୋଇଥିଲା ତାହା ଉପରୁ ସାଧାରଣ ଲୋକଙ୍କ ଦୃଷ୍ଟି ହଟାଇବାକୁ ସଫଳ ହେଲେ ନବୀନବାବୁ।

ଏହି ଦିନ ଅବଶ୍ୟ ବିଜେଡି ପାଇଁ ଦିଲ୍ଲୀରୁ ଆସିଥିଲା ଏକ ଶୁଭ ଖବର। ମହାନଦୀ ଜଳ ବିବାଦ ଘଟଣାର ସମାଧାନ ପାଇଁ ମାସେ ଭିତରେ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଗତ କିଛି ମାସ ଧରି ରାଜ୍ୟରେ ବିଜେଡି- ବିଜେପି ଜବାବ ସୁଆଲର ଏକ ବଡ଼ ବିଷୟ ହେଉଛି ମହାନଦୀ। ଏବେ ସୁପ୍ରିମକୋର୍ଟଙ୍କର ଏଭଳି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ଉପରେ ଛାଟ ହୋଇଥିବାରୁ ବିଜେଡି ଶିବିରରେ ଉତ୍ସାହ ସୃଷ୍ଟି ହୋଇଥିଲା। ପରିସ୍ଥିତିରେ ପଡ଼ି ବିଜେପି ମଧ୍ୟ ଏହାକୁ ଓଡ଼ିଶାର ବିଜୟ ବୋଲି କହିବାକୁ ବାଧ୍ୟ ହୋଇଥିଲା।

୨୫ ଜାନୁଆରି ୨୦୧୮, ଗୁରୁବାର

ଗୁରୁବାର ଦିନ ନବୀନଙ୍କ ପାଇଁ ମଧ୍ୟ ଥିଲା ସତର୍କତା ଓ ନୀରବତାର ବେଳ। କାରଣ କୁନ୍ଦୁଲି ମାମଲାରେ ଓଡ଼ିଶା ବନ୍ଦ ସହିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ ଘଟଣାର କିଭଳି ପ୍ରତିକ୍ରିୟା ଆସୁଛି ତାହା ଥିଲା ଗୁରୁତ୍ୱପୂର୍ଣ୍ଣ।

କୁନ୍ଦୁଲି ମାମଲାରେ ସରକାରଙ୍କୁ ଦାୟୀ କରି ଅଭିନବ ଢଙ୍ଗରେ କୋକେଇ ଶୋଭାଯାତ୍ରା ଆରମ୍ଭ କରିଥିଲା ବିଜେପି ମହିଳା ମୋର୍ଚ୍ଚା।

୨୬ ଜାନୁଆରି ୨୦୧୮, ଶୁକ୍ରବାର

ସାଧାରଣତନ୍ତ୍ର ଦିବସ। ସରକାରୀ ଛୁଟି। ରାଜନୈତିକ ଉଠାପକାର ବିଶେଷ ସମ୍ଭାବନା ନଥିଲା।

ସେପଟେ ନବୀନଙ୍କ ଛାମୁଆ ନେତାମାନେ ବିଜୁ ପଟ୍ଟନାୟକଙ୍କ ଉପରେ ପ୍ରକାଶିତ The Tall Man Biju Patnaik ଇଂଲିସ୍ ପୁସ୍ତକର ଉନ୍ମୋଚନ ଉତ୍ସବର ଆୟୋଜନ ପାଇଁ ଜୋରସୋର୍ ଲାଗିପଡ଼ିଥିଲେ। ବିରୋଧୀଙ୍କ ଭାଷାରେ ଏହା ହେଉଛି ‘ବହି ରାଜନୀତି’। ଅର୍ଥାତ୍ ବିଜୁ ବାବୁଙ୍କ ନାଁକୁ ଆଧାରକରି ତଥା ଜାତୀୟ ସ୍ତରର ନେତାମାନଙ୍କୁ ଡକାଇ ଭୁବନେଶ୍ୱରରେ ଏକ ଭବ୍ୟ ସମାବେଶର ଆୟୋଜନ ବିଜେଡିର ଏକ ରାଜନୈତିକ ଷ୍ଟ୍ରାଟେର୍ଜି।

