ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଚକ୍ର ହିଁ ନୀଳଚକ୍ର ନାମରେ ପ୍ରସିଦ୍ଧ। ଶ୍ରୀମନ୍ଦିର ରକ୍ଷାକବଚ ଭାବରେ ପତିତପାବନ ବାନାକୁ ଧରି ରଖିଥିବା ନୀଳଚକ୍ରଙ୍କ ଆଳତି ଆରମ୍ଭ ହୋଇଛି।
- ପଥମଥର ପାଇଁ ନୀଳଚକ୍ରରେ ଆରମ୍ଭ ହେଲା ମହାଆଳତି
- ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଏହି ଧାରା ସମଗ୍ର ବିଶ୍ୱବାସୀ ସାମିଲ ହେବାକୁ ଅନୁରୋଧ
- ଆଳତି କାର୍ଯ୍ୟକ୍ରମରେ କେବଳ ସାଧୁସନ୍ଥ ନୁହନ୍ତି, ବହୁସଂଖ୍ୟାରେ ସାଧାରଣ ଭକ୍ତ ବି ସାମିଲ
ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ରବିବାର ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଶ୍ରୀନୀଳଚକ୍ର ଆଳତି। ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟହ ରାଧାବଲ୍ଲଭ ମଠ ପରିସରରେ କରାଯିବା ପାଇଁ ସ୍ଥିର ହୋଇଛି।
ଗୋଟିଏ ପଟେ ଶ୍ରୀମନ୍ଦିର ଉପରେ ପତିତପାବନ ବାନା ଫର ଫର ଉଡୁଥିବାବେଳେ ସିଂହଦ୍ୱାର ସମ୍ମୁଖ ମଞ୍ଚରେ ଶ୍ରୀନୀଳଚକ୍ର ଆଳତିର ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।
ଅପରାହ୍ନ ୫ଟା ୪୫ରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ଟାରେ ଶ୍ରୀନୀଳଚକ୍ରଙ୍କ ୧୦୮ ମହାଆଳତି କରାଯାଇଥିଲା। ଏହି ସମୟରେ ନାମ ସଂକୀର୍ତ୍ତନ, ଶଙ୍ଖ, ହରିବୋଲ, ହୁଳାହୁଳି ଶବ୍ଦରେ ଉଚ୍ଛୁଳି ଉଠିଥିଲା ସିଂହଦ୍ୱାର ସମ୍ମୁଖ ଓ ବଡ଼ଦାଣ୍ଡ।
ପ୍ରଥମେ ଚତୁଃ ସମ୍ପ୍ରଦାୟ ସାଧୁ ସମାଜର ପଣ୍ଡା ମନୋରଞ୍ଜନ ସିଂହାରୀ ଆଳତି କରିବା ପରେ ସାଧୁସନ୍ଥ, ସେବାୟତ ଓ ଭକ୍ତ ଆଳତି କରିଥିଲେ। ଶ୍ରୀନୀଳଚକ୍ର ଆରାଧନା ସେବା ସଂସ୍ଥାନ ପକ୍ଷରୁ ଆରମ୍ଭ ହୋଇଥିବା ଶ୍ରୀନୀଳଚକ୍ରଙ୍କ ଆଳତି ଏଣିକି ପ୍ରତି ସନ୍ଧ୍ୟାରେ ରାଧାବଲ୍ଲଭ ମଠ ଉପରେ କରାଯିବ। ପ୍ରତି ଏକାଦଶୀ ତିଥିରେ ସାମୂହିକ ଭାବେ ଆଳତି ହେବ।
ଅପରାହ୍ନରେ ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରି ଆଳତି ପାଇଁ ସିଂହଦ୍ୱାର ସମ୍ମୁଖ ଆଧ୍ୟାତ୍ମିକ ମଞ୍ଚ ନିକଟରେ ପହଞ୍ଚତ୍ଥିଲେ। ସେଠାରେ ବିଭିନ୍ନ ମଠର ମଠାଧୀଶ ଓ ସେବାୟତ ଉପସ୍ଥିତ ଥିଲେ।
ମହାପ୍ରଭୁଙ୍କ ଆଜ୍ଞାମାଳ ମଞ୍ଚରେ ସ୍ଥାପିତ ହେବା ପରେ ବେଦପାଠ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ମହନ୍ତ ସୁବଳ ଚରଣ ଦାସ ଶ୍ରୀନୀଳଚକ୍ର ଆରାଧନା ଓ ଆଳତିର ଆଭିମୁଖ୍ୟ ପାଠ କରି କହିଥିଲେ, ଶ୍ରୀନୀଳଚକ୍ର ସାକ୍ଷାତ ଶ୍ରୀପତିତପାବନଙ୍କ ସ୍ଵରୂପ। ତାଙ୍କ ଆରାଧନାରେ ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ ଚତୁଃବର୍ଗ ଫଳ ପ୍ରଦାନ କରନ୍ତି।
ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକ ଭାବଧାରାକୁ ପରିବ୍ୟାପ୍ତ କରି ଶାନ୍ତି ଏବଂ ଏକତାର ବାତାବରଣ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ଗଜପତି ମହାରାଜାଙ୍କର ବାର୍ତ୍ତା ପାଠ କରାଯାଇଥିଲା। ମହନ୍ତ ଗଙ୍ଗା ଦାସଜୀ, ଡ. ରାମଚରଣ ଦାସ, ଡ. ବିଜୟ ରାମାନୁଜ ଦାସ, ମହନ୍ତ ରାମକୃଷ୍ଣ ଦାସ, ବାବାଜୀ ସଚ୍ଚିଦାନନ୍ଦ ଦାସ, ମହନ୍ତ ନାରାୟଣ ରାମାନୁଜ ଦାସ, ଡ. ଉମେଶ ଚନ୍ଦ୍ର ଚିନ୍ନରା ପ୍ରମୁଖ ଶ୍ରୀନୀଳଚକ୍ରଙ୍କ ମାହାତ୍ମ୍ୟ ଉପରେ ପ୍ରବଚନ ଦେଇଥିଲେ।
ସନ୍ଧ୍ୟାରେ ପ୍ରତି ଘରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆଳତି କରିବା ଲାଗି ସାଧୁସନ୍ଥ କହିଥିଲେ। ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଏହି ଧାରା ସମଗ୍ର ବିଶ୍ୱବାସୀ ସାମିଲ ହେବାକୁ ସେମାନେ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟହ ରାଧାବଲ୍ଲଭ ମଠ ପରିସରରେ କରାଯିବା ପାଇଁ ସ୍ଥିର ହୋଇଛି। ସମଗ୍ର ବିଶ୍ୱରେ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଚକ୍ର ହିଁ ନୀଳଚକ୍ର ନାମରେ ପ୍ରସିଦ୍ଧ।
ଦୂରରୁ ନୀଳଚକ୍ରଙ୍କୁ ଭୋଗ ସମର୍ପଣ କରି ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରାପ୍ତ କରିବାର ଶ୍ରଦ୍ଧା ଓ ବିଶ୍ୱାସ ରହିଛି। ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ସେବକ ସନ୍ଧ୍ୟାଧୂପ ପରେ ନୀଳଚକ୍ରଙ୍କ ସନ୍ନିକଟରେ ପ୍ରଦକ୍ଷିଣ ପୂର୍ବକ ମହାଦୀପ ପ୍ରଜ୍ୱଳନ କରି ବିଶ୍ୱ କଲ୍ୟାଣ ନିମନ୍ତେ ତୁଳସୀ ଓ ଚନ୍ଦନ ପ୍ରଲେପ କରିଥାନ୍ତି। ଏଣୁ ବିଶ୍ୱର କଲ୍ୟାଣ ପାଇଁ ପବିତ୍ର ଭୌମୀ ଏକାଦଶୀ ଠାରୁ ଏଭଳି ଆୟୋଜନ କରାଯାଇଥିବା ନେବଳ ଦାସ ମଠର ଡ. ରାମଚରଣ ଦାସ କହିଛନ୍ତି। ଆସନ୍ତାକାଲି ଠାରୁ ପ୍ରତ୍ୟହ ରାଧାବଲ୍ଲଭ ମଠ ପରିସରରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି।
ଆଳତି କାର୍ଯ୍ୟକ୍ରମରେ କେବଳ ସାଧୁସନ୍ଥ ନୁହନ୍ତି, ବହୁସଂଖ୍ୟାରେ ସାଧାରଣ ଭକ୍ତ ବି ସାମିଲ ହୋଇଥିଲେ।








ସମଗ୍ର ବିଶ୍ୱରେ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଚକ୍ର ହିଁ ନୀଳଚକ୍ର ନାମରେ ପ୍ରସିଦ୍ଧ। ଶ୍ରୀମନ୍ଦିର ରକ୍ଷାକବଚ ଭାବରେ ପତିତପାବନ ବାନାକୁ ଧରି ରଖିଥିବା ନୀଳଚକ୍ରଙ୍କ ଆଳତି ଆରମ୍ଭ ହୋଇଛି।









