ଓଡ଼ିଶାଲାଇଭ୍ ବ୍ୟୁରୋ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଟଣାଓଟରା। ଓଡ଼ିଶାର ତତ୍ପରତା ସତ୍ତ୍ୱେ କୋଟିଆରେ ଦିନକୁ ଦିନ ଆନ୍ଧ୍ରର ଅଧିକାରୀମାନେ ସେଠାରେ ଅଧିକ ସକ୍ରିୟ ହେଉଛନ୍ତି।

  • ୨୨ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦୀୟ ପରିସ୍ଥିତି
  • ଆନ୍ଧ୍ର ପକ୍ଷରୁ କୋଟିଆ ଗ୍ରାମବାସୀଙ୍କୁ ସରକାରୀ ସହାୟତା ପ୍ରଦାନ
  • କୋଟିଆ ପାଇଁ ବାହାରିଛି ଆମ କୋଟିଆ ସଂଗଠନ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୨ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦୀୟ ପରିସ୍ଥିତି ଲାଗି ରହିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ଆନ୍ଧ୍ର ଆଧିପତ୍ୟ ଜାହିର କରି ଆସୁଛି।

ଏପରିକି ବିଜୟନଗରମ ଜିଲ୍ଲାପାଳ ଗତ ଜାନୁଆରି ୯ତାରିଖରେ କୋଟିଆର ତଳ ଗଞ୍ଜେଇ ପଦର ଆସି ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରିଥିଲେ। ଏହି ଅଞ୍ଚଳର ବିକାଶ ପାଇଁ ସେ ପ୍ରତିଶ୍ରୁତି ଦେଇ ଫେରିଥିଲେ। କୋଟିଆକୁ ମାଡ଼ି ବସିବା ପାଇଁ ଆନ୍ଧ୍ରର ଏମିତି ଚାଲ୍‌ ଜାଣିବା ପରେ ଚେତିଥିଲା ଓଡ଼ିଶା ସରକାର ଓ କୋରାପୁଟ ପ୍ରଶାସନ। ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ ଲଗାଇବା ପାଇଁ କୁନ୍ଦୁଲି-କୋଟିଆ ରାସ୍ତାର ଟାଉପଦରଠାରେ ତନଖି ଫାଟକ ଲଗାଇଥିଲା। ଏହା ଜାଣିବା ପରେ ଆନ୍ଧ୍ର ଏବେ ନୂଆ ତରିକା ଆପଣେଇଛି।

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଟଣାଓଟରା ଚାଲିଥିଲାବେଳେ କୋଟିଆ ପାଇଁ ବାହାରିଛି ଆମ କୋଟିଆ ସଂଗଠନ। ଏହି ସଂଗଠନ ପକ୍ଷରୁ ଆସନ୍ତା ୭ତାରିଖରେ କୋଟିଆରେ ଏକ ସର୍ବଦଳୀୟ ବୈଠକ ହେବ। ଏହି ବୈଠକ ପୂର୍ବରୁ ସଂଗଠନ ପକ୍ଷରୁ କୋରାପୁଟ ଜିଲ୍ଳାପାଳଙ୍କୁ ଭେଟି ଆଲୋଚନା କରାଯାଇଛି।

ଆନ୍ଧ୍ର ସୀମାନ୍ତ ପଟୁ ସେମାନେ ଓଡ଼ିଶାରେ ପଶି ସେମାନଙ୍କ ସରକାରୀ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ବୁଧବାର ଦିନ ସାଲୁର ମଣ୍ଡଳ ପକ୍ଷରୁ ଅଧିକାରୀମାନେ ଆସି ନେରେଡି ବାଲସା, ତାଡି ବାଲସା, ଆରଜୁ ବାଲସା, ଧୂଳିପଦର, ଉପର ସେମ୍ଭି ଆଦି ଗାଁରେ ସୋଲାର ଲାଇଟ ପ୍ରଦାନ କରାଯାଇଛି। ତଳ ଗଞ୍ଜେଇ ପଦର ପଞ୍ଚାୟତର ନାଏବ ସରପଞ୍ଚ ବିଶୁ ଗେମେଲଙ୍କ ସହ ଆଲୋଚନା କରି ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here