୨୭ ଜାନୁଆରି ୨୦୧୮, ଶନିବାର

ସପ୍ତାହର ଶେଷ ଦିନ। ନବୀନଙ୍କ ପାଇଁ ଥିଲା ଶୁଭାଶୁଭ। ବନ୍ଧୁ ଦର୍ଶନ। ଯଶ ପ୍ରାପ୍ତି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି ଦେବଗୌଡ଼ା, ପୂର୍ବତନ ଉପପ୍ରଧାନ ମନ୍ତ୍ରୀ ତଥା ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବଂ ସିପିଏମ୍ ମହାସଚିବ ସୀତାରାମ୍ ୟେଚୁରୀଙ୍କ ପରି ଅତିଥିମାନଙ୍କୁ ନବୀନ ନିବାସକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ। ମଧ୍ୟାହ୍ନ ଭୋଜନରେ ଡାଇନିଂ ଟେବୁଲରେ କଦଳୀପତ୍ର ଉପରେ ପରଷି ଦେଲେ ପିଆଜ ଶଣ୍ଢା ଭଜା, ଶାଗବଢ଼ି ଆଉ ସଜନା ଛୁଇଁ ଭଜା। ତା’ ସାଙ୍ଗକୁ କଂସା ଗିନାରେ ପଖାଳ ବ୍ୟବସ୍ଥା। ଖାଇବା ଶେଷରେ ଓଡ଼ିଶା ପ୍ରସିଦ୍ଧ ଛେନାପୋଡ଼।

ଅତିଥିମାନଙ୍କୁ ଓଡ଼ିଆ ରନ୍ଧଣା ଖୁଆଇବା କଥା ସୋସିଆଲ୍ ମିଡିଆର ଫ୍ୟାନ୍‌ମାନଙ୍କୁ ଜଣାଇଲେ ନବୀନ।

ଅପରାହ୍‌ଣ ସାଢ଼େ ୪ଟା ବେଳେ ଉତ୍କଳ ମଣ୍ଡପରେ ଖଚାଖଚ ଭିଡ଼। ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ ହେଲା। ଦେବେ ଗୌଡ଼ା କହିଲେ ବିଜୁଦାଦା ଭାରତରତ୍ନ ପାଇବା ପାଇଁ ହକ୍‌ଦାର ଥିଲେ। ଆଡ୍‌ଭାନି ଓ ୟେଚୁରୀ ମଧ୍ୟ ବିଜୁବାବୁଙ୍କୁ ଜାତୀୟ ସ୍ତରର ମହାନ୍ ନେତା ଭାବେ ବର୍ଣ୍ଣନା କଲେ।

ଏହି ଉତ୍ସବର ସବୁଠାରୁ ରୋଚକ ଦିଗ ଥିଲା ବାଘ-ଛେଳିଙ୍କୁ ଗୋଟିଏ ଘାଟରେ ପାଣି ପିଆଇବା। ଦର୍ଶକମାନଙ୍କ ଭିତରେ ବିଜୟ ମହାପାତ୍ରଙ୍କୁ ଦେଖି ମିଡିଆବାଲା ଚଟାପଟ୍ ରାଜ୍ୟସାରା  ଖବର ଦେଇଦେଲେ। ଅନ୍ୟ ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପ୍ରଫୁଲ ଘଡ଼େଇ, ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଶ୍ୱଭୂଷଣ ହରିଚନ୍ଦନ, ନରସିଂହ ମିଶ୍ର ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରି ପ୍ରଭାବଶାଳୀ ଓ ଚର୍ଚ୍ଚିତ ନେତା। ବିଜେଡି, ବିଜେପି, କଂଗ୍ରେସ ଓ ବାମପନ୍ଥୀ – ବିଜୁବାବୁଙ୍କ ପାଇଁ ଗୋଟିଏ ଜାଗାରେ ସମସ୍ତେ ରୁଣ୍ଡ। କେହି କେହି ତ ୟା ଭିତରୁ ଖୋଜିବା ଆରମ୍ଭ କଲେଣି ନୂଆ ନୂଆ ସମୀକରଣ।

