ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟରେ ଜଣେ ଲବ୍ଧପ୍ରତିଷ୍ଠ ତଥା ସାମ୍ପ୍ରତିକ ସମୟର ଜଣେ ପ୍ରଖ୍ୟାତ ସାହିତ୍ୟିକ ଭାବେ ପରିଚିତ ଚନ୍ଦ୍ରଶେଖର ରଥଙ୍କ ପରଲୋକ ଘଟିଛି।

ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିବା ଓଡ଼ିଆ କଥା ସାହିତ୍ୟର ଅନନ୍ୟ ନାୟକ ଚନ୍ଦ୍ରଶେଖର ରଥଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ୮୯ ବର୍ଷରେ ପରଲୋକ ଘଟିଛି।

ଏକାଧାରରେ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖାରେ ପାରଦର୍ଶିତା ଦେଖାଇବା ସହ ଅଜସ୍ର ପାଠକୀୟ ସ୍ଵୀକୃତି ମଧ୍ୟ ହାସଲ କରିଛନ୍ତି ଶ୍ରୀ ରଥ। କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ, ପଦ୍ମଶ୍ରୀ ସହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ରଥ। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ନବଜାତକ ଓ ଯନ୍ତ୍ରାରୂଢ଼(ଉପନ୍ୟାସ), ଅଶ୍ଵାରୋହୀର ଗଳ୍ପ, କ୍ରୀତଦାସର ସ୍ଵପ୍ନ, ଅନ୍ୟ ଏକ ସକାଳ (ଗଳ୍ପ ସଙ୍କଳନ) ଆଗକୁ ବନସ୍ତ- କବିତା ଗ୍ରନ୍ଥ ଆଦି ଅନ୍ୟତମ। ତାଙ୍କ ରଚିତ ରଥସପ୍ତକ ପୁସ୍ତକରୁ ଓଡ଼ିଆ ସାହିତ୍ୟିରେ ଲଳିତ ନିବନ୍ଧ କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ ହୋଇଥିଲା।

ସଂକ୍ଷେପରେ ଲେଖକ ଚନ୍ଦ୍ରଶେଖର ରଥ:

ଜଣାଶୁଣା ତଥା ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ ତଥା ଔପନ୍ୟାସିକ ଚନ୍ଦ୍ରଶେଖର ରଥ ୧୭ ଅକ୍ଟୋବର ୧୯୨୯ ମସିହାରେ ପବିତ୍ର କୁମାର ପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମଗ୍ରହଣ କରିଥିଲେ।

‘ଯନ୍ତ୍ରାରୂଢ଼’,‘ନବଜାତକ’ ଏବଂ ‘ଅସୂର୍ଯ୍ୟ ଉପନିବେଶ’ ଭଳି ଉପନ୍ୟାସ ଲେଖି ଶ୍ରୀ ରଥ ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି। ଏହା ବ୍ୟତୀତ ୧୪ଟି ଗଳ୍ପ ସଂକଳନ, ୧୨ଟି ନିବନ୍ଧ ଗ୍ରନ୍ଥ ଲେଖି କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଚନ୍ଦ୍ରଶେଖର ରଥ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟରୁ ଇଂରାଜୀ ଏବଂ ଆଇନ୍‌ରେ ସ୍ନାତକୋତ୍ତର ହାସଲ କରିବା ସହ ଲକ୍ଷ୍ନୌ ଓ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡିଲିଟ୍ ଉପାଧି ପାଇଛନ୍ତି।

କେବଳ ସାହିତ୍ୟ କିମ୍ବା ପ୍ରବନ୍ଧ ଜଗତରେ ନୁହେଁ, ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ଶ୍ରୀ ରଥ ସୁନାମ ଅର୍ଜନ କରିଛନ୍ତି। ୧୯୫୨ରୁ ୧୯୮୬ ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରି ବହୁ ଛାତ୍ରଛାତ୍ରୀଙ୍କୁ ମଣିଷ କରିଛନ୍ତି। ପରେ ସେ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ରହିଥିଲେ। ୧୯୮୭ରେ ସେ ଏହି ପଦବୀରୁ ଅବସର ନେଇଥିଲେ। ଅବସର ନେବା ପରେ ବି ସେ ଘରେ ବସି ଯାଇ ନଥିଲେ। ୧୯୮୭ରୁ ୧୯୯୫ ପର୍ଯ୍ୟନ୍ତ ସେ ‘ସନ୍‌ ଟାଇମ୍ସ’ର ସମ୍ପାଦକ ଏବଂ ‘ସମ୍ବାଦ’ ସମ୍ପାଦକ ପୃଷ୍ଠାର ସମ୍ପାଦନା ଦାୟିତ୍ଵ ତୁଲାଇଥିଲେ।‘ଆସ୍ପୃହା’ ଏବଂ ‘ଶତଭିଷା’ ଭଳି ପତ୍ରିକାର ପ୍ରତିଷ୍ଠାତା ଉପଦେଷ୍ଟା ରହିଥିଲେ ଚନ୍ଦ୍ରଶେଖର ରଥ।

ପୁରସ୍କାର

ସାହିତ୍ୟ, ପ୍ରବନ୍ଧ, କବିତା ଏବଂ ଉପନ୍ୟାସ ଜଗତକୁ ରୁଦ୍ଧିମନ୍ତ କରିଥିବା ଶ୍ରୀ ରଥ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ୧୯୭୨ ଓ ୧୯୭୪ରେ ‘ପ୍ରଜାତନ୍ତ୍ର ବିଷୁବ ସମ୍ମାନ’, ୧୯୭୯ରେ ‘ଧରିତ୍ରୀ ସମ୍ମାନ’, ଉପନ୍ୟାସ ‘ଅସୂର୍ଯ୍ୟ ଉପନିବେଶ’ ପାଇଁ ୧୯୭୩ରେ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ, ଗଳ୍ପ ସଂକଳନ ‘ସମ୍ରାଟ’ପାଇଁ ୧୯୮୨ରେ ସାରଳା ପୁରସ୍କାର, ସମ୍ବଲପୁର ବିଶ୍ଵବିଦ୍ୟାଳୟ ତରଫରୁ ‘ଭରତ ଚନ୍ଦ୍ର ସ୍ମାରକୀ’ ସମ୍ମାନ, ଗଳ୍ପ ସଂକଳନ ‘ସବୁଠାରୁ ଦୀର୍ଘ ରାତି’ ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଏହାସହ ୨୦୧୦ରେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୧ରେ ସାହିତ୍ୟ ଭାରତୀ ସମ୍ମାନ ଏବଂ ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ବରେଣ୍ୟ ସଦସ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ରଥ। ଚଳିତବର୍ଷ ସେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରରେ ଭୂଷିତ ହୋଇଥିଲେ।

ଦୀର୍ଘଦିନ ଧରି ଚନ୍ଦ୍ରଶେଖର ରଥ ଗୁରୁତର ଭାବେ ଅସୁସ୍ଥ ଥିଲେ। କିଡ‌୍‍ନୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଠିକଣା ଭାବେ କାର୍ଯ୍ୟ କରୁନଥିଲା।

ଚନ୍ଦ୍ରଶେଖର ରଥଙ୍କ ନିଧନରେ ଓଡ଼ିଆ ଭାଷା ସାହିତ୍ୟ ଜଣେ ଉଜ୍ଜ୍ଵଳ ପ୍ରତିଭାଙ୍କୁ ହରାଇଲା ବୋଲି ବିଶିଷ୍ଟ ସାହିତ୍ୟିକମାନେ ଶୋକ ବାର୍ତ୍ତାରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here