ଓଡ଼ିଶାଲାଇଭ୍ ବ୍ୟୁରୋ

ଯଲିଉଡର ଦୁଇ ମହାନାୟକ ହେଉଛନ୍ତି ବିନୋଦ ନାଥ ଓ ରୁଦ୍ର ପ୍ରସାଦ ମିଶ୍ର। ଦୁହେଁ ମିଶି ଅନେକ ସଫଳ ଯାତ୍ରା ନିର୍ମାଣ କରିଛନ୍ତି।

ଯାତ୍ରାଜଗତକୁ ପ୍ରତିବର୍ଷ କିଛି ନୂଆ କଳାକାରଙ୍କ ଆବିର୍ଭାବ ଘଟେ। ଏମାନଙ୍କ ମଧ୍ୟରୁ କେହି ଖଳନାୟକ ତ ପୁଣି କେହି ହାସ୍ୟ ଅଭିନେତା ଭାବେ ଅଭିନୟ କରନ୍ତି। ହେଲେ ସେମାନଙ୍କ ଭିତରୁ ଜଣେ ଅଧେଙ୍କୁ ମିଳିଥାଏ ଯାତ୍ରାରେ ନାୟକ ଭୂମିକା। ଏ ଯାତ୍ରାଜଗତ ବି ଅଜବ। ଏଠି କିଏ ନାୟକ ହେବା ପୂର୍ବରୁ କିଏ ଗୀତ ଗାଉଥିଲେ ତ ପୁଣି କିଏ ସାକ୍ଷାତକାର ଦେଇ ନାୟକ ହେବାର ସୌଭାଗ୍ୟପ୍ରାପ୍ତ କରିଥାନ୍ତି। ଆସନ୍ତୁ ଜାଣିବା ସେଭଳି ଦୁଇ ଟପ୍ ନାୟକଙ୍କ ଯାତ୍ରାଜଗତରେ ପ୍ରବେଶର ମଜାଦାର କଥା:-

ବିନୋଦ ନାଥ: ଯଲିଉଡର ଜଣେ ଆଗଧାଡ଼ିର ନାୟକ ହେଲେ ବିନୋଦ ନାଥ। ସେ ଶିବାନୀ ଗଣନାଟ୍ୟର ‘କଥା ରହିଲି କରିବି ନାହିଁ’ ଜରିଆରେ ଯାତ୍ରା ମଞ୍ଚକୁ ଆସିଥିଲେ ନାୟକ ଭାବେ। ଏଥିରେ ଦର୍ଶକ ତାଙ୍କୁ ଜଣେ ଆକସନ୍ ହିରୋ ଭାବେ ଦେଖିବାକୁ ପାଇଥିଲେ। ପ୍ରଥମ ନାଟକରେ ହିଁ ସେ ଦର୍ଶକଙ୍କ ଦ୍ଵାରା ଗ୍ରହଣୀୟ ହୋଇଥିଲେ। ଏହାର ପ୍ରତିଟି ସଂଳାପ ଆଜି ବି ଯାତ୍ରା ସେମାନଙ୍କୁ ରୋମାଞ୍ଚିତ କରେ। ଖାଲି ସେତିକି ନୁହେଁ ତାଙ୍କର ସ୍ଵତନ୍ତ୍ର ଡାଇଲଗ୍ ଡେଲିଭରି ଷ୍ଟାଇଲ୍ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ତେବେ ଆପଣ କଣ ଜାଣନ୍ତି ଯେ ଯଲିଉଡର ଏହି ନମ୍ବରୀ ହିରୋ ଜଣେ ଭଲ ଗାୟକ। ସେ ମଞ୍ଚରେ ଅଭିନୟ କରିବା ପୂର୍ବରୁ ଗୀତ ଗାଉଥିଲେ। ତା’ପରେ ସେ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ତାଙ୍କୁ ନାଟକରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

ନାୟକ ଭାବେ ବିନୋଦ ନାଥଙ୍କ କେତୋଟି ଉଲ୍ଲେଖନୀୟ ନାଟକ ହେଲା ସିନ୍ଦୁର କହିବ ସ୍ବାମୀକାହାର’ ବେଇମାନ, ଅମାବାସ୍ୟାର ଚନ୍ଦ୍ର, ସଲାମ ସରକାର, ବଡ଼ ଦେଉଳରେ ବାଦି ପାଲ୍ଲା, ଲାବଣ୍ୟବତୀର ଲଭଘେଚର, ଗାଁରୁ ଆସୁଛି ଗୌରୀନାନୀ, ଓ ସୁନାର ପଞ୍ଜୁରୀ, ମାଟିର ଶାରୀ ଇତ୍ୟାଦି। ବିନୋଦ କହନ୍ତି ଯେ ଯାତ୍ରା ମଞ୍ଚରେ ପ୍ରଥମ ଦିନର ଅଭିନୟକୁ ସେ କେବେବି ଭୁଲିପାରିବେ ନାହିଁ। ସେ କେବେ ବି ଭାବିନ ଥିଲେ ଯେ ଦିନେ ଯାତ୍ରା ଜଗତର ଷ୍ଟାର୍ ବନିବେ। ତାଙ୍କର ଯଲିଉଡରେ ଏଣ୍ଟ୍ରି ହେବାର ନିଷ୍ପତ୍ତି ଠିକ୍ ଥିଲା ବୋଲି ସେ ଏବେବି ଭାବନ୍ତି। ଏହାର ତୀୟ କାରଣ ହେଲା ବିନୋଦ ଏହି ଯଲିଉଡର ନାୟିକା ବେବିନାଙ୍କୁ ଜୀବନସାଥୀ ରୂପେ ପାଇଛନ୍ତି।