ଶନିବାରଦିନ ସକାଳେ ବୈଜୟନ୍ତ ପଣ୍ଡା ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହା ପରେ ସେ ସ୍ୱର୍ଗଦ୍ୱାରରେ ପହଞ୍ଚି ବିଜୁବାବୁଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମିଡିଆ ବନ୍ଧୁମାନେ ତାଙ୍କୁ ଯେତେବେଳେ ପୁରୀରେ ଘେରିଗଲେ ସେ ଯାହା ସବୁକଥା କହିଲେ ତାହାର ସାରମର୍ମ ହେଉଛି ବୈଜୟନ୍ତ ବିଜେଡିରେ ମୂଳରୁ ଅଛନ୍ତି। ସେ କେବେ ଦଳ ଛାଡ଼ିବାକୁ କଥା ଭାବିନାହାନ୍ତି। ତେବେ ତାଙ୍କ ନେତା ତାଙ୍କୁ ଯେଉଁ ଦଣ୍ଡ ଦେଇଛନ୍ତି ତାହା ଅନ୍ୟାୟ ବୋଲି କହିବା ସହ ସେ ପୁଣିଥରେ ତୃତୀୟ ମହଲାର ଜଣେ ଅଫିସରଙ୍କ କୁଚକ୍ରାନ୍ତ ଯୋଗୁଁ ଏହା ଘଟୁଛି ବୋଲି ଗଣମାଧ୍ୟମକୁ କହିଥିଲେ। ଆଗରୁ ଦଳ ଭିତରେ ସବୁ ଠିକ୍‌ଠାକ୍ ଚାଲିଥିଲା। ତେବେ ଗତ ୩ ବର୍ଷ ହେଲା ତାହା ବିଗିଡ଼ି ଯାଇଛି ବୋଲି ବୈଜୟନ୍ତ କହିଥିଲେ।

ତାଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ ବୋଲି ମିଡିଆ ସିଧାସଳଖ ପ୍ରଶ୍ନ କରିଥିଲା। ହେଲେ ବୈଜୟନ୍ତ ଅତି ସଂକ୍ଷେପରେ କହିଥିଲେ ଯେ ସେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଜଗନ୍ନାଥଙ୍କ ଦର୍ଶନ କରି ସେ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଥିଲେ। ଖୁବ୍ ଶୀଘ୍ର ଥଣ୍ଡା ମୁଣ୍ଡରେ ସେ ଚିନ୍ତା କରିବେ ନିଷ୍ପତ୍ତି ନେବେ ବୋଲି ଉତ୍ତର ଦେଇଥିଲେ।

ବିଜୁବାବୁଙ୍କ ବହି ଉନ୍ମୋଚନ ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ ବୋଲି ବୈଜୟନ୍ତ ମିଡିଆ କହି ନବୀନଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ‘‘ମତେ ଡକାଯାଇନାହିଁ। ମୋ ପରିବାରକୁ ନିମନ୍ତ୍ରଣ ମିଳିଛି’’, ବୈଜୟନ୍ତ ଏହି ଅଭିଯୋଗ ଉଠାଇଥିଲେ। ରୋଚକ କଥା ହେଉଛି ଶନିବାର ଦିନ ଉତ୍କଳ ମଣ୍ଡପ ସଭାରେ ବୈଜୟନ୍ତଙ୍କ ପତ୍ନୀ ତଥା ତାଙ୍କ ମିଡିଆ କମ୍ପାନିର ମୁଖ୍ୟ ଜାଗି ମଙ୍ଗତ ପଣ୍ଡା ଆଗଧାଡ଼ିରେ ବସିବା ଉଭୟ ମିଡିଆ ଓ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଥିଲା।

ନବୀନଙ୍କ ସମର୍ଥକ ଓ ବିରୋଧୀ ଯିଏ ଯାହା କହନ୍ତୁ ପଛେ ଏ ସପ୍ତାହଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ବେଶ୍ ଘଟଣାବହୁଳ ରହିଥିଲା। ମୋଟାମୋଟି ଫଳ କଥା ଭାବିଲେ ନବୀନ ବିରୋଧୀଙ୍କ ବାଉଁସର ଓ ଗୁଗୁଲିର ମୁଣ୍ଡପାତି ମୁକାବିଲା କରିବା ସହ ଶେଷରେ ଚଉକା ଓ ଛକା ମାରିବାକୁ ସକ୍ଷମ ହୋଇଛନ୍ତି।

ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ରାଜନୈତିକ କ୍ୟାରିଅର୍ ଭିତରେ ସମ୍ଭବତଃ ଏ ସପ୍ତାହ ଥିଲା ସବୁଠାରୁ ଅଧିକ ଘଟଣାବହୁଳ।

(ଏହା ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଏହା ସହିତ ଓଡ଼ିଶାଲାଇଭ୍‍ ସମ୍ପାଦନାମଣ୍ଡଳୀ ବା ପଲିସି କୌଣସି ଭାବେ ଜଡ଼ିତ ନୁହେଁ।)

Comment