ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ରାଜ୍ୟରେ ରାଜନୀତି ପାଣିପାଗ ବେଶ୍ ସରଗରମ। ବିଜେପୁରରେ ହେବ ଉପ-ନିର୍ବାଚନ। ଏଥିପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବିଜେଡି ଓ ବିଜେପି ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

  • ୬ ତାରିଖରେ ନାମାଙ୍କନର ଶେଷ ତାରିଖ
  • ୭ରେ ପ୍ରାର୍ଥୀପତ୍ର ଯାଞ୍ଚ
  • ୨୪ ତାରିଖରେ ଭୋଟଗ୍ରହଣ
  • ଫେବ୍ରୁଆରୀ ୨୮ରେ ଭୋଟ ଗଣତି

ବିଜେପୁର ଉପନିର୍ବଚନ ପାଇଁ ତିନିଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କସରତ ଜାରି ରହିଛି। କେଉଁ ଦଳ ବାଜି ମାରିବ ତାହା ତ ଫଳାଫଳରୁ ଜଣାପଡ଼ିବ କିନ୍ତୁ ତା’ପୂର୍ବରୁ ତିନିଦଳ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅଛୁ ବୋଲି କହିଛନ୍ତି।

ଇତିମଧ୍ୟରେ ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଆଧାରରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ୬ ତାରିଖରେ ନାମାଙ୍କର ଶେଷ ତାରିଖ ଥିବା ବେଳେ ୭ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୨୪ ତାରିଖରେ ଭୋଟଗ୍ରହଣ। ଫେବୃଆରୀ ୨୮ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ବିଜେପୁର ଉପନିର୍ବାଚନ ପାଇଁ ପୂର୍ବରୁ ସ୍ଵର୍ଗତଃ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ ଭାବେ ଛିଡ଼ା କରିଥିବାବେଳେ ବିଜେପି ପକ୍ଷରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଆଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହା ଜଣାପଡ଼ୁଛି ନିର୍ବାଚନ ମଇଦାନରେ ତିନିଦଳଙ୍କ ମଧ୍ୟ ଟକ୍କର ଜୋରଦାର ରହିବ।

ଶାସକ ଦଳ ବିଜେଡି ପାଇଁ ଏହି ନିର୍ବାଚନ ଆତ୍ମସମ୍ମାନର କଥା ହୋଇଥିବାବେଳେ ବିଜେପି ପାଇଁ ଏହା ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। କାରଣ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ନିଜର ପତିଆରା ବୃଦ୍ଧି ପାଇଁ ଚେଷ୍ଟା ଚଳାଇଛି। ଏହି ନିର୍ବାଚନ ଫଳାଫଳ ଉପରେ ଦଳର ଭାଗ୍ୟ କିଛି କାଂଶରେ ନିର୍ଭର କରୁଛି।

ସେହିପରି କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ କାହାକୁ ଅଛପା ନାହିଁ। ତଥାପି ଦଳ ବିଜେପୁର ହାତେଇବା ପାଇଁ ଅଣ୍ଟା ଭିଡ଼ିଛି। ନିକଟରେ କଂଗ୍ରେସ ଦଳର ୪ ବରିଷ୍ଠ ନେତା ଦିଲ୍ଲୀ ଯାଇଁ ଦଳ ସୁପ୍ରିମୋ ରାହୁଲ ଗାନ୍ଧିଙ୍କୁ ଭେଟି ଫେରିଛନ୍ତି। ବିଜେପୁରରେ ଦଳର ଷ୍ଟ୍ରାଟେଜି କ’ଣ ରହିବ ସେ ବିଷୟରେ ଆଲୋଚନା ଚାଲିଛି। ବୈଠକ ପରେ ବୈଠକ ବସାଇ ନିର୍ବାଚନ ପାଇଁ ଗୋଟି ପ୍ରସ୍ତୁତ କରିବାରେ ବ୍ୟସ୍ତ କଂଗେସ ଦଳ।

Comment