ରୁଦ୍ର ପ୍ରସାଦ ମିଶ୍ର- ଯାତ୍ରା ଜଗତର ଆଉ ଜଣେ ଲୋକପ୍ରିୟ ନାୟକ ହେଲେ ରୁଦ୍ର ପ୍ରସାଦ ମିଶ୍ର। ସେ ୨୦୦୫ ମସିହାରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ରୁଦ୍ରଙ୍କ ଯଲିଉଡରେ ପ୍ରବେଶ କେମିତି ହୋଇଥିଲା ଜାଣନ୍ତି?

ରୁଦ୍ର ପ୍ରସାଦ ମିଶ୍ର ଗଞ୍ଜାମ ଜିଲ୍ଲାର ମଞ୍ଚ କଳାକାର ଅନୁଷ୍ଠାନରେ ସାମିଲ୍ ହୋଇ ନିୟମିତ ଭାବେ ନାଟକରେ ଅଭିନୟ କରୁଥିଲେ। ସେ ବିଭିନ୍ନ ସ୍ଥାନରେ ନାଟ୍ୟ ପରିବେଷଣ କରୁଥିଲେ। ମୋଟାମୋଟି ନାଟୁଆ ମଣିଷଟିଏ ବନି ଯାଇଥିଲେ ରୁଦ୍ର। ଠିକ୍ ସେହି ସମୟରେ ଖବରକାଗଜରେ ଏକ ବିଜ୍ଞାପନ ପଢ଼ିବାକୁ ପାଇଲେ ରୁଦ୍ର, ଯେଉଁଥିରେ ଉଲ୍ଲେଖ ଥିଲା ଯେ ବାଘାଯତୀନ ଲୋକନାଟ୍ୟରେ କଳାକାର ଆବଶ୍ୟକ। ଏହି ବିଜ୍ଞାପନଟି ପଢ଼ିବା ପରେ ସେ ସେଥିପାଇଁ ଆବେଦନ କରିଥିଲେ। ସେତେବେଳୁ ଯାତ୍ରା ଜଗତ ସଂପର୍କରେ ତାଙ୍କର ବିଶେଷ ଧାରଣା ନଥିଲା। ତଥାପି ଅଭିନେତା ହେବାର ନିଶା ଥିଲା ତାଙ୍କର।

ଏହା ପରେ ସାକ୍ଷାତକାର ଦେଇଥିଲେ ରୁଦ୍ର ଓ ପ୍ରଥମ ସାକ୍ଷାତକାରରେ ହିଁ ନାୟକ ଭୂମିକା ମିଳିଯାଇଥିଲା ତାଙ୍କୁ। ଏ ବାବଦରେ ରୁଦ୍ର କହନ୍ତି ଯେ ଯଦି ସେ ଦିନ ସେହି ବିଜ୍ଞାପନ ତାଙ୍କ ଆଖିରେ ପଡ଼ିନଥାନ୍ତା ତେବେ ହୁଏତ ଯଲିଉଡରେ ଏଣ୍ଟ୍ରି ହୋଇପାରିନଥାନ୍ତା। ବାଘାଯତୀନ ଲୋକନାଟ୍ୟରେ କିଛି ବର୍ଷ କାମ କରିବା ପରେ ରୁଦ୍ରପ୍ରସାଦ ମିଶ୍ର ଯାତ୍ରାତ୍ରୀରଙ୍ଗ ଯାତ୍ରା ଟାଇଗର, ତାରିଣୀ ଗଣନାଟ୍ୟ ଓ କୋଣାର୍କ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି।

ନାୟକ ରୁଦ୍ରଙ୍କ ଲୋକପ୍ରିୟ ଯାତ୍ରାନାଟକ ମଧ୍ୟରେ ରହିଛି ‘ସରିନି ସପନ ସରିଲା ରାତି’, ‘ରାଣୀ ମହୁମାଛି’, ‘ଦି’ ଟୋପା ଲୁହ’, ‘ନଷ୍ଟ ଚରିତ୍ର’, ‘କହିବା ଆଗରୁ କାହାଣୀ ସରେ’, ଓ ‘ସାତ ଟଙ୍କାର ସାନ ବୋହୂ’ ଇତ୍ୟାଦି।

LEAVE A REPLY

Please enter your comment!
Please enter your name here