ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ପଞ୍ଜିକରଣରେ ଜମି ବା ଆପାର୍ଟମେଣ୍ଟ୍ ବିକ୍ରି କରୁଥିବା ବିଲଡରମାନେ ହୁସିଆର୍ ହୋଇଯାନ୍ତୁ। ନଚେତ୍ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏମିତି ଚେତାବନୀ ଦେଇଛନ୍ତି ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି )।

ଅଧିକାଂଶ ବିଲଡର ବିନା ପଞ୍ଜିକରଣରେ ଜମି ପ୍ଲଟିଂ କରି ଆପାର୍ଟମେଣ୍ଟ୍ ବିକ୍ରି କରୁଛନ୍ତି। ଏହା ଓରେରାର ନିୟମାବଳୀକୁ ଉଲ୍ଲଂଘନ କରୁଛି। ଏହାସହ ଗ୍ରାହକଙ୍କୁ ଠକିବାର ସମ୍ଭାବନା ଥିବାରୁ ରାଜସ୍ୱ ବିଭାଗ ଏବେ ପ୍ଲଟିଂ ଜମି ଏବଂ ଆପାର୍ଟମେଣ୍ଟ ବିକ୍ରି ଉପରେ ଲଗାମ୍‌ କଷିଛନ୍ତି।

କେବଳ ଏତିକି ନୁହେଁ ଯେଉଁ ପ୍ରକଳ୍ପ ଓରେରାରେ ପଞ୍ଜୀକୃତ ହୋଇନଥିବ ସେଠାରେ ଥିବା ଜମି କି ଫ୍ଲାଟ୍‌ ବିକ୍ରି ପାଇଁ ବୁକିଂ ରଖିପାରିବେନି କି କୌଣସି ବିଜ୍ଞାପନ, ହୋର୍ଡିଂ ଲଗାଇପାରିବେନି।

ଜମି ପ୍ଲଟିଂ କରି ବିକ୍ରି କରିବାକୁ ହେଉ କି ଆପାର୍ଟମେଣ୍ଟ ବିକ୍ରି କରିବାକୁ ଏଥିପାଇଁ ଓରେରାରେ ପ୍ରକଳ୍ପକୁ ପଞ୍ଜୀକୃତ କରିବାକୁ ନିୟମ ଅଛି।

ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରୁଥିବେ ତେବେ ସେମାନଙ୍କ ବିରୋଧରେ ରେରା ଆକ୍ଟ ୨୦୧୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉକ୍ତ ପ୍ରକଳ୍ପକୁ ପ୍ଲାନ୍‌ ଦିଆଯିବନି, ଯଦି ପ୍ଲାନ୍‌ ଦିଆଯାଇଥିବ ଏହାକୁ ବାତିଲ୍‌ କରି ଦିଆଯିବ ବୋଲି ରାଜସ୍ୱ ବିଭାଗ ନିଷ୍ପତ୍ତି ନେଇଛି।

ଯେଉଁ ବିଲଡର୍‌ କି ବ୍ୟକ୍ତି ୫୦୦ ବର୍ଗମିଟର (୫୩୮୨ ବର୍ଗଫୁଟ)ରୁ ଅଧିକ ଜମିକୁ ପ୍ଲଟିଂ କରି ବିକ୍ରି କରୁଥିବେ ବା ୮ରୁ ଅଧିକ ଫ୍ଲାଟ୍‌ ଥିବା ଆପାର୍ଟମେଣ୍ଟ ବିକ୍ରି କରୁଥିବେ ତାଙ୍କୁ ସବ୍‌ରେଜଷ୍ଟ୍ରି କାର୍ଯ୍ୟାଳୟରେ ଓରେରା ପଞ୍ଜିକୃତ ନମ୍ବର ଏବଂ ସାର୍ଟିଫିକେଟ ନକଲ ଦେବାକୁ ପଡ଼ିବ। ଯଦି ଏହାକୁ ନଦେଇପାରିବେ ତେବେ ଜମି କି ଫ୍ଲାଟ୍‌ ବିକ୍ରି କରିପାରିବେନି।

ଓରେରା ଦ୍ୱାରା ପଞ୍ଜିକୃତ ପ୍ରକଳ୍ପକୁ ହିଁ ରେଜିଷ୍ଟ୍ରି କରିବାକୁ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଚନ୍ଦ୍ରଶେଖର କୁମାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତ ୧୭ ତାରିଖରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି ଓ ଘର ବିକ୍ରି ଏକରକମ ଧିମେଇ ଯାଇଛି। ବହୁ ବିଲଡର୍‌ ସେମାନଙ୍କ ପ୍ରକଳ୍ପକୁ ପଞ୍ଜିକୃତ ନ କରି ବିକ୍ରି କରୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏବେ ବହୁ ବିଲଡର୍‌ ଖବରକାଗଜ, ଟିଭିରେ ଆପାର୍ଟମେଣ୍ଟ ବିକ୍ରି ପାଇଁ ବିଜ୍ଞାପନ ଦେଉଥିବାବେଳେ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇ ପ୍ରକଳ୍ପଗୁଡ଼ିକର ପ୍ରଚାର କରୁଛନ୍ତି।

ଗ୍ରାହକ ଜମି କିଣିବା ପୂର୍ବରୁ ଓରେରା ପଞ୍ଜିକୃତ ମାଗୁଥିଲେ ହେଁ ସେମାନଙ୍କୁ ଦିଆଯାଉନି। କେତେକ ବିଲଡର୍‌ କହୁଛନ୍ତି ଓରେରାରେ ଆବେଦନ ହୋଇଛି ସାର୍ଟିଫିକେଟ୍‌ ମିଳିଯିବ। ଘର/ଜମି କିଣିଲେ କିଛି ଅସୁବିଧା ହେବନି। ଏହିଭଳି ବହୁ ଅଭିଯୋଗ ଓରେରା କାର୍ଯ୍ୟାଳୟରେ ପହଞ୍ଚିବା ପରେ ପଦକ୍ଷେପ ନିଆଯାଇଛି।

ଆବଶ୍ୟକସ୍ଥଳେ ଯେଉଁ ସଂସ୍ଥା ବା ପ୍ରକଳ୍ପ ଉପରେ ଅଭିଯୋଗ ଆସିଛି ସେମାନଙ୍କୁ ନୋଟିସ୍‌ କରାଯିବ। କିନ୍ତୁ ଏବେ ବିନା ଓରେରା ସାର୍ଟିଫିକେଟ୍‌ ଓ ପଞ୍ଜିକୃତ ନମ୍ବରରେ ଜମି/ଫ୍ଲାଟ୍‌/ଘର ବିକ୍ରି ନ କରିବାକୁ ରାଜସ୍ୱ ବିଭାଗକୁ ଜଣାଇଦିଆଯାଇଛି। ଏହାପରେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନୋଟିସ୍‌ